ସମ୍ବଲପୁର,୦୫/୧୧(ଉତ୍କଳ ସମାଚାର),(ସରୋଜ ସାହୁ): ସମ୍ବଲପୁରଠାରେ ଜିଲ୍ଲାସ୍ତରୀୟ ‘ମାଣ୍ଡିଆ ଦିବସ’ ଓ ‘ବିକଶିତ ଭାରତ ୟଙ୍ଗ୍ ଲିଡର୍ସ ଡାଏଲଗ୍’ ଆୟୋଜିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଯୋଗଦେଇ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ଯୁବଶକ୍ତି ହିଁ ରାଷ୍ଟ୍ରଶକ୍ତି ବୋଲି କହିବା ସହ ଯୁବପିଢ଼ିଙ୍କୁ ରାଷ୍ଟ୍ର ନିର୍ମାଣରେ ଭାଗୀଦାର ହେବାକୁ ଆହ୍ୱାନ ଦେଇଥିଲେ।ସମ୍ବଲପୁରର ଐତିହ୍ୟ, ଭାଷା ଓ ପରମ୍ପରାକୁ ମନେ ରଖି ଆଗକୁ ବଢ଼ିବା ସହ ମାଣ୍ଡିଆ ଓ ଅନ୍ୟ ପାରମ୍ପରିକ ଖାଦ୍ୟର ପ୍ରଚାରପ୍ରସାର ଉପରେ ମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ।ଜିଲ୍ଲାପାଳ ମାଣ୍ଡିଆର ପୁଷ୍ଟିକର ଗୁଣ ଉଲ୍ଲେଖ କରି ଜିଲ୍ଲାର ପ୍ରାୟ ୫୦୦୦ ହେକ୍ଟର ଜମିରେ ମାଣ୍ଡିଆ ଚାଷ ହେଉଥିବା ସୂଚନା ଦେଇଥିଲେ। ରବି ଋତୁରେ ମାଣ୍ଡିଆ ଚାଷ ବୃଦ୍ଧି, କୃଷି ଉଦ୍ୟୋଗ ଓ କୁଚିଣ୍ଡା ଲଙ୍କା ଏବଂ ପୁଷ୍ପଚାଷ କ୍ଲଷ୍ଟର ପ୍ରତିଷ୍ଠା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।ୟଙ୍ଗ୍ ଲିଡର୍ସ ଡାଏଲଗ୍ରେ ଯୁବପିଢ଼ିଙ୍କୁ ନିଶାମୁକ୍ତ ଭାରତ ଅଭିଯାନରେ ସାମିଲ ହେବା ସହ କୃଷି ଉଦ୍ୟୋଗ ଯୋଜନା, PMEGP ଓ PMFME ମାଧ୍ୟମରେ ସ୍ୱାବଲମ୍ବୀ ହେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ଜାତୀୟ ଯୁବ ସଂସଦରେ ସମ୍ବଲପୁରର ଝିଅ ଅର୍ପିତାଙ୍କ ଅଭିଭାଷଣକୁ ପ୍ରଶଂସା କରି ଯୁବସମାଜକୁ ଜିଲ୍ଲା ତଥା ରାଜ୍ୟର ବିକାଶରେ ସକାରାତ୍ମକ ଭୂମିକା ନେବାକୁ ଆହ୍ୱାନ ଦେଇଥିଲେ।କାର୍ଯ୍ୟକ୍ରମରେ ସାଂସଦଙ୍କ ପ୍ରତିନିଧି ସମୀର ବାବୁ, ଏସ୍ଏମ୍ସି କମିଶନର, ବିଭିନ୍ନ ବିଭାଗୀୟ ଅଧିକାରୀ, ଗଣମାଧ୍ୟମ ପ୍ରତିନିଧି, କଲେଜ ଛାତ୍ରଛାତ୍ରୀ ଓ ଯୁବପିଢ଼ି ଉପସ୍ଥିତ ଥିଲେ।

