ସମ୍ବଲପୁର,୦୯/୧୧(ଉତ୍କଳ ସମାଚାର),(ସରୋଜ ସାହୁ):ପବିତ୍ର ଦୀପାବଳି ଅବସରରେ ନୀଲଡୁଙ୍ଗରିସ୍ଥିତ ମା’ ପୁଞ୍ଜିପଥରଙ୍କ ପୀଠରେ ପାରମ୍ପରିକ କରମା ଯାତ୍ରା ମହାଆଡ଼ମ୍ବରରେ ଆୟୋଜିତ ହୋଇଯାଇଛି। ଏହି ଉତ୍ସବରେ ଲୋକକଳା, ଲୋକସଂସ୍କୃତି ଓ ଗ୍ରାମୀଣ ପରମ୍ପରାର ଅନନ୍ୟ ଝଲକ ଦେଖିବାକୁ ମିଳିଥିଲା।ବିଶ୍ୱନାଥ ପଧାନ ଓ ଡିଲେଶ୍ୱର ସାହୁଙ୍କ ଆୟୋଜନରେ ଏବଂ ଦିଲ୍ଲୀପ ବଢ଼ାଇ, କାବୁଲି ପଣ୍ଡା ଓ ସୁଶୀଲ ମିର୍ଦ୍ଧାଙ୍କ ସହଯୋଗରେ ଏହି ଯାତ୍ରା ଅନୁଷ୍ଠିତ ହୋଇଥିଲା। ଉତ୍ସବକୁ ସ୍ୱର୍ଗତ ସୀତାରାମ ପଧାନ ଓ ସ୍ୱର୍ଗତ ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ପବିତ୍ର ସ୍ମୃତି ଉଦ୍ଦେଶ୍ୟରେ ସମର୍ପିତ କରାଯାଇଥିଲା।ଏହି ଅବସରରେ କରମା ନୃତ୍ୟଶିଳ୍ପୀ ଭାସ୍କର ପଧାନ, ତପେନ୍ଦ୍ର ପଧାନ, ଚକ୍ରଧର ପଧାନ ଓ ଉପିନ୍ଦ୍ର ବାଗ ନିଜର ଚମତ୍କାର ନୃତ୍ୟକଳା ପ୍ରଦର୍ଶନ କରିଥିଲେ। ପାରମ୍ପରିକ ବାଦ୍ୟର ତାଳେ ତାଳେ କରମା ନୃତ୍ୟର ଆକର୍ଷଣୀୟ ପରିବେଷଣ ଉପସ୍ଥିତ ଲୋକଙ୍କ ମନ ମୋହିଥିଲା। ଏଥିସହ ଉତ୍ସବସ୍ଥଳରେ ଆନନ୍ଦ ଓ ଉତ୍ସାହର ପରିବେଶ ସୃଷ୍ଟି ହୋଇଥିଲା।କରମା ନୃତ୍ୟ କେବଳ ମନୋରଞ୍ଜନର ମାଧ୍ୟମ ନୁହେଁ, ବରଂ ଏହା ଆଦିବାସୀ ଓ ଗ୍ରାମୀଣ ଜୀବନର ପରମ୍ପରା, ସାମୂହିକ ଏକତା ଏବଂ ସାଂସ୍କୃତିକ ପରିଚୟର ଏକ ଅମୂଲ୍ୟ ପ୍ରତୀକ। ଏଭଳି ସାଂସ୍କୃତିକ ଆୟୋଜନ ମାଧ୍ୟମରେ ଆମ ମାଟିର ଲୋକକଳା ଓ ପରମ୍ପରାକୁ ସୁରକ୍ଷିତ ରଖିବା ସହ ଆଗାମୀ ପିଢ଼ି ନିକଟରେ ପହଞ୍ଚାଇବାର ଏକ ପ୍ରଶଂସନୀୟ ପ୍ରୟାସ କରାଯାଇଛି।

