ସମ୍ବଲପୁର,୦୯/୧୧(ଉତ୍କଳ ସମାଚାର),(ସରୋଜ ସାହୁ): ଅସହାୟ ଓ ଗରିବ ପରିବାରଙ୍କ ଦିବଂଗତ ସଦସ୍ୟଙ୍କ ଅସ୍ଥି ବିସର୍ଜନ ପାଇଁ ଚାଲିଥିବା ‘ଭଗୀରଥ ସାମୂହିକ ଅସ୍ଥି ବିସର୍ଜନ ଅଭିଯାନ’ର ପଞ୍ଚମ ପର୍ଯ୍ୟାୟରେ ଆଉ ୧୦୦ ଜଣଙ୍କ ଅସ୍ଥି ପ୍ରୟାଗରାଜସ୍ଥିତ ପବିତ୍ର ତ୍ରିବେଣୀ ସଙ୍ଗମରେ ବିସର୍ଜନ କରାଯାଇଛି।ବିତ୍ର କାର୍ତ୍ତିକ ମାସ ଅବସରରେ ଗତ ୫ ତାରିଖରେ ବରିଷ୍ଠ ସାମ୍ବାଦିକ ପ୍ରଫୁଲ୍ଲ କୁମାର ଦାଶ ତ୍ରିବେଣୀ ସଙ୍ଗମରେ ବିଧିବଦ୍ଧ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରି ଏହି ଅସ୍ଥିଗୁଡ଼ିକୁ ବିସର୍ଜନ କରିଥିଲେ। ଅବିଭକ୍ତ ସମ୍ବଲପୁର ଜିଲ୍ଲାର ବିଭିନ୍ନ ଗ୍ରାମର ଗରିବ ପରିବାରଗୁଡ଼ିକ ନିଜ ପ୍ରିୟଜନଙ୍କ ଅସ୍ଥିକୁ ଆଶା, ବିଶ୍ୱାସ ଓ ଆସ୍ଥାର ସହ ଏହି ଅଭିଯାନକୁ ହସ୍ତାନ୍ତର କରିଥିଲେ।ଏହି ମହତ୍ କାର୍ଯ୍ୟରେ ବିଶିଷ୍ଟ ହୋମିଓପାଥି ଚିକିତ୍ସକ ଡା. ରାମଚରଣ ପ୍ରଧାନଙ୍କ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ଆଗାମୀ ଦିନରେ ଏହି ମାନବୀୟ ଅଭିଯାନରେ ସାମିଲ ହେବାକୁ ସମସ୍ତଙ୍କୁ ବିନମ୍ର ନିବେଦନ କରାଯାଇଛି।ପ୍ରକାଶ ଥାଉକି, ଗତ ୨୦୨୫ ଜାନୁଆରୀ ୧୦ ତାରିଖରେ ଶ୍ରୀ ଦାଶ ଏହି ଅଭିଯାନ ଅନ୍ତର୍ଗତ ୩୫୬ ଜଣଙ୍କ ଅସ୍ଥି ତ୍ରିବେଣୀ ସଙ୍ଗମରେ ବିସର୍ଜନ କରିବାର ସୌଭାଗ୍ୟ ଲାଭ କରିଥିଲେ। ଏହି ସାମୂହିକ ଅସ୍ଥି ବିସର୍ଜନ ଅଭିଯାନରେ ବର୍ତ୍ତମାନ ସୁଦ୍ଧା ମୋଟ ୧୨୯୮ ଜଣଙ୍କ ଅସ୍ଥି ପବିତ୍ର ତ୍ରିବେଣୀ ସଙ୍ଗମରେ ବିସର୍ଜନ କରାଯାଇଥିବା ଶ୍ରୀ ଦାଶ ସୂଚନା ଦେଇଛନ୍ତି।

