ସମ୍ବଲପୁର,୦୫/୧୧(ଉତ୍କଳ ସମାଚାର),(ସରୋଜ ସାହୁ): ଲାଞ୍ଚ ନେବା ଅଭିଯୋଗରେ ସମ୍ବଲପୁର ଜିଲ୍ଲା ମହୁଲପାଲି ଥାନାର ଜଣେ ସବ୍ଇନ୍ସପେକ୍ଟର ଓଡ଼ିଶା ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଅଭିଯୁକ୍ତ ପୁଲିସ ଅଧିକାରୀ ହେଉଛନ୍ତି ସୁଜିତ କୁମାର ମହନ୍ତ। ଏକ ମିସଲେନିୟସ୍ ମାମଲାର ଚୂଡ଼ାନ୍ତ ନିଷ୍ପତ୍ତି କରିବା ପାଇଁ ଅଭିଯୋଗକାରୀଙ୍କଠାରୁ ୧୦ ହଜାର ଟଙ୍କା ଲାଞ୍ଚ ଦାବି କରି ଗ୍ରହଣ କରୁଥିବା ସମୟରେ ଭିଜିଲାନ୍ସ ତାଙ୍କୁ ଧରିଛି। ସୂଚନା ଅନୁସାରେ, ଅଭିଯୋଗକାରୀଙ୍କ ବିରୋଧରେ ମହୁଲପାଲି ଥାନାରେ ରୁଜୁ ହୋଇଥିବା ଏକ ମିସଲେନିୟସ୍ ମାମଲାର ତଦନ୍ତକାରୀ ଅଧିକାରୀ ଥିଲେ ଏସ୍ଆଇ ସୁଜିତ କୁମାର ମହନ୍ତ। ଉକ୍ତ ମାମଲାର ଚୂଡ଼ାନ୍ତ ନିଷ୍ପତ୍ତି କରିବା ପାଇଁ ସେ ଅଭିଯୋଗକାରୀଙ୍କୁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିବା ଅଭିଯୋଗ ହୋଇଥିଲା। ବୁଧବାର ସନ୍ଧ୍ୟାରେ ଏସ୍ଆଇ ଅଭିଯୋଗକାରୀଙ୍କୁ ଥାନା ବାହାରେ ଏକ ନିର୍ଜନ ସ୍ଥାନକୁ ଡାକିଥିଲେ। ସେଠାରେ ଲାଞ୍ଚ ଟଙ୍କା ଗ୍ରହଣ କରିବା ପରେ ଭିଜିଲାନ୍ସ ଟିମ୍କୁ ଦେଖି ସେ ଘଟଣାସ୍ଥଳରୁ ଦୌଡ଼ି ପଳାଇଥିଲେ। ତାଙ୍କୁ ଧରିବା ପାଇଁ ଭିଜିଲାନ୍ସ ଟିମ୍ ପିଛା କରିଥିଲା। ଟିମ୍କୁ ଦେଖି ଅଭିଯୁକ୍ତ ଏସ୍ଆଇ ନିକଟସ୍ଥ ଏକ ପୋଖରୀକୁ ଡେଇଁ ପଡ଼ିଥିଲେ। ତେବେ ଭିଜିଲାନ୍ସ ଟିମ୍ର ଜଣେ ସଦସ୍ୟ ମଧ୍ୟ ପୋଖରୀକୁ ଡେଇଁ ପହଁରି ପହଁରି ଯାଇ ତାଙ୍କୁ କାବୁ କରିଥିଲେ। ତାଙ୍କ ନିକଟରୁ ଲାଞ୍ଚ ବାବଦର ସମସ୍ତ ୧୦ ହଜାର ଟଙ୍କା ଜବତ କରାଯାଇଛି।ଥାନା ବିଶ୍ରାମ କକ୍ଷରୁ ୧.୫୫ ଲକ୍ଷ ଟଙ୍କା ଜବତଲାଞ୍ଚ ଧରାପଡ଼ିବା ପରେ ଅଭିଯୁକ୍ତ ଏସ୍ଆଇଙ୍କ ବିଭିନ୍ନ ଠିକଣାରେ ଆୟବହିର୍ଭୂତ ସମ୍ପତ୍ତି ଦିଗରୁ ଭିଜିଲାନ୍ସ ପକ୍ଷରୁ ତଲାସୀ ଜାରି ରହିଛି। ତଲାସୀ ସମୟରେ ମହୁଲପାଲି ଥାନା ପରିସରରେ ଥିବା ଅଭିଯୁକ୍ତଙ୍କ ବିଶ୍ରାମ କକ୍ଷରୁ ଏକ ଲଫାପାରେ ରଖାଯାଇଥିବା ୧ ଲକ୍ଷ ୫୫ ହଜାର ୭୦୦ ଟଙ୍କା ନଗଦ ଜବତ କରାଯାଇଛି।ଏହି ଘଟଣାରେ ସମ୍ବଲପୁର ଭିଜିଲାନ୍ସ ଥାନାରେ କେସ୍ ନମ୍ବର ୨୧/୨୦୨୬ ରୁଜୁ ହୋଇଛି। ଦୁର୍ନୀତି ନିବାରଣ (ସଂଶୋଧନ) ଆଇନର ଧାରା ୭ ଅନୁଯାୟୀ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି। ଅଭିଯୁକ୍ତ ସୁଜିତ କୁମାର ମହନ୍ତ ୨୦୨୧ ମସିହାରେ ସିଧାସଳଖ ନିଯୁକ୍ତି ମାଧ୍ୟମରେ ପୁଲିସ ସେବାରେ ଯୋଗ ଦେଇଥିଲେ।

