ସମ୍ବଲପୁର,୦୯/୧୧(ଉତ୍କଳ ସମାଚାର),(ସରୋଜ ସାହୁ): ସମ୍ବଲପୁର ମାଟିର ସୁଯୋଗ୍ୟ ସନ୍ତାନ ତଥା ଭାରତୀୟ ସେନାର ମେଜର ଅମ୍ରିତ ପଣ୍ଡା ନିଜର ଅସାଧାରଣ ଦକ୍ଷତା, ସାହସ ଓ ନିଷ୍ଠା ବଳରେ ଏକ ବିରଳ ବିଶ୍ୱ କୀର୍ତ୍ତିମାନ ସ୍ଥାପନ କରି ସମଗ୍ର ଓଡ଼ିଶାକୁ ଗୌରବାନ୍ୱିତ କରିଛନ୍ତି। ମୋଟରସାଇକେଲ୍ର ହ୍ୟାଣ୍ଡେଲ୍ ନ ଧରି ଛିଡ଼ା ହୋଇ ଲଗାତାର ୧୫୪ କିଲୋମିଟର (୯୫.୬୯ ମାଇଲ) ଯାତ୍ରା କରି ସେ ଗିନିଜ୍ ବୁକ୍ ଅଫ୍ ୱାର୍ଲଡ୍ ରେକର୍ଡସରେ ନିଜ ନାମ ସାମିଲ କରିଛନ୍ତି। ତାଙ୍କର ଏହି ଐତିହାସିକ ସଫଳତା ପରେ ସମ୍ବଲପୁର ସମେତ ସମଗ୍ର ରାଜ୍ୟରେ ଆନନ୍ଦ ଓ ଗର୍ବର ଲହରୀ ଖେଳିଯାଇଛି। ଗତ ନଭେମ୍ବର ୬ ତାରିଖରେ ବାଙ୍ଗାଲୋରସ୍ଥିତ ଆର୍ମି ସର୍ଭିସ୍ କର୍ପସ୍ (ସାଉଥ୍) ପରିସରରେ ମେଜର ଅମ୍ରିତ ଏହି ଅସାଧାରଣ କୀର୍ତ୍ତିମାନ ହାସଲ କରିଥିଲେ। ଭାରତୀୟ ସେନାର ପ୍ରସିଦ୍ଧ ‘ଏଏସ୍ସି ଟର୍ଣ୍ଣାଡୋ’ ଦଳର ମୁଖ୍ୟ ଭାବେ ସେ ପୂର୍ବରୁ ଦେଶର ବିଭିନ୍ନ ସ୍ଥାନରେ ଅନେକ ଦୁଃସାହସିକ ଦଳଗତ ଟରସାଇକେଲ୍ ପ୍ରଦର୍ଶନ ଓ ଅଭିଯାନର ନେତୃତ୍ୱ ନେଇ ନିଜର ଦକ୍ଷତା ଏବଂ ନେତୃତ୍ୱର ପରିଚୟ ଦେଇଆସିଛନ୍ତି।ଉଲ୍ଲେଖଯୋଗ୍ୟ ଯେ, ଏହି ବିଶ୍ୱ ରେକର୍ଡ ପୂର୍ବରୁ ଏଏସ୍ସି ଟର୍ଣ୍ଣାଡୋ ଦଳର ସଦସ୍ୟ ଅଭିଜିତ ସିଂହ ଗ୍ରେୱାଲଙ୍କ ନାମରେ ରହିଥିଲା। ୨୦୨୨ ଡିସେମ୍ବର ୪ ତାରିଖରେ ସେ ଛିଡ଼ା ହୋଇ ୧୦୭.୯୨ କିଲୋମିଟର ବାଇକ୍ ଚଳାଇ ଏହି କୀର୍ତ୍ତିମାନ ସ୍ଥାପନ କରିଥିଲେ। ମାତ୍ର ମେଜର ଅମ୍ରିତ ୧୫୪ କିଲୋମିଟର ଯାତ୍ରା କରି ପୂର୍ବ ରେକର୍ଡକୁ ଅତିକ୍ରମ କରିବା ସହ ନୂଆ ଇତିହାସ ରଚିଛନ୍ତି।ମେଜର ଅମ୍ରିତ ପଣ୍ଡା ସମ୍ବଲପୁରର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ମାର୍ଗସ୍ଥିତ ଧୁଚୁରାପଡ଼ା ନିବାସୀ ବିଜୟ ପଣ୍ଡା ଓ ପୁଷ୍ପାରାଣୀ ପଣ୍ଡାଙ୍କ ସୁପୁତ୍ର। ସେ ବରିଷ୍ଠ ସାମ୍ବାଦିକ ଅର୍ଜୁନ ରଞ୍ଜନ ପଣ୍ଡାଙ୍କ ନାତି ଏବଂ ବିଶିଷ୍ଟ ଐତିହାସିକ ଦୀପକ କୁମାର ପଣ୍ଡାଙ୍କ ପୁତୁରା। ତାଙ୍କର ଏହି ଅପୂର୍ବ ସଫଳତାରେ ପରିବାର, ଆତ୍ମୀୟସ୍ୱଜନ, ବନ୍ଧୁବାନ୍ଧବ ଓ ଶୁଭେଚ୍ଛୁମାନଙ୍କ ମଧ୍ୟରେ ଖୁସିର ପରିବେଶ ସୃଷ୍ଟି ହୋଇଛି। ସେନାରେ ନିଜର କର୍ତ୍ତବ୍ୟନିଷ୍ଠା ସହ ଅସାଧାରଣ କ୍ରୀଡ଼ା ଦକ୍ଷତାର ପରିଚୟ ଦେଇ ମେଜର ଅମ୍ରିତ ପଣ୍ଡା ଆଜି ସମ୍ବଲପୁର ତଥା ଓଡ଼ିଶାର ଗର୍ବ ଓ ଗୌରବ ପାଲଟିଛନ୍ତି। ତାଙ୍କର ଏହି ଐତିହାସିକ ଉପଲବ୍ଧି ଯୁବପିଢ଼ିଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ।

