ସମ୍ବଲପୁର,୧୦/୧୧(ଉତ୍କଳ ସମାଚାର),(ସରୋଜ ସାହୁ): ସମ୍ବଲପୁର ବନଖଣ୍ଡ ଅଧୀନ ରେଙ୍ଗାଲି ବନାଞ୍ଚଳ କାର୍ଯ୍ୟାଳୟର ସଭାଗୃହରେ ସୋମବାର ଏକଦିବସୀୟ ଗଜସାଥୀ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ବନାଞ୍ଚଳ ଅଧିକାରୀ ସୁଜାତା ପଟେଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଶିବିରରେ ୫୦ରୁ ଊର୍ଦ୍ଧ୍ୱ ଗଜସାଥୀ ତାଲିମ ଗ୍ରହଣ କରିଥିଲେ।ଶିବିରରେ ମୁଖ୍ୟ ଅତିଥି ଭାବେ ସମ୍ବଲପୁର ବନଖଣ୍ଡ କାର୍ଯ୍ୟାଳୟର ସହକାରୀ ବନ ସଂରକ୍ଷକ (ଏସିଏଫ୍) ରଣେନ୍ଦ୍ର କୁମାର ସ୍ୱାଇଁ, ସ୍ୱତନ୍ତ୍ର ଅତିଥି ଭାବେ ବିଶିଷ୍ଟ ପରିବେଶବିତ୍ ତଥା ପ୍ରକୃତିବନ୍ଧୁ ଡ. ବଂଶୀଧର କର ଏବଂ ସମ୍ମାନିତ ଅତିଥି ଭାବେ ରେଙ୍ଗାଲି ବିଦ୍ୟୁତ୍ ବିଭାଗର ଏସ୍ଡିଓ ପ୍ରତ୍ୟୁଷ କୁମାର ମିଶ୍ର ଓ ପ୍ରକୃତିବନ୍ଧୁ ଦାମୋଦର ମେହେର ଯୋଗଦେଇ ଶିବିରର ଉଦ୍ଘାଟନ କରିଥିଲେ।ଟିମ୍ ଲିଡର ଶିବ ଶଙ୍କର ବିଭାର କାର୍ଯ୍ୟକ୍ରମ ସଂଯୋଜନା କରିବା ସହ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ। ଶିବିରରେ ହାତୀ-ମଣିଷ ସଂଘର୍ଷ ହ୍ରାସ, ହାତୀମାନଙ୍କ ଚାଲିଚଳନ, ହାବଭାବ ଓ ଗତିପଥ ସମ୍ପର୍କରେ ସଚେତନତା, ବନ୍ୟପ୍ରାଣୀ ସୁରକ୍ଷା, ବନାଗ୍ନି ନିୟନ୍ତ୍ରଣ, ବିଦ୍ୟୁତ୍ ବିଭାଗ ସହ ସମନ୍ୱୟ ଏବଂ ଜନସଚେତନତା ଆଦି ବିଷୟରେ ବିସ୍ତୃତ ଆଲୋଚନା ହୋଇଥିଲା।ବକ୍ତାମାନେ ଗଜସାଥୀଙ୍କ ସାମାଜିକ ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ପର୍କରେ ବୁଝାଇବା ସହ ହାତୀଙ୍କ ପ୍ରତି ନିଷ୍ଠୁର ଆଚରଣ ନକରିବା ଏବଂ ସେମାନଙ୍କ ଗତିପଥରେ ବାଧା ସୃଷ୍ଟି ନକରିବାକୁ ଆହ୍ୱାନ ଦେଇଥିଲେ। ଦିନକୁ ଦିନ ହାତୀ-ମଣିଷ ସଂଘର୍ଷ ବୃଦ୍ଧି ପାଉଥିବା ନେଇ ଶିବିରରେ ଉଦ୍ବେଗ ପ୍ରକାଶ ପାଇଥିଲା। ଏହାର ନିରାକରଣ ପାଇଁ ସଚେତନତା ଓ ସମନ୍ୱିତ ପଦକ୍ଷେପ ଉପରେ ଗୁରୁତ୍ୱ ଦିଆଯାଇଥିଲା।କାର୍ଯ୍ୟକ୍ରମରେ ସବିତା ପଟେଲ, ଗୋଲେଖ ଗାଇଗରିଆ, ରଜନୀଗନ୍ଧା ବିଶ୍ୱାଳ, ହେମସାଗର ବିଶ୍ୱାଳ ଓ ପ୍ରଶାନ୍ତ କୁମାର ସାହୁ ସହଯୋଗ କରିଥିଲେ। ରେଙ୍ଗାଲି ରେଞ୍ଜ କାର୍ଯ୍ୟାଳୟର ସମସ୍ତ ବନପାଳ, ବନ କର୍ମଚାରୀ ଓ ସଂଯୋଜକ ଉପସ୍ଥିତ ଥିଲେ। ଶେଷରେ ଶିବ ଶଙ୍କର ବିଭାର ଧନ୍ୟବାଦ ଅର୍ପଣ କରିଥିଲେ।

