ସମ୍ବଲପୁର,୦୯/୧୧(ଉତ୍କଳ ସମାଚାର),(ସରୋଜ ସାହୁ): ହୀରାକୁଦ ଜଳଭଣ୍ଡାର କୂଳରେ ଥିବା ଡେବ୍ରିଗଡ଼ ଅଭୟାରଣ୍ୟରେ ପୁଣି ମହାବଳ ବାଘର ଉପସ୍ଥିତି ଚିହ୍ନଟ ହୋଇଛି। କ୍ୟାମେରା ଟ୍ରାପ୍ରେ ବାଘର ଚିତ୍ର କଏଦ ହେବା ସହ ବନ କର୍ମଚାରୀମାନେ ମଧ୍ୟ ଏହାକୁ ଦେଖିଥିବା ଜଣାପଡ଼ିଛି। ହୀରାକୁଦ ବନ୍ୟପ୍ରାଣୀ ଡିଭିଜନର ଡିଏଫ୍ଓ ଅଂଶୁ ପ୍ରଜ୍ଞା ଦାସଙ୍କ ସୂଚନା ଅନୁସାରେ, ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଦେଚୁଆଁ-ଲଖନପୁର ଜଙ୍ଗଲ ରାସ୍ତା ଦେଇ ବାଘଟି ଡେବ୍ରିଗଡ଼କୁ ପ୍ରବେଶ କରିଛି। ବାଘର ପରିଚୟ, ଲିଙ୍ଗ ଓ ଉତ୍ପତ୍ତି ସମ୍ପର୍କରେ ଜାଣିବା ପାଇଁ ଏନ୍ଟିସିଏ ଏବଂ ୱାଇଲ୍ଡଲାଇଫ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆକୁ ଫଟୋ ପଠାଯିବ। ବାଘର ଗତିବିଧି ଉପରେ ନଜର ରଖିବାକୁ ୧୦୦ଟି କ୍ୟାମେରା ଟ୍ରାପ୍ ଲଗାଯାଇଥିବା ବେଳେ ୨୭ଟି ବନ ବିଭାଗୀୟ ଟିମ୍ ନିୟୋଜିତ ହୋଇଛନ୍ତି।ଏହି ଘଟଣା ପରେ ଡେବ୍ରିଗଡ଼ରେ ବନ୍ୟଜନ୍ତୁ ସୁରକ୍ଷା ଓ ନିରୀକ୍ଷଣ ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯାଇଛି

