ସମ୍ବଲପୁର,୧୦/୧୧(ଉତ୍କଳ ସମାଚାର),(ସରୋଜ ସାହୁ): ସମ୍ବଲପୁର ଜିଲ୍ଲା ବିଜେପି ପକ୍ଷରୁ ‘ଲୋକତନ୍ତ୍ର ବଞ୍ଚାଓ – ଅରାଜକତା ହଟାଓ’ ଶୀର୍ଷକରେ ଏକ ପଦଯାତ୍ରା ଓ ଜନସଭା ଆୟୋଜିତ ହୋଇଯାଇଛି। ଏଥିରେ ଯୋଗଦେଇ ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଂଗ୍ରେସ ଓ ଇଣ୍ଡି ମେଣ୍ଟକୁ କଡ଼ା ସମାଲୋଚନା କରିବା ସହ ଗଣତନ୍ତ୍ରର ସୁରକ୍ଷା ଏବଂ ଅରାଜକତା ବିରୋଧରେ ଜନଜାଗରଣ ସୃଷ୍ଟି କରିବାକୁ ଆହ୍ୱାନ ଦେଇଛନ୍ତି।ପଦଯାତ୍ରାରେ ଦଳୀୟ ନେତୃବୃନ୍ଦ, କାର୍ଯ୍ୟକର୍ତ୍ତା, ମହିଳା ଓ ଯୁବବର୍ଗଙ୍କ ସହ ବହୁ ସଂଖ୍ୟାରେ ଜନସାଧାରଣ ସାମିଲ ହୋଇଥିଲେ। ଏହି ଅବସରରେ ଶ୍ରୀ ପ୍ରଧାନ କହିଥିଲେ ଯେ, ନିଜର କ୍ରମାଗତ ନିର୍ବାଚନୀ ପରାଜୟ ଓ ରାଜନୈତିକ ହତାଶାକୁ ଲୁଚାଇବା ପାଇଁ କଂଗ୍ରେସ ‘ଭୋଟ୍ ଚୋରି’ର ମିଥ୍ୟା ଅଭିଯୋଗ ଉଠାଉଛି। ନିର୍ବାଚନରେ ବିଜୟୀ ହେଲେ ଇଭିଏମ୍ ଓ ନିର୍ବାଚନ ଆୟୋଗକୁ ପ୍ରଶଂସା କରୁଥିବା ବିରୋଧୀ ପରାଜୟ ପରେ ସେହି ସାମ୍ବିଧାନିକ ଅନୁଷ୍ଠାନଗୁଡ଼ିକୁ ବଦନାମ କରୁଥିବା ସେ ଅଭିଯୋଗ କରିଥିଲେ।ନିର୍ବାଚନୀ ଭୋଟର ତାଲିକା ସଂଶୋଧନକୁ ନେଇ ବିରୋଧୀଙ୍କ ଆପତ୍ତି ପ୍ରସଙ୍ଗରେ ଶ୍ରୀ ପ୍ରଧାନ କହିଥିଲେ ଯେ, ମୃତ ବ୍ୟକ୍ତି, ସ୍ଥାନାନ୍ତରିତ ଭୋଟର ଓ ବେଆଇନ ଅନୁପ୍ରବେଶକାରୀଙ୍କୁ ନେଇ କଂଗ୍ରେସର ଆଭିମୁଖ୍ୟ ସନ୍ଦେହଜନକ। ଜାଲ୍ ଭୋଟରଙ୍କୁ ସୁରକ୍ଷା ଦେବା ଏକ ନିନ୍ଦନୀୟ ଷଡ଼ଯନ୍ତ୍ର ବୋଲି ସେ ମତବ୍ୟକ୍ତ କରିଥିଲେ।ଦେଶର ସମ୍ବିଧାନ ଓ ଗଣତାନ୍ତ୍ରିକ ବ୍ୟବସ୍ଥା ଯୋଗୁଁ ଜଣେ ଆଦିବାସୀ ପରିବାରର ଝିଅ ଦେଶର ରାଷ୍ଟ୍ରପତି ହୋଇପାରିଛନ୍ତି। ଏହା ଭାରତୀୟ ଗଣତନ୍ତ୍ରର ଶକ୍ତି ଓ ସଫଳତାର ପ୍ରତୀକ ବୋଲି ସେ କହିଥିଲେ। ଅନ୍ୟପକ୍ଷରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଦେଶ ଦ୍ରୁତ ବିକାଶ ପଥରେ ଅଗ୍ରସର ହେଉଥିବାବେଳେ ବିରୋଧୀ ଏହାକୁ ସହ୍ୟ କରିପାରୁନାହାନ୍ତି ବୋଲି ସେ ଆକ୍ଷେପ କରିଥିଲେ।ଏହି ପଦଯାତ୍ରା କେବଳ ଏକ ରାଜନୈତିକ କାର୍ଯ୍ୟକ୍ରମ ନୁହେଁ, ବରଂ ଓଡ଼ିଶାର ସ୍ୱାଭିମାନ, ଅସ୍ମିତା ଓ ଦେଶର ଗଣତନ୍ତ୍ରକୁ ସୁରକ୍ଷିତ ରଖିବା ପାଇଁ ଏକ ଜନଜାଗରଣ ଅଭିଯାନ ବୋଲି ଶ୍ରୀ ପ୍ରଧାନ ମତ ଦେଇଥିଲେ। ମା’ ସମଲେଶ୍ୱରୀ ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରେ ଏହି ବାର୍ତ୍ତା ରାଜ୍ୟର ପ୍ରତ୍ୟେକ ଗାଁ ଓ ଘରେ ପହଞ୍ଚାଇବା ସହ ଏକ ସଶକ୍ତ ଓଡ଼ିଶା ଗଠନ ପାଇଁ ସମସ୍ତେ ଏକାଠି ହେବାକୁ ସେ ଆହ୍ୱାନ ଜଣାଇଥିଲେ।ଏହି ପଦଯାତ୍ରାରେ ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ, ଗ୍ରାମୀଣ ବିକାଶ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାଏକ, ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ଏବଂ ଜିଲ୍ଲା ବିଜେପି ସଭାପତି ରାମଚନ୍ଦ୍ର ମେହେରଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀ ଉପସ୍ଥିତ ଥିଲେ।

