ସମ୍ବଲପୁର,୧୦/୧୧(ଉତ୍କଳ ସମାଚାର),(ସରୋଜ ସାହୁ):ଦେଶର ସ୍ୱାଧୀନତା କେବଳ ଏକ ରାଜନୈତିକ ବିଜୟ ନଥିଲା; ଏହା ଥିଲା ଅସଂଖ୍ୟ ଦେଶପ୍ରେମୀଙ୍କ ତ୍ୟାଗ, ତିତିକ୍ଷା, କାରାବରଣ ଓ ଅକ୍ଳାନ୍ତ ସଂଘର୍ଷର ଫଳ। ସେହି ମହାନ ସଂଗ୍ରାମରେ ସମ୍ବଲପୁର ମାଟିର ସୁଯୋଗ୍ୟ ସନ୍ତାନ ଭାଗିରଥି ପଟ୍ଟନାୟକଙ୍କ ଅବଦାନ ଚିରସ୍ମରଣୀୟ। ବ୍ୟକ୍ତିଗତ ସ୍ୱାର୍ଥ ଓ ସୁଖସ୍ୱାଚ୍ଛନ୍ଦ୍ୟକୁ ଜଳାଞ୍ଜଳି ଦେଇ ଦେଶମାତୃକାର ମୁକ୍ତି, ସାମାଜିକ ସଂସ୍କାର ଓ ମାନବସେବାକୁ ଜୀବନର ବ୍ରତ ଭାବେ ଗ୍ରହଣ କରିଥିବା ଏହି ମହାନ ସଂଗ୍ରାମୀଙ୍କ ଜୟନ୍ତୀ ଓଡ଼ିଶା ସାଂସ୍କୃତିକ ସମାଜ ଆନୁକୂଲ୍ୟରେ ଶ୍ରଦ୍ଧା ଓ ସମ୍ମାନର ସହ ପାଳିତ ହୋଇଯାଇଛି।ଅନୁଷ୍ଠାନର ସଭାପତି ଅଶୋକ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଜୟନ୍ତୀ ସଭାରେ ବରିଷ୍ଠ ସାମ୍ବାଦିକ ତଥା ସୁବକ୍ତା ଶିବଶଙ୍କର ନନ୍ଦ ମୁଖ୍ୟବକ୍ତା ଏବଂ ଭାଗିରଥି ପଟ୍ଟନାୟକଙ୍କ ନାତୁଣୀବୋହୂ ଶ୍ରୀମତୀ ସଲୀଳା ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସଂଗ୍ରାମୀଙ୍କ ଜୀବନାଦର୍ଶ ଓ ଅବଦାନର ସ୍ମୃତିଚାରଣ କରିଥିଲେ।ମୁଖ୍ୟବକ୍ତା ଶ୍ରୀ ନନ୍ଦ କହିଥିଲେ ଯେ, ମହାପୁରୁଷଙ୍କ ଜୟନ୍ତୀ ପାଳନ କେବଳ ପୁଷ୍ପମାଲ୍ୟ ଅର୍ପଣ ଓ ସ୍ମୃତିଚାରଣରେ ସୀମିତ ରହିବା ଉଚିତ ନୁହେଁ। ସେମାନଙ୍କ ଜୀବନରୁ କିଛି ଶିଖି ତାହାକୁ ନିଜ ଆଚରଣ ଓ ସାମାଜିକ ଜୀବନରେ ପ୍ରତିଫଳିତ କରିପାରିଲେ ହିଁ ଜୟନ୍ତୀ ଉତ୍ସବର ପ୍ରକୃତ ସାର୍ଥକତା ପ୍ରତିପାଦିତ ହେବ। ଭାଗିରଥି ପଟ୍ଟନାୟକ ଥିଲେ ଏ ଅଞ୍ଚଳର ପ୍ରଥମ ରାଜନୈତିକ ବନ୍ଦୀ। ଗାନ୍ଧିଜୀଙ୍କ ଆନ୍ଦୋଳନ ପୂର୍ବରୁ ହିଁ ଇଂରେଜ ଶାସନର ଅନ୍ୟାୟ ଓ ଅତ୍ୟାଚାର ବିରୋଧରେ ସ୍ୱର ଉତ୍ତୋଳନ କରି ସେ କାରାବରଣ କରିଥିଲେ। ଏହା ତାଙ୍କ ନିର୍ଭୀକ ଦେଶପ୍ରେମ ଓ ଅସାଧାରଣ ସାହସର ପରିଚୟ ବହନ କରେ। ଖଦି ଆନ୍ଦୋଳନ ଓ ଅସ୍ପୃଶ୍ୟତା ନିବାରଣ ଭଳି ସାମାଜିକ ସଂସ୍କାରମୂଳକ କାର୍ଯ୍ୟରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ। ଏ ଅଞ୍ଚଳର ମହିଳାମାନଙ୍କୁ ସ୍ୱାଧୀନତା ସଂଗ୍ରାମରେ ସାମିଲ ହେବାକୁ ପ୍ରେରିତ କରିବା ସହ ନାରୀ ଜାଗରଣରେ ତାଙ୍କର ଅବଦାନ ମଧ୍ୟ ଉଲ୍ଲେଖନୀୟ ଥିଲା। ଗାନ୍ଧିଜୀଙ୍କ ଦ୍ୱାରା ପରିଚାଳିତ ବିଭିନ୍ନ ଆନ୍ଦୋଳନରେ ଭାଗିରଥି ପଟ୍ଟନାୟକଙ୍କ ସକ୍ରିୟ ଅଂଶଗ୍ରହଣ ଓଡ଼ିଶାର ସ୍ୱାଧୀନତା ସଂଗ୍ରାମ ଇତିହାସରେ ଏକ ବିରଳ ଅଧ୍ୟାୟ ବୋଲି ସେ ମତବ୍ୟକ୍ତ କରିଥିଲେ।ସ୍ୱାଧୀନତା ପ୍ରାପ୍ତି ପରେ ମଧ୍ୟ ତାଙ୍କର ସମାଜସେବାର ଧାରା ବନ୍ଦ ହୋଇନଥିଲା। ସେ ଭୂଦାନ ଆନ୍ଦୋଳନରେ ଯୋଗଦେଇ ସମାଜର ଦୁର୍ବଳ ଓ ଅବହେଳିତ ବର୍ଗଙ୍କ ଉନ୍ନତି ପାଇଁ ନିଜକୁ ଉତ୍ସର୍ଗ କରିଥିଲେ। ଦେଶର ସ୍ୱାଧୀନତା ଓ ସମାଜର ମଙ୍ଗଳ ପାଇଁ ତାଙ୍କ ପରିବାରର ତ୍ୟାଗ ଓ ଅବଦାନ ମଧ୍ୟ ଅବିସ୍ମରଣୀୟ ବୋଲି ଶ୍ରୀ ନନ୍ଦ ଉଲ୍ଲେଖ କରିଥିଲେ।ସେ ଆହୁରି କହିଥିଲେ ଯେ, ଯେଉଁ ମହାପୁରୁଷମାନେ ନିଜର ସର୍ବସ୍ୱ ତ୍ୟାଗ କରି ଦେଶକୁ ସ୍ୱାଧୀନତାର ଆଲୋକ ଦେଖାଇଥିଲେ, ସେମାନଙ୍କ ଆଦର୍ଶକୁ ଆଜିର ପିଢ଼ି ହୃଦୟଙ୍ଗମ କରିବା ଆବଶ୍ୟକ। ‘ମୁଁ’ ଓ ‘ମୋର’ର ସଂକୀର୍ଣ୍ଣ ପରିଧିରୁ ବାହାରି ବୃହତ୍ତର ସମାଜ ଓ ଦେଶର ସ୍ୱାର୍ଥ ପାଇଁ ଚିନ୍ତା କରିବା ହିଁ ତାଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ବୋଲି ସେ ଆହ୍ୱାନ ଦେଇଥିଲେ।ପ୍ରାରମ୍ଭରେ ଅନୁଷ୍ଠାନର ସମ୍ପାଦକ ତାପସ ଦାସ ସ୍ୱାଗତ ଭାଷଣ ସହ ସଭାର ଉଦ୍ଦେଶ୍ୟ ଓ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ବରିଷ୍ଠ ସଦସ୍ୟ ଅଖିଳ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ

