ସମ୍ବଲପୁର,୧୨/୧୧(ଉତ୍କଳ ସମାଚାର),(ସରୋଜ ସାହୁ): ସମ୍ବଲପୁରର ଅଗ୍ରଣୀ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ‘ସେତୁ’ ପକ୍ଷରୁ ଡ. କାମଦେବ ସାହୁଙ୍କ ରଚିତ ‘ବିନ୍ଦୁ ଓ ବଳୟ : ମହାତ୍ମା ଗାନ୍ଧୀ ଓ ଅନ୍ୟାନ୍ୟ ପ୍ରବନ୍ଧ’ ପୁସ୍ତକ ଉନ୍ମୋଚିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ଡ. ମୀନକେତନ ପାଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଫେସର ଆଦିତ୍ୟ ପ୍ରସାଦ ପାଢ଼ୀ କହିଥିଲେ ଯେ, ଗାନ୍ଧୀଙ୍କ ଆଦର୍ଶର ପ୍ରାସଙ୍ଗିକତା ସବୁ କାଳରେ ରହିଛି। କିନ୍ତୁ ବର୍ତ୍ତମାନ ତାଙ୍କ ଆଦର୍ଶ ଓ ଦର୍ଶନକୁ ଆବଶ୍ୟକୀୟ ଗୁରୁତ୍ୱ ଦିଆଯାଉ ନଥିବାରୁ ତାହା ଅଲୋଡ଼ା ହୋଇପଡ଼ୁଛି, ଯାହା ସମାଜ ପାଇଁ ଆଦୌ ମଙ୍ଗଳକର ନୁହେଁ। ସମାଜର ହିତ ଓ ବିକାଶ ପାଇଁ ଯେଉଁ ନୀତିଗୁଡ଼ିକର ପ୍ରାୟୋଗିକ ଆବଶ୍ୟକତା ରହିଛି, ସେଗୁଡ଼ିକୁ ଗୁରୁତ୍ୱ ଦେବା ଉଚିତ ବୋଲି ସେ ମତ ରଖିଥିଲେ।ସମ୍ମାନିତ ଅତିଥି ମୋହନ ସାହୁ ନିଜ ବକ୍ତବ୍ୟରେ ପୁସ୍ତକ ପ୍ରକାଶନ କ୍ଷେତ୍ରରେ ଏବେ ମଧ୍ୟ ରହିଥିବା ବିଭିନ୍ନ ସମସ୍ୟା ଓ କଠିନତା ସମ୍ପର୍କରେ ଆଲୋକପାତ କରିଥିଲେ। ମୁଖ୍ୟବକ୍ତା କାଳିଦାସ ମିଶ୍ର ପୁସ୍ତକର ବିଷୟବସ୍ତୁ ଉପରେ ଆଲୋଚନା କରି କହିଥିଲେ ଯେ, ଏଥିରେ ଗାନ୍ଧୀଙ୍କ ଉପରେ ପାଞ୍ଚଟି ପ୍ରବନ୍ଧ ରହିଥିବା ବେଳେ ପାର୍ବତୀ ଗିରି, ସୁବାଷ ଚନ୍ଦ୍ର ବୋଷ, ମଧୁସୂଦନ ଦାସ ଓ ସ୍ୱାମୀ ବିବେକାନନ୍ଦଙ୍କ ଉପରେ ଗୋଟିଏ ଲେଖାଏଁ ପ୍ରବନ୍ଧ ସ୍ଥାନ ପାଇଛି। ତେବେ ପ୍ରତ୍ୟେକ ପ୍ରବନ୍ଧରେ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ଗାନ୍ଧୀଙ୍କ ଚିନ୍ତାଧାରା ପ୍ରତିଫଳିତ ହୋଇଛି। ଏହି ମହାପୁରୁଷମାନେ ନିଜ ନିଜ କ୍ଷେତ୍ରରେ ଅସାଧାରଣ ପ୍ରତିଭାର ଅଧିକାରୀ ଥିବାରୁ ସେମାନଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ମତଭେଦ ରହିବା ସ୍ୱାଭାବିକ। ଅହିଂସା ନୀତିକୁ ନେଇ ଗାନ୍ଧୀ ଓ ସୁବାଷ ଚନ୍ଦ୍ର ବୋଷଙ୍କ ମଧ୍ୟରେ ଥିବା ବିଚାରଗତ ପାର୍ଥକ୍ୟ ଏବଂ ବର୍ଣ୍ଣବୈଷମ୍ୟ ପ୍ରସଙ୍ଗରେ ଡ. ବି.ଆର୍. ଆମ୍ବେଦକରଙ୍କ ମତ ଆଦି ଉଦାହରଣ ଦେଇ ସେ ନିଜର ମତ ଉପସ୍ଥାପନ କରିଥିଲେ।ସଭା ପ୍ରାରମ୍ଭରେ ସେତୁର ସଭ୍ୟ ଡ. ସିଦ୍ଧାର୍ଥ ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିଲେ। ଅନୁଷ୍ଠାନର ସମ୍ପାଦକ ହରିନାରାୟଣ ପଣ୍ଡା ପ୍ରାରମ୍ଭିକ ସୂଚନା ଦେବା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

