ସମ୍ବଲପୁର,୧୧/୧୧(ଉତ୍କଳ ସମାଚାର),(ସରୋଜ ସାହୁ):ରେଳ ଦୁର୍ଘଟଣା ଓ ଜରୁରୀକାଳୀନ ପରିସ୍ଥିତିର ସଫଳ ମୁକାବିଲା ସହ ଉଦ୍ଧାର କାର୍ଯ୍ୟକୁ ଅଧିକ ଦକ୍ଷ ଓ ତ୍ୱରିତ କରିବା ଲକ୍ଷ୍ୟରେ ପୂର୍ବତଟ ରେଳପଥର ସମ୍ବଲପୁର ମଣ୍ଡଳ ପକ୍ଷରୁ ବୁଧବାର ରେଙ୍ଗାଲି ରେଳ ଷ୍ଟେସନଠାରେ ଏକ ପୂର୍ଣ୍ଣାଙ୍ଗ ମିଳିତ ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ ଆୟୋଜିତ ହୋଇଥିଲା।ଏହି ଅଭ୍ୟାସରେ ମୁଣ୍ଡଳୀସ୍ଥିତ ଜାତୀୟ ବିପର୍ଯ୍ୟୟ ମୁକାବିଲା ବଳ, ଓଡ଼ିଶା ବିପର୍ଯ୍ୟୟ ତ୍ୱରିତ କାର୍ଯ୍ୟବାହୀ ବଳ , ସ୍ଥାନୀୟ ପ୍ରଶାସନ, ଅଗ୍ନିଶମ ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ରେଳବାଇ ସ୍କାଉଟ୍ସ ଆଣ୍ଡ ଗାଇଡ୍ସ, ସ୍ୱେଚ୍ଛାସେବୀ ସଂଗଠନ ଓ ରେଳବାଇର ବିଭିନ୍ନ ବିଭାଗର କର୍ମଚାରୀମାନେ ସାମିଲ ହୋଇଥିଲେ।ଅଭ୍ୟାସ ସମୟରେ ଆଧୁନିକ ଉଦ୍ଧାର ଉପକରଣ ଓ ଜ୍ଞାନକୌଶଳର ଉପଯୋଗ କରି ରେଳ ଦୁର୍ଘଟଣାଜନିତ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପ୍ରଦର୍ଶନ କରାଯାଇଥିଲା। ଦୁର୍ଘଟଣାଗ୍ରସ୍ତ ରେଳ କୋଚ୍ରେ ଫସି ରହିଥିବା ଯାତ୍ରୀଙ୍କୁ ଉଦ୍ଧାର, ଅଗ୍ନି ନିର୍ବାପନ ଏବଂ ଆହତଙ୍କୁ ତୁରନ୍ତ ଚିକିତ୍ସା ପାଇଁ ହସ୍ପିଟାଲକୁ ସ୍ଥାନାନ୍ତର ଭଳି କାର୍ଯ୍ୟକଳାପର ନମୁନା ପ୍ରଦର୍ଶିତ ହୋଇଥିଲା। ଏହାଦ୍ୱାରା ବିଭିନ୍ନ ସଂସ୍ଥାର ପ୍ରସ୍ତୁତି, କାର୍ଯ୍ୟଦକ୍ଷତା ଓ ପାରସ୍ପରିକ ସମନ୍ୱୟର ଆକଳନ କରାଯାଇଥିଲା।ଏହି ଅଭ୍ୟାସ ସ୍ଥଳକୁ ସମ୍ବଲପୁର ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ସୁବାଷ ଚନ୍ଦ୍ର ଚୌଧରୀ ପରିଦର୍ଶନ କରି ଅଂଶଗ୍ରହଣକାରୀ ଦଳଗୁଡ଼ିକ ସହ ଆଲୋଚନା କରିଥିଲେ। ସମସ୍ତଙ୍କ ସକ୍ରିୟ ଉଦ୍ୟମକୁ ପ୍ରଶଂସା କରି ସେ କହିଥିଲେ ଯେ, ଏଭଳି ମିଳିତ ଅଭ୍ୟାସ ରେଳବାଇ ଓ ବିଭିନ୍ନ ବିପର୍ଯ୍ୟୟ ମୁକାବିଲା ସଂସ୍ଥା ମଧ୍ୟରେ ସମନ୍ୱୟକୁ ସୁଦୃଢ଼ କରିଥାଏ। ଫଳରେ ଅପ୍ରତ୍ୟାଶିତ ପରିସ୍ଥିତିରେ ତ୍ୱରିତ ପଦକ୍ଷେପ ନେବା ସହ ଦୁର୍ଘଟଣାଗ୍ରସ୍ତଙ୍କ ଦୁର୍ଦ୍ଦଶା ହ୍ରାସ କରାଯାଇପାରିବ।ଅଭ୍ୟାସର ସଫଳ ଆୟୋଜନ ଓ ସହଯୋଗ ପାଇଁ ସମ୍ବଲପୁର ମଣ୍ଡଳର ବରିଷ୍ଠ ମଣ୍ଡଳ ନିରାପତ୍ତା ଅଧିକାରୀ ଶ୍ରୀ ଲିଙ୍ଗରାଜ ଗଡ଼ତିଆ ସମସ୍ତ ଅଂଶଗ୍ରହଣକାରୀ ସଂସ୍ଥା, କର୍ମଚାରୀ ଓ ସ୍ୱେଚ୍ଛାସେବୀମାନଙ୍କୁ ଧନ୍ୟବାଦ ଜଣାଇଥିଲେ।ଏହି ମିଳିତ ଅଭ୍ୟାସ ମାଧ୍ୟମରେ ରେଳ ସୁରକ୍ଷା ବୃଦ୍ଧି, ବିପର୍ଯ୍ୟୟ ମୁକାବିଲା ପ୍ରସ୍ତୁତିକୁ ଅଧିକ ମଜବୁତ କରିବା ଏବଂ ଜରୁରୀକାଳୀନ ସମୟରେ ବିଭିନ୍ନ ସଂସ୍ଥାର ତ୍ୱରିତ ଓ ସମନ୍ୱିତ ପ୍ରତିକ୍ରିୟା ସୁନିଶ୍ଚିତ କରିବା ଦିଗରେ ସମ୍ବଲପୁର ମଣ୍ଡଳର ପ୍ରତିବଦ୍ଧତା ପୁନଃ ପ୍ରତିଫଳିତ ହୋଇଛି।


