ସମ୍ବଲପୁର,୧୨/୧୧(ଉତ୍କଳ ସମାଚାର),(ସରୋଜ ସାହୁ): ସମ୍ବଲପୁରର ଐତିହ୍ୟ, କଳା, ସଂସ୍କୃତି ଓ ଲୋକପରମ୍ପରାର ମହାକୁମ୍ଭ ‘ସମ୍ବଲପୁର ମହୋତ୍ସବ-୨୦୨୬’ ଅବସରରେ ଚଳିତ ବର୍ଷର ଶ୍ରେଷ୍ଠ କଳାକାର ସମ୍ମାନ ଘୋଷଣା କରାଯାଇଛି। ଆୟୋଜକ ସମ୍ବଲପୁର ସାଂସ୍କୃତିକ ପରିଷଦ ପକ୍ଷରୁ ବିଶିଷ୍ଟ ନୃତ୍ୟ ଓ ନାଟ୍ୟ ଗୁରୁ ବିପିନ ଦାଶଙ୍କୁ ‘ଉର୍କୁଲୁ ଭୋରାସାଗର ଶ୍ରେଷ୍ଠ ପୁରୁଷ କଳାକାର ସମ୍ମାନ-୨୦୨୬’ ଏବଂ ପ୍ରଖ୍ୟାତ ନୃତ୍ୟଶିଳ୍ପୀ ପୁଷ୍ପା ବେହେରାଙ୍କୁ ‘ଗୁରୁବାରୀ ମିର୍ଦ୍ଧା ଶ୍ରେଷ୍ଠ ନାରୀ କଳାକାର ସମ୍ମାନ-୨୦୨୬’ ପ୍ରଦାନ କରାଯିବ। କଳା, ସଂସ୍କୃତି ଓ ସମ୍ବଲପୁରୀ ଲୋକପରମ୍ପରାର ପ୍ରଚାର ଓ ପ୍ରସାର ଦିଗରେ ଉଭୟଙ୍କ ଅତୁଳନୀୟ ଅବଦାନକୁ ସ୍ୱୀକୃତି ଦେଇ ଏହି ସମ୍ମାନ ପ୍ରଦାନ କରାଯାଉଥିବା ଆୟୋଜକ କମିଟି ପକ୍ଷରୁ କୁହାଯାଇଛି। ଆସନ୍ତା ନଭେମ୍ବର ୧୫ରୁ ୨୨ ତାରିଖ ପର୍ଯ୍ୟନ୍ତ ଅଇଁଠାପାଲିସ୍ଥିତ ବିର୍ସା ମଇଦାନ (ପିଏଚ୍ଡି ପଡ଼ିଆ)ରେ ଆୟୋଜିତ ହେବାକୁ ଥିବା ମହୋତ୍ସବର ମଞ୍ଚରେ ଉଭୟ କଳାକାରଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ। ସମ୍ବଲପୁରୀ ଲୋକନୃତ୍ୟ ଓ ଲୋକକଳାର ମହକରେ ସମଗ୍ର ସମ୍ବଲପୁର ଏବେ ଉତ୍ସବମୁଖର ହୋଇଉଠିଛି। ଉଲ୍ଲେଖଯୋଗ୍ୟ ଯେ, ସ୍ୱର୍ଗତ ଗୁରୁବାରୀ ମିର୍ଦ୍ଧା ଡାଲଖାଇ ନୃତ୍ୟ ମାଧ୍ୟମରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ମୁଗ୍ଧ କରିଥିବା ବେଳେ ସ୍ୱର୍ଗତ ଉର୍କୁଲୁ ଭୋରାସାଗର ସମ୍ବଲପୁରୀ ଢୋଲ ବାଦନର ଯାଦୁରେ ତାଙ୍କୁ ନୃତ୍ୟ କରିବାକୁ ବାଧ୍ୟ କରିଥିଲେ। ଏହି ଦୁଇ ମହାନ କଳାକାରଙ୍କ ନାମରେ ସମ୍ମାନ ପ୍ରଦାନ କରାଯିବା ସମ୍ବଲପୁରର କଳା ଓ ସଂସ୍କୃତି ପ୍ରତି ଏକ ଶ୍ରଦ୍ଧାଞ୍ଜଳି


