ସମ୍ବଲପୁର,୦୫/୧୧(ଉତ୍କଳ ସମାଚାର),(ସରୋଜ ସାହୁ): ସମ୍ବଲପୁର କ୍ଷେତ୍ରୀୟ ଡାକ ଅଦାଲତ ଆସନ୍ତା ନଭେମ୍ବର ୬ ତାରିଖ ଶୁକ୍ରବାର ପୂର୍ବାହ୍ନ ୧୧ଟା ସମୟରେ ସମ୍ବଲପୁରସ୍ଥିତ ପୋଷ୍ଟମାଷ୍ଟର ଜେନେରାଲଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହେବ। ଏହି ଅଦାଲତରେ ଡାକ ସେବା ସମ୍ପର୍କିତ ଅଭିଯୋଗର ସମାଧାନ ନିମନ୍ତେ ବ୍ୟବସ୍ଥା କରାଯାଇଛି।ଜନସାଧାରଣ ନିଜର ଅଭିଯୋଗ ପ୍ରଥମେ ଡିଭିଜନସ୍ତରୀୟ ଡାକ ଅଦାଲତରେ ଉପସ୍ଥାପନ କରିବେ। ସେଠାରୁ ଯଦି ସନ୍ତୋଷଜନକ ସମାଧାନ ନ ମିଳେ, ତେବେ କ୍ଷେତ୍ରୀୟ ଡାକ ଅଦାଲତରେ ଅଭିଯୋଗ ଦାଖଲ କରିପାରିବେ।ଅଭିଯୋଗକାରୀମାନେ ଡାକଘର କାରବାର ସମ୍ପର୍କିତ ଅଭିଯୋଗକୁ ତିନିକିତା କରି ଦାଖଲ କରିବାକୁ ହେବ। ଏଥିସହ ସମ୍ପୃକ୍ତ ଡାକଘରର ରସିଦ କିମ୍ବା ପ୍ରମାଣପତ୍ର, ଅଭିଯୋଗର ସମ୍ପୂର୍ଣ୍ଣ ବିବରଣୀ ଏବଂ ଅଭିଯୋଗକାରୀଙ୍କ ନାମ ସହ ସମ୍ପୂର୍ଣ୍ଣ ଡାକ ଠିକଣା ଦାଖଲ କରିବା ଆବଶ୍ୟକ।ଏହି ଅଭିଯୋଗଗୁଡ଼ିକ ସମ୍ପୃକ୍ତ ଡିଭିଜନର ଡାକଘର ସୁପରିଟେଣ୍ଡେଣ୍ଟ କିମ୍ବା ସହାୟକ ଡାକ ନିର୍ଦ୍ଦେଶକ, ପୋଷ୍ଟମାଷ୍ଟର ଜେନେରାଲଙ୍କ କାର୍ଯ୍ୟାଳୟ, ସମ୍ବଲପୁର-୭୬୮୦୦୧ ଠିକଣାରେ ନଭେମ୍ବର ୫ ତାରିଖ ସୁଦ୍ଧା ପହଞ୍ଚିବା ଆବଶ୍ୟକ।
ଅନ୍ୟପକ୍ଷରେ, ଡାକ ସେବା ସହ ଅସମ୍ପର୍କିତ ଅଭିଯୋଗ ଯଥା ଡାକଘର ସ୍ଥାପନ, ନୂତନ ପଦ ସୃଷ୍ଟି, ଡାକଘରର ଭଡ଼ା କିମ୍ବା ଘରଭଡ଼ା ଆଦି ଡାକ ଅଦାଲତର ବିଚାର ପରିସରଭୁକ୍ତ ନୁହେଁ। ତେଣୁ ଏଭଳି ଅଭିଯୋଗ ନ ପଠାଇବାକୁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି।
ନଭେମ୍ବର ୫ ତାରିଖ ପରେ ମିଳୁଥିବା ଅଭିଯୋଗଗୁଡ଼ିକ ବିଚାରକୁ ନିଆଯିବ ନାହିଁ ବୋଲି ସୂଚନା ଦିଆଯାଇଛି।
