ସମ୍ବଲପୁର,୧୨/୧୧(ଉତ୍କଳ ସମାଚାର),(ସରୋଜ ସାହୁ): ପବିତ୍ର ଦୀପାବଳି ଅବସରରେ ସମ୍ବଲପୁରର ବଡ଼ବଜାର ବଙ୍ଗାଳୀପଡ଼ାସ୍ଥିତ ନେତାଜୀ ସୁବାଷ ସଂଘ କ୍ଲବ ପକ୍ଷରୁ ମା’ କାଳୀଙ୍କ ପୂଜା ମହାଆଡ଼ମ୍ବର ଓ ପାରମ୍ପରିକ ରୀତିନୀତି ଅନୁଯାୟୀ ତିନିଦିନ ଧରି ପାଳିତ ହୋଇଯାଇଛି।ପୂଜାର ଅନ୍ତିମ ଦିନରେ ମା’ଙ୍କ ବିସର୍ଜନ ଉପଲକ୍ଷେ ପଡ଼ାର ଶତାଧିକ ମହିଳା ଓ ପୁରୁଷ ଭକ୍ତି ଓ ଶ୍ରଦ୍ଧାର ସହ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ପ୍ରଥମେ ମା’ଙ୍କୁ କାନ୍ଧରେ ବହନ କରି ପଡ଼ା ପରିକ୍ରମା କରାଯାଇଥିଲା। ପାରମ୍ପରିକ ବାଦ୍ୟଯନ୍ତ୍ର, ସଂକୀର୍ତ୍ତନ ଓ ଶଙ୍ଖଧ୍ୱନିରେ ସମଗ୍ର ପରିବେଶ ଭକ୍ତିମୟ ହୋଇଉଠିଥିଲା। ଏଥିସହ ମହିଳା ଓ ପୁରୁଷଙ୍କ ଧୁନୁଚି ନୃତ୍ୟ ଶୋଭାଯାତ୍ରାର ଆକର୍ଷଣକୁ ଆହୁରି ବଢ଼ାଇଥିଲା। ଶେଷରେ ଭକ୍ତି ଓ ଉତ୍ସାହର ସହ ମା’ଙ୍କ ବିସର୍ଜନ କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ଏହି ଅବସରରେ କ୍ଲବର କର୍ମକର୍ତ୍ତା କିଶୋର ଦାସ, ଜୟନ୍ତ ଚାନ୍ଦ, ଅରୁଣ ଦତ୍ତ, ପିଳଟୁ ଦାଦା, ହିମାଂଶୁ କର୍ମକାର, ବିଶ୍ୱଜିତ ରାୟ, ବିକାଶ ଦେବନାଥ, ବିପ୍ଳବ ସିହ୍ନା, ଜୟ ଘୋଷ, କବୀର ରାୟ, ତପନ ଘୋଷ, ସପନ ଚାନ୍ଦ, ସଞ୍ଜୀବ ଦତ୍ତ, ରାଜେଶ ମାଝୀ, ଗଣେଶ ଦେବନାଥ, ଦେବାଶିଷ ରାୟ, ଅନୁପ ଦାସ, ଦେବାଶିଷ ଦେ, ସୋନୁ ମୂର୍ତ୍ତି ଓ ସଞ୍ଜୟ ଦେ ପ୍ରମୁଖ ଉପସ୍ଥିତ ରହି ପୂଜା ଓ ବିସର୍ଜନ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।ଏହି ଧାର୍ମିକ ଆୟୋଜନ ପଡ଼ାବାସୀଙ୍କ ମଧ୍ୟରେ ଏକତା, ଭାଇଚାରା ଓ ସାଂସ୍କୃତିକ ପରମ୍ପରାର ଏକ ସୁନ୍ଦର ନିଦର୍ଶନ ସୃଷ୍ଟି କରିଥିଲା।

