ରାଉରକେଲା ୯/୧୧,(ଉତ୍କଳ ସମାଚାର) ରାଉରକେଲା ସହର ସମେତ ଇସ୍ପାତ ସହରାଞ୍ଚଳର ବିଭିନ୍ନ କାଳୀ ମନ୍ଦିର ସମେତ ବିଭିନ୍ନ କାଳୀ ପୂଜା କମିଟି ପକ୍ଷରୁ ମା କାଳୀଙ୍କ ମୃଣ୍ମୟ ପ୍ରତିମା ପୂଜା ବିଳମ୍ବିତ ରାତିରୁ ଆରମ୍ଭ ହୋଇଯାଇଛି। ପଣ୍ଡିତମାନେ ମନ୍ତ୍ର ଉଚ୍ଚାରଣ କରି ମା କାଳୀଙ୍କୁ ରୀତିନୀତି ଅନୁଯାୟୀ ପୂଜା କରିଥିଲେ। ବିଶେଷକରି ରେଲୱେ କଲୋନୀ ସ୍ଥିତ କାଳୀ ମନ୍ଦିରର ପୁରୋହିତ ମା କାଳୀଙ୍କୁ ରୀତିନୀତି ଅନୁଯାୟୀ ପୂଜା କରିଥିଲେ। କାଳୀ ପୂଜାକୁ ନେଇ ମନ୍ଦିର ପରିସରରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ପାନପୋଷ କାଳୀ ମନ୍ଦିର ସହିତ ଇସ୍ପାତ ସହରର କାଳୀ ମନ୍ଦିରରେ ମଧ୍ୟ ମାଙ୍କ ପୂଜା କରାଯାଇଥିଲା। ରାଉରକେଲା ସହରର ଡେଲି ମାର୍କେଟ କାଳୀ ପୂଜା କମିଟି ପକ୍ଷରୁ ରୀତିନୀତି ଅନୁଯାୟୀ ମା’ଙ୍କ ପୂଜା କରାଯାଇଛି। ପୂଜା କମିଟିର ପଦାଧିକାରୀଙ୍କ ସମେତ ବରିଷ୍ଠ ସଦସ୍ୟମାନେ ପୂଜାରେ ଅଂଶଗ୍ରହଣ କରିଥିଲେ। ସେହିପରି ବିରଜାପାଲି କାଳୀ ପୂଜା କମିଟି ପକ୍ଷରୁ ମାଙ୍କ ପୂଜା କରାଯାଇଥିଲା। ଏକ ବିଶାଳ ତୋରଣ ସହିତ ବିଦ୍ୟୁତ ଆଲୋକରେ ସାଜସଜ୍ଜା କରାଯାଇଛି। ସେହିପରି ଉଦିତନଗର ସୁପରମାର୍କେଟ୍ କାଳୀ ପୂଜା କମିଟି ପକ୍ଷରୁ ମାଙ୍କ ପୂଜା କରାଯାଇଥିଲା। ବିଭିନ୍ନ କାଳୀ ପୂଜା କମିଟି ପକ୍ଷରୁ ମାଙ୍କ ପୂଜା ପରେ ଭକ୍ତମାନଙ୍କ ମଧ୍ୟରେ ପ୍ରସାଦ ମଧ୍ୟ ବଣ୍ଟନ କରାଯାଇଥିଲା।

