ସମ୍ବଲପୁର,୧୦/୧୧(ଉତ୍କଳ ସମାଚାର),(ସରୋଜ ସାହୁ):ରାଜ୍ୟର ଯୋଗ୍ୟ ହିତାଧିକାରୀଙ୍କୁ ସାମାଜିକ ସୁରକ୍ଷା ପେନସନ ଯୋଜନାର ଲାଭ ସହଜ ଓ ସ୍ୱଚ୍ଛ ଭାବେ ପହଞ୍ଚାଇବା ଲକ୍ଷ୍ୟରେ ରାଜ୍ୟ ସରକାର ୟୁନିଫାଏଡ୍ ପେନସନ ମ୍ୟାନେଜମେଣ୍ଟ ପୋର୍ଟାଲ (ୟୁପିଏମପି) ଶୁଭାରମ୍ଭ କରିଛନ୍ତି। ଏଥିସହ ମଧୁବାବୁ ପେନସନ ଯୋଜନାରେ ସାଚୁରେସନ ମୋଡ୍ ବ୍ୟବସ୍ଥା ଲାଗୁ ହୋଇଛି। ଫଳରେ ପ୍ରତ୍ୟେକ ଯୋଗ୍ୟ ବ୍ୟକ୍ତି ଯେପରି ପେନସନ ସୁବିଧାରୁ ବଞ୍ଚିତ ନହୁଅନ୍ତି, ସେଥିପାଇଁ ପଦକ୍ଷେପ ନିଆଯାଇଛି।ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସମଗ୍ର ଶିକ୍ଷା ସମ୍ମିଳନୀ କକ୍ଷରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ (ଡିଏସଏସଓ) ସୌରଚନ୍ଦ୍ର ପାଣି ସୂଚନା ଦେଇଛନ୍ତି। ନୂତନ ନିୟମ ଅନୁଯାୟୀ, ପେନସନ ପ୍ରଦାନ ପାଇଁ ଆଉ କୌଣସି ନିର୍ଦ୍ଦିଷ୍ଟ ଲକ୍ଷ୍ୟ ବା କୋଟା ରହିବ ନାହିଁ। ଯୋଗ୍ୟ ଆବେଦନକାରୀ ଆବେଦନ କରିବାର ଏକ ମାସ ମଧ୍ୟରେ ପେନସନ ପାଇପାରିବେ।ସେହିପରି ଗ୍ରାମାଞ୍ଚଳରେ ବିଡିଓ ଏବଂ ସହରାଞ୍ଚଳରେ ଡେପୁଟି କମିଶନରଙ୍କୁ ପେନସନ ମଞ୍ଜୁରୀ କ୍ଷମତା ପ୍ରଦାନ କରାଯାଇଛି। ଆଧାର କାର୍ଡ ଓ ଆୟ ପ୍ରମାଣପତ୍ର ମାଧ୍ୟମରେ ଆବେଦନକାରୀ ନିଜ ମୋବାଇଲ କିମ୍ବା ଯେକୌଣସି ଜନସେବା କେନ୍ଦ୍ରରୁ ନୂତନ ୟୁପିଏମପି ପୋର୍ଟାଲରେ ଅନଲାଇନ୍ ଆବେଦନ କରିପାରିବେ। ଏଣିକି ଅଫଲାଇନ୍ ଆବେଦନ ବ୍ୟବସ୍ଥା ସମ୍ପୂର୍ଣ୍ଣ ବନ୍ଦ ରହିବ ବୋଲି ଡିଏସଏସଓ ସ୍ପଷ୍ଟ କରିଛନ୍ତି।ଅନ୍ୟପକ୍ଷରେ, ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ (ଏନଏସଏପି) ଅଧୀନରେ ବ୍ୟାଙ୍କିଙ୍ଗ୍ ଓ ବୈଷୟିକ ସମସ୍ୟାର ସମାଧାନ ପାଇଁ ପେନସନ ବଣ୍ଟନରେ ହାଇବ୍ରିଡ୍ ମୋଡ୍ ଲାଗୁ କରାଯାଇଛି। ଏହା ଅନୁଯାୟୀ, କେନ୍ଦ୍ର ସରକାରଙ୍କ ଅଂଶଧନ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଡିବିଟି ମାଧ୍ୟମରେ ଯିବ ଏବଂ ରାଜ୍ୟ ସରକାରଙ୍କ ଅତିରିକ୍ତ ଅର୍ଥ ଗ୍ରାମପଞ୍ଚାୟତ ଓ ପୌରାଞ୍ଚଳ ସ୍ତରରେ ନଗଦ ଆକାରରେ ପ୍ରଦାନ କରାଯିବ। ଆସନ୍ତା ନଭେମ୍ବର ୨୫ ତାରିଖରେ ଅକ୍ଟୋବର ଓ ନଭେମ୍ବର ମାସର ରାଜ୍ୟ ଅଂଶ ନଗଦ ଆକାରରେ ପ୍ରଦାନ କରାଯିବ। ଡିସେମ୍ବର ମାସରୁ ପ୍ରତି ମାସ ୧୫ ତାରିଖରେ ଜନସେବା ଦିବସ ଅବସରରେ ଏହି ଅର୍ଥ ବଣ୍ଟନ କରାଯିବ। ନୂତନ ବ୍ୟବସ୍ଥା ଦ୍ୱାରା ପେନସନ ପ୍ରକ୍ରିୟା ଅଧିକ ସରଳ ଓ ତ୍ୱରିତ ହେବା ସହ ଯୋଗ୍ୟ ହିତାଧିକାରୀଙ୍କୁ ସମୟୋଚିତ ସହାୟତା ମିଳିପାରିବ

