ସମ୍ବଲପୁର,୧୦/୧୧(ଉତ୍କଳ ସମାଚାର),(ସରୋଜ ସାହୁ): ବିଶିଷ୍ଟ ଶିକ୍ଷାବିତ୍, ଯୋଗାଚାର୍ଯ୍ୟ ତଥା ପ୍ରଖ୍ୟାତ ସମ୍ବଲପୁରୀ-କୋଶଳୀ କବି ଶ୍ରୀ ଜୟଦେବ ଦଣ୍ଡସେନାଙ୍କର ୯୧ ବର୍ଷ ବୟସରେ ପରଲୋକ ଘଟିଛି। ଲକ୍ଷ୍ନୌସ୍ଥିତ ତାଙ୍କ ମଝିଆ ପୁଅ ଶ୍ରୀ ପ୍ରବାସ ଦଣ୍ଡସେନାଙ୍କ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ବିୟୋଗରେ ସମ୍ବଲପୁରର ଶିକ୍ଷା, ସାହିତ୍ୟ ଓ ସାଂସ୍କୃତିକ ମହଲରେ ଗଭୀର ଶୋକର ଛାୟା ଖେଳିଯାଇଛି।ସ୍ୱର୍ଗତ ଦଣ୍ଡସେନା ଜଣେ ଦକ୍ଷ ଅଧ୍ୟାପକ ଭାବେ ନିଜର କର୍ମଜୀବନ ଆରମ୍ଭ କରିଥିଲେ। ଇଂରାଜୀ ପ୍ରଫେସର ଭାବେ ଶିକ୍ଷାଦାନ କରିବା ସହ ସେ ସୋନପୁର କଲେଜର ଅଧ୍ୟକ୍ଷ ଭାବେ ମଧ୍ୟ ଦାୟିତ୍ୱ ନିର୍ବାହ କରିଥିଲେ। ଏହାବ୍ୟତୀତ ସମ୍ବଲପୁରସ୍ଥିତ ନେହେରୁ ଯୁବ କେନ୍ଦ୍ରର ସମନ୍ୱୟକାରୀ ଭାବେ କାର୍ଯ୍ୟ କରି ସମାଜ ଓ ଯୁବପିଢ଼ିର ଉନ୍ନତି ଦିଗରେ ଅବଦାନ ରଖିଥିଲେ। ଶିକ୍ଷାଦାନ ସହ ଯୋଗ ଓ ଆଧ୍ୟାତ୍ମିକ ସାଧନା କ୍ଷେତ୍ରରେ ମଧ୍ୟ ତାଙ୍କର ସ୍ୱତନ୍ତ୍ର ପରିଚୟ ରହିଥିଲା।ସାହିତ୍ୟ ଜଗତରେ ଜୟଦେବ ଦଣ୍ଡସେନା ଜଣେ ପ୍ରତିଷ୍ଠିତ ସମ୍ବଲପୁରୀ-କୋଶଳୀ କବି ଭାବେ ପରିଚିତ ଥିଲେ। ତାଙ୍କ ରଚିତ କବିତା ସଂକଳନ ‘ୟୁଲିସିସ୍ ଆଉ ସାଳଗ୍ରାମ’ ସମ୍ବଲପୁରୀ ସାହିତ୍ୟ ଜଗତରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି। ତାଙ୍କର ସାହିତ୍ୟ ସାଧନା ଓ ସୃଜନଶୀଳ ଚିନ୍ତାଧାରା କୋଶଳୀ ଭାଷାର ସମୃଦ୍ଧିରେ ଏକ ଉଲ୍ଲେଖନୀୟ ଅବଦାନ ଭାବେ ସ୍ମରଣୀୟ ହୋଇ ରହିବ। ସ୍ୱର୍ଗତ ଦଣ୍ଡସେନାଙ୍କ ପାଞ୍ଚ ପୁଅ ବିଭିନ୍ନ ପ୍ରତିଷ୍ଠିତ କ୍ଷେତ୍ରରେ କାର୍ଯ୍ୟରତ ଅଛନ୍ତି। ତାଙ୍କ ସାନ ପୁଅ ଡ. ପ୍ରୟାସ ଦଣ୍ଡସେନା ସମ୍ବଲପୁର ବିଶ୍ୱବିଦ୍ୟାଳୟର ଆଇନ ବିଭାଗରେ ପ୍ରଫେସର ଭାବେ କାର୍ଯ୍ୟରତ ଥିବାବେଳେ ମଝିଆ ପୁଅ ଶ୍ରୀ ପ୍ରବାସ ଦଣ୍ଡସେନା ଲକ୍ଷ୍ନୌରେ ଅବସ୍ଥାନ କରୁଛନ୍ତି।ତାଙ୍କ ବିୟୋଗରେ ସମ୍ବଲପୁର ଜଣେ ବିଦ୍ୱାନ ଶିକ୍ଷାବିତ୍, ନିଷ୍ଠାପର ଯୋଗସାଧକ ଓ ସାହିତ୍ୟ ଜଗତର ଜଣେ ଅମୂଲ୍ୟ ସ୍ରଷ୍ଟାଙ୍କୁ ହରାଇଛି। ତାଙ୍କର ଶିକ୍ଷାଦାନ, ସାହିତ୍ୟ ସାଧନା ଓ ସମାଜ ପ୍ରତି ଅବଦାନ ସର୍ବଦା ସ୍ମରଣୀୟ ହୋଇ ରହିବ।

