ସମ୍ବଲପୁର,୧୦/୧୧(ଉତ୍କଳ ସମାଚାର),(ସରୋଜ ସାହୁ): ଖୁସି, ଆନନ୍ଦ ଓ ଆଲୋକର ପର୍ବ ଦୀପାବଳିକୁ ନିଆରା ଢଙ୍ଗରେ ପାଳନ କରିଛି ଦିଲ୍ଲୀରେ ଅଧ୍ୟୟନରତ ଓଡ଼ିଆ ଛାତ୍ରଛାତ୍ରୀ ଓ ଗବେଷକମାନଙ୍କୁ ନେଇ ଗଠିତ ଓଡ଼ିଶା ଛାତ୍ର ସଂଗଠନ। ସଂଗଠନ ପକ୍ଷରୁ ‘ଦିଲ୍ ୱାଲୋ କା ଦିୱାଲୀ’ ନାମରେ ଏକ ମାନବିକତା ଓ ସେବାମୂଳକ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ରାସ୍ତାକଡ଼ରେ ରହୁଥିବା ଅସହାୟ ଶିଶୁ ଓ ଗରିବ ଲୋକଙ୍କ ସହ ଦୀପାବଳିର ଖୁସି ବାଣ୍ଟିଥିଲେ।ସାଧାରଣତଃ ଲୋକେ ନିଜ ପରିବାର ସହ ଘରେ ଦୀପାବଳି ପାଳନ କରୁଥିବା ବେଳେ ସଂଗଠନର କର୍ମକର୍ତ୍ତାମାନେ ସମାଜର ଅବହେଳିତ ଶିଶୁମାନଙ୍କ ମୁହଁରେ ହସ ଫୁଟାଇବା ପାଇଁ ଏହି ନିଆରା ପ୍ରୟାସ କରିଥିଲେ। ଏହି ଅବସରରେ ଶିଶୁମାନଙ୍କ ସହ ଦୀପ ପ୍ରଜ୍ଜ୍ୱଳନ କରିବା ସହ ମିଠା ବଣ୍ଟନ କରାଯାଇଥିଲା।ଏଥିସହ ଶିଶୁମାନଙ୍କୁ ଶିକ୍ଷାର ମହତ୍ତ୍ୱ ବୁଝାଇବା ସହ ନିୟମିତ ପାଠପଢ଼ି ନିଜ ଭବିଷ୍ୟତ ଗଢ଼ିବା ଏବଂ ଆଗାମୀ ଦିନରେ ସମାଜ ଓ ରାଷ୍ଟ୍ରର ବିକାଶରେ ଯୋଗଦାନ ଦେବା ପାଇଁ କର୍ମକର୍ତ୍ତାମାନେ ପରାମର୍ଶ ଦେଇଥିଲେ।ଓଡ଼ିଶା ଛାତ୍ର ସଂଗଠନ ଦିଲ୍ଲୀରେ ଅଧ୍ୟୟନରତ ଓଡ଼ିଆ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ଓ ଅଧିକାର ପାଇଁ କାର୍ଯ୍ୟ କରିବା ସହ ଓଡ଼ିଶାର କଳା, ସଂସ୍କୃତି ଓ ଐତିହ୍ୟର ପ୍ରଚାର ପ୍ରସାର କରିଆସୁଛି। ଉତ୍କଳ ଦିବସ, ନୂଆଁଖାଇ, ଗଣେଶ ପୂଜା, ସରସ୍ୱତୀ ପୂଜା, ହୋଲି, ଦୀପାବଳି ଓ ରକ୍ଷାବନ୍ଧନ ଭଳି ପର୍ବପର୍ବାଣିକୁ ମଧ୍ୟ ସଂଗଠନ ପକ୍ଷରୁ ପାଳନ କରାଯାଏ। ଏଥିସହ ଦିଲ୍ଲୀର ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ର ସଂସଦ ନିର୍ବାଚନରେ ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ ଓ ସମର୍ଥନ କରିଥାଏ। ଏହି କାର୍ଯ୍ୟକ୍ରମରେ ଛାତ୍ରନେତା ମାନସ ପ୍ରଧାନୀ, ଡଃ. ଶାନ୍ତନୁ ଦାସ, ତୁଷାର ବାରିକ, ସୋଭ୍ନା ସ୍ମୃତିଶ୍ରୀ ସ୍ୱାଇଁ, ନଳିନୀ ମେହେର, ଅର୍ଚ୍ଚନା ପଣ୍ଡା, ଶାସ୍ୱତୀ ସାହୁଙ୍କ ସମେତ ବହୁ ଛାତ୍ରଛାତ୍ରୀ ଉପସ୍ଥିତ ରହି ଏହି ମହତ୍ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

