ସମ୍ବଲପୁର,୧୦/୧୧(ଉତ୍କଳ ସମାଚାର),(ସରୋଜ ସାହୁ):ରୋଟାରୀ କ୍ଲବ୍ ବୁର୍ଲା ପକ୍ଷରୁ ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମ୍ଠାରେ ପୁରୁଷ ଓ ମହିଳା ବର୍ଗରେ ଆନ୍ତଃ-ଅନୁଷ୍ଠାନ ବ୍ୟାଡମିଣ୍ଟନ୍ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି। ଏଥିରେ ବିଭିନ୍ନ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଉତ୍ସାହର ସହ ଭାଗ ନେଇ ନିଜ କ୍ରୀଡ଼ା ଦକ୍ଷତା ପ୍ରଦର୍ଶନ କରିଥିଲେ। ଉଦ୍ଘାଟନୀ ସମାରୋହରେ ରୋଟାରୀ କ୍ଲବ୍ ବୁର୍ଲାର ସଭାପତି ପ୍ରଫେସର ମଳୟ ରଞ୍ଜନ ମହାନନ୍ଦ ଅଧ୍ୟକ୍ଷତା କରି ରୋଟାରୀର ମୂଳ ଲକ୍ଷ୍ୟ, ସାମାଜିକ ସେବା ଓ ସମାଜରେ ସକାରାତ୍ମକ ପରିବର୍ତ୍ତନ ଆଣିବାରେ ଏହାର ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ। ଯୁବପିଢ଼ିଙ୍କୁ କ୍ରୀଡ଼ା କ୍ଷେତ୍ରରେ ନେତୃତ୍ୱ ନେବାକୁ ମଧ୍ୟ ପ୍ରେରଣା ଦେଇଥିଲେ। ହିଣ୍ଡାଲକୋର ଏଚ୍ଆର୍ ଶ୍ରୀ ସମୀର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖେଳାଳିମାନଙ୍କୁ କ୍ରୀଡ଼ା ସହ ପାଠପଢ଼ାରେ ମଧ୍ୟ ଉତ୍କର୍ଷତା ହାସଲ କରିବାକୁ ଆହ୍ୱାନ ଦେଇଥିଲେ।ପ୍ରତିଯୋଗିତାର ଫଳାଫଳ ଅନୁଯାୟୀ, ପୁରୁଷ ଏକକରେ ଭିସୁଟ୍ର ରାହୁଲ ରାୟ ବିଜେତା ହୋଇଥିବା ବେଳେ ଜି.ଏମ୍. ବିଶ୍ୱବିଦ୍ୟାଳୟର ଅନୁରାଗ ବେହେରା ଉପବିଜେତା ହୋଇଥିଲେ। ମହିଳା ଏକକରେ ଆଇଆଇଏମ୍ ବିଜେତା ଓ ଭିସୁଟ୍ ଉପବିଜେତା ହୋଇଥିଲା। ପୁରୁଷ ଯୁଗଳରେ ଜି.ଏମ୍. ବିଶ୍ୱବିଦ୍ୟାଳୟର କ୍ଷିତୀଶ ପରିଡ଼ା ଓ ନିତ୍ୟାନନ୍ଦ ଦାଶଙ୍କ ଯୋଡ଼ି ବିଜୟୀ ହୋଇଥିବା ବେଳେ ଭିସୁଟ୍ର ଶୁଭମ୍ ସରକାର ଓ ଇ. କୁନାଲଙ୍କ ଯୋଡ଼ି ଉପବିଜେତା ହୋଇଥିଲେ। ମହିଳା ଯୁଗଳରେ ଆଇଆଇଏମ୍ ବିଜେତା ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଉପବିଜେତା ହୋଇଥିଲା।ସମାପନୀ ତଥା ପୁରସ୍କାର ବିତରଣ ସମାରୋହରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପରିଷଦର ସମ୍ପାଦକ ପ୍ରଫେସର ପ୍ରିୟବ୍ରତ ଗୋଚ୍ଛାୟତ ଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ କ୍ଲବ୍ର ଚାର୍ଟର ସଦସ୍ୟ ରୋଟାରିଆନ୍ ରାଜୁ ଜାଡୋଡ଼ିଆ ଓ ରୋଟାରିଆନ୍ ଏସ୍.ଏସ୍. କାବଲିଙ୍କ ସମେତ ଅଶୋକ ନାୟକ, ଶିବ ପାଢ଼ୀ, ଡି.କେ. କାପାନୀ, ଏ.ଟି. ରାଉତ, ପ୍ରଫେସର ବି.ବି. ମିଶ୍ର, ସୁମନ୍ତ ନାୟକ, ପ୍ରଫେସର ଶ୍ରୀବତ୍ସ ମହାପାତ୍ର, କାଳୁ ସ୍ୱାଇଁ, ପ୍ରଫେସର ଏସ୍.କେ. ସ୍ୱାଇଁ, ଡା. ଶର୍ମିଳା ଗର୍ଗନାୟକ, ଡା. ଶଶିଭୂଷଣ ବିଶ୍ୱାଳ, ପ୍ରଫେସର ଅଜୟ ବେହେରା ଓ ଆର୍.ସି. ଆଚାର୍ଯ୍ୟ ଉପସ୍ଥିତ ଥିଲେ।ପ୍ରଫେସର ସଞ୍ଜୟ ପଟ୍ଟନାୟକ ଓ ପ୍ରଫେସର ଦେବେନ୍ଦ୍ର ମଲ୍ଲିକଙ୍କ ମାର୍ଗଦର୍ଶନରେ ଏହି ଆୟୋଜନ ସଫଳ ହୋଇଥିଲା। ମ୍ୟାଚ୍ଗୁଡ଼ିକୁ ରେଫରି ଜୟନ୍ତ, ସୁଧାଂଶୁ ମହାପାତ୍ର, ଜଗେଶ୍ୱର, ସୌରଭ, ଅମୃତ, ପୁରୁ ଓ ସନତ ରଣବୀରା ସୁଚାରୁ ରୂପେ ପରିଚାଳନା କରିଥିଲେ। ପରିବେଶ ବିଜ୍ଞାନ ବିଭାଗର ଛାତ୍ର ଦିବ୍ୟ ରଞ୍ଜନ ବେହେରା, ସୌମ୍ୟ ରଞ୍ଜନ ବାରିକଙ୍କ ସମେତ ଅନ୍ୟ ଛାତ୍ରଛାତ୍ରୀ ସ୍ୱେଚ୍ଛାସେବୀ ଭାବେ ସହଯୋଗ କରିଥିଲେ। ଶେଷରେ କ୍ଲବ୍ର ସମ୍ପାଦକ ଡଃ ଆର୍. ପତି ଧନ୍ୟବାଦ ଅର୍ପଣ କରିଥିଲେ।

