ସମ୍ବଲପୁର,୦୯/୧୧(ଉତ୍କଳ ସମାଚାର),(ସରୋଜ ସାହୁ): ସମ୍ବଲପୁରର ବରିଷ୍ଠ ସାମ୍ବାଦିକ ବିପିନ ବିହାରୀ ମିଶ୍ରଙ୍କର ରବିବାର ଭୋର ପ୍ରାୟ ୪ଟା ସମୟରେ ଭୁବନେଶ୍ୱରଠାରେ ପରଲୋକ ଘଟିଛି। ସେ ଦୀର୍ଘଦିନ ଧରି ଅସୁସ୍ଥ ଥିବାବେଳେ ଚିକିତ୍ସାଧୀନ ଅବସ୍ଥାରେ ଶେଷନିଶ୍ୱାସ ତ୍ୟାଗ କରିଥିଲେ। ତାଙ୍କ ବିୟୋଗରେ ସାମ୍ବାଦିକ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି। ସ୍ୱର୍ଗତ ମିଶ୍ରଙ୍କ ମରଶରୀରକୁ ସମ୍ବଲପୁରସ୍ଥିତ କଟରଧୁଆ ବାସଭବନକୁ ଅଣାଯିବା ପରେ ସେଠାରୁ ଏକ ଶୋକାକୁଳ ପରିବେଶରେ ଶେଷଯାତ୍ରା ବାହାରିଥିଲା। ସ୍ଥାନୀୟ ରାଜଘାଟଠାରେ ଅପରାହ୍ନରେ ତାଙ୍କର ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଥିଲା। ପୁତ୍ର ରୁଦ୍ରପ୍ରତାପ ମିଶ୍ର ମୁଖାଗ୍ନି ଦେଇଥିଲେ। ଏହି ସମୟରେ ତାଙ୍କ ଭାଇ, ବନ୍ଧୁବାନ୍ଧବ, ଆତ୍ମୀୟସ୍ୱଜନ ଓ ସହକର୍ମୀମାନେ ଉପସ୍ଥିତ ରହି ଶେଷ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ମୃତ୍ୟୁବେଳକୁ ସେ ପତ୍ନୀ ଓ ଏକମାତ୍ର ପୁତ୍ରଙ୍କୁ ଛାଡ଼ି ଯାଇଛନ୍ତି।ସ୍ୱର୍ଗତ ବିପିନ ବିହାରୀ ମିଶ୍ର ‘ଯୁବ ମୋର୍ଚ୍ଚା’ ଖବରକାଗଜର ଜିଲ୍ଲା ପ୍ରତିନିଧି ଭାବେ କାର୍ଯ୍ୟ କରୁଥିଲେ। ଏହା ସହିତ ସେ ଦୀର୍ଘଦିନ ଧରି ଦୈନିକ ‘ଦିନଲିପି’ର ଜିଲ୍ଲା ପ୍ରତିନିଧି ଭାବେ ମଧ୍ୟ ସାମ୍ବାଦିକତା କରିଥିଲେ। ସେ ‘ଦୁର୍ବୁଦ୍ଧି’ ନାମକ ମାସିକ ପତ୍ରିକାର ସମ୍ପାଦକ ଓ ପ୍ରକାଶକ ଭାବେ ସାହିତ୍ୟ ଓ ସାମ୍ବାଦିକତା କ୍ଷେତ୍ରରେ ନିଜର ଅବଦାନ ରଖିଥିଲେ।ନିରପେକ୍ଷ ସାମ୍ବାଦିକତା ଓ ସମାଜ ପ୍ରତି ତାଙ୍କର ନିଷ୍ଠା ତାଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଥିଲା। ତାଙ୍କ ବିୟୋଗରେ ସମ୍ବଲପୁରର ସାମ୍ବାଦିକତା ଓ ସାହିତ୍ୟ ଜଗତ ଜଣେ ଅଭିଜ୍ଞ ସାମ୍ବାଦିକ ତଥା ସାହିତ୍ୟପ୍ରେମୀଙ୍କୁ ହରାଇଛି। ତାଙ୍କର ଅବଦାନ ଚିରସ୍ମରଣୀୟ ହୋଇ ରହିବ

