ସମ୍ବଲପୁର,୧୦/୧୧(ଉତ୍କଳ ସମାଚାର),(ସରୋଜ ସାହୁ):ଦେବ୍ରିଗଡ଼ ବନ୍ୟପ୍ରାଣୀ ଅଭୟାରଣ୍ୟରେ ପୁଣି ଦେଖିବାକୁ ମିଳିଛି ମହାବଳ ବାଘର ଦମଦାର ଉପସ୍ଥିତି। ଗତକାଲି ଅପରାହ୍ନରେ ଅଭୟାରଣ୍ୟର ପର୍ଯ୍ୟଟନ ଜୋନ୍କୁ ନିଜ ଆବାସସ୍ଥଳୀ ଅନୁଧ୍ୟାନ କରିବାକୁ ଆସିଥିବା ବେଳେ ଏହି ବାଘକୁ ୪ଟି ସଫାରି ଗାଡ଼ିରେ ଥିବା ପ୍ରାୟ ୪୦ ଜଣ ପର୍ଯ୍ୟଟକ ଦେଖିବାର ସୁଯୋଗ ପାଇଥିଲେ।ସେହିଦିନ ବିଳମ୍ବିତ ସନ୍ଧ୍ୟାରେ ଅଭୟାରଣ୍ୟର କୋର୍ ଜୋନ୍ରେ ପୁରୁଷ ରୟାଲ ବେଙ୍ଗଲ ଟାଇଗର ‘ମହାବଳ ବାଘ’ ଏକ ସମ୍ବର ହରିଣ ଶିକାର କରିଥିବା ଜଣାପଡ଼ିଛି। ବାଘର ଏହି ଶିକାରକୁ ବନ ବିଭାଗ ପକ୍ଷରୁ ନିଶ୍ଚିତ କରାଯାଇଛି। ଅଭୟାରଣ୍ୟରେ ବାଘର ସ୍ୱାଭାବିକ ଶିକାରୀ ଆଚରଣ ଓ ଜଙ୍ଗଲରେ ତାହାର ସକ୍ରିୟ ଉପସ୍ଥିତି ଦୃଷ୍ଟିରୁ ଏହାକୁ ଏକ ଗୁରୁତ୍ୱପୂର୍ଣ୍ଣ ବନ୍ୟଜନ୍ତୁ ଅବଲୋକନ ଭାବେ ଗ୍ରହଣ କରାଯାଇଛି।ଅନ୍ୟପକ୍ଷରେ ବାଘର ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେଇ ଅଭୟାରଣ୍ୟରେ ନଦୀପଥରେ ପାଟ୍ରୋଲିଂ ସହ ପଶ୍ଚିମ ସୀମାନ୍ତ ଅଞ୍ଚଳରେ ମଧ୍ୟ ନିରୀକ୍ଷଣ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସମ୍ଭାବ୍ୟ ଶିକାରୀ, ଫାଶ, ଜାଲ କିମ୍ବା ବାଘର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିପାରୁଥିବା ଯେକୌଣସି ସନ୍ଦେହଜନକ କାର୍ଯ୍ୟକଳାପ ସମ୍ପର୍କରେ ତୁରନ୍ତ ସୂଚନା ଦେବାକୁ ପୁଲିସ, ସ୍ଥାନୀୟ ଜନସାଧାରଣ ଓ ଗୁପ୍ତ ସୂଚନାଦାତାଙ୍କୁ ସତର୍କ କରାଯାଇଛି। ଏଭଳି ବିଶ୍ୱସନୀୟ ସୂଚନା ପ୍ରଦାନ କରୁଥିବା ସୂଚନାଦାତାଙ୍କ ପାଇଁ ୧,୦୦୦ ଟଙ୍କା ପୁରସ୍କାର ଘୋଷଣା କରାଯାଇଛି। ସୂଚନାଦାତାଙ୍କ ପରିଚୟ ସମ୍ପୂର୍ଣ୍ଣ ଗୋପନୀୟ ରଖାଯିବ। ଏହି କାର୍ଯ୍ୟରେ ବରଗଡ଼ ଓ ସମ୍ବଲପୁର ଜିଲ୍ଲା ପୁଲିସ ମଧ୍ୟ ଆବଶ୍ୟକ ସହଯୋଗ ଓ ସୂଚନା ଯୋଗାଇଦେବେ। ଦେବ୍ରିଗଡ଼ ଅଭୟାରଣ୍ୟରେ ମହାବଳ ବାଘର ସୁରକ୍ଷିତ ବିଚରଣ ଓ ସଂରକ୍ଷଣ ପାଇଁ ବନ ବିଭାଗର ଏହି ପଦକ୍ଷେପକୁ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଉଛି

