ସମ୍ବଲପୁର,୧୨/୧୧(ଉତ୍କଳ ସମାଚାର),(ସରୋଜ ସାହୁ): ଦେବ୍ରିଗଡ଼ ଅଭୟାରଣ୍ୟରେ ବନ୍ୟଜନ୍ତୁ ଶିକାର ଓ ବେଆଇନ କାର୍ଯ୍ୟକଳାପ ରୋକିବା ପାଇଁ ବନ ବିଭାଗ ଓ ବରଗଡ଼ ଜିଲ୍ଲା ପୁଲିସ ପକ୍ଷରୁ ନଭେମ୍ବର ୧୦ ଓ ୧୧ ତାରିଖରେ ମିଳିତ ଭାବେ ବ୍ୟାପକ ଚଢ଼ାଉ ଓ ତଲାସୀ ଅଭିଯାନ କରାଯାଇଛି। ଗୁପ୍ତ ସୂଚନା ଆଧାରରେ ପ୍ରାୟ ୭୦ ଜଣ ବନ ବିଭାଗ ଓ ପୁଲିସ କର୍ମଚାରୀଙ୍କୁ ନେଇ ଅଭୟାରଣ୍ୟ ସଂଲଗ୍ନ ୫ଟି ଗ୍ରାମରେ ଏହି ଅଭିଯାନ ଚାଲିଥିଲା।ଏହି ଅଭିଯାନରେ ରାଉତପଡ଼ା ଗ୍ରାମର ଘନଶ୍ୟାମ ମିର୍ଦ୍ଧା (୪୦) ଓ ସୁପ୍ରସାଦ ସୁଇ (୪୮) ନାମକ ଦୁଇ ଜଣଙ୍କୁ ବନ୍ୟଜନ୍ତୁ ଶିକାର ଅଭିଯୋଗରେ ଗିର କରାଯାଇଛି। ମାନଙ୍କଠାରୁ ଜନ୍ତୁ ଧରିବା ଫାଶ, ଜାଲ, ୩ କେଜି ବିଦ୍ୟୁତ୍ ହୁକିଂ ତାର ଓ ୨ କେଜି କେବୁଲ ତାର ସମେତ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି। ଏହି ସାମଗ୍ରୀ ବ୍ୟବହାର କରି ବନ୍ୟଜନ୍ତୁଙ୍କୁ ଅବାଧରେ ଫାଶରେ ପକାଇବା ଓ ବିଦ୍ୟୁତ୍ ଆଘାତ ଦେଇ ଶିକାର କରିବାର ଆଶଙ୍କା ରହିଥିଲା।ସୂଚନା ଅନୁଯାୟୀ, ଅଭିଯୁକ୍ତମାନେ ଚିତାବାଘ ଶିକାର ପାଇଁ ଯୋଜନା କରିଥିବା ସହ ଅଭୟାରଣ୍ୟ ଭିତରେ ଏଥିପାଇଁ ଫାଶ ବିଛାଇଥିବା ଜଣାପଡ଼ିଛି। ଗିରଫ ଦୁଇ ଅଭିଯୁକ୍ତଙ୍କୁ ଦେବ୍ରିଗଡ଼ ବନ୍ୟପ୍ରାଣୀ ବନଖଣ୍ଡର ଲଖନପୁର ରେଞ୍ଜ ପକ୍ଷରୁ ନଭେମ୍ବର ୧୧ ତାରିଖରେ କୋର୍ଟକୁ ଚାଲାଣ କରାଯାଇଛି।ଅନ୍ୟପକ୍ଷରେ, ବନ୍ୟଜନ୍ତୁ ଶିକାର ସମ୍ପର୍କରେ ବିଶ୍ୱସନୀୟ ସୂଚନା ଦେଲେ ୧,୦୦୦ ଟଙ୍କା ନଗଦ ପୁରସ୍କାର ଦିଆଯିବ ବୋଲି ଦେବ୍ରିଗଡ଼ କର୍ତ୍ତୃପକ୍ଷ ଘୋଷଣା କରିଛନ୍ତି। ଅଭୟାରଣ୍ୟ ସଂଲଗ୍ନ ଜଙ୍ଗଲ ଅଞ୍ଚଳରେ ଶିକାରୀମାନେ ଅସ୍ତ୍ରଶସ୍ତ୍ର ଲୁଚାଇ ରଖୁଥିବା ଆଶଙ୍କାରେ ମେଟାଲ ଡିଟେକ୍ଟର ଓ ଲାଇଭ୍ୱାୟାର ଡିଟେକ୍ଟର ସାହାଯ୍ୟରେ ମଧ୍ୟ ଯାଞ୍ଚ କରାଯାଉଛି।ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ଗୁପ୍ତ ସୂଚନା ଆଧାରିତ ଚଢ଼ାଉ, ନିୟମିତ ପାଟ୍ରୋଲିଂ, ନଜରଦାରି ଏବଂ ବନ ବିଭାଗ, ପୁଲିସ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ସମନ୍ୱୟକୁ ଅଧିକ ସୁଦୃଢ଼ କରାଯାଉଛି। ବନ୍ୟପ୍ରାଣୀଙ୍କ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେଇ ଆଗାମୀ ଦିନରେ ମଧ୍ୟ ଏଭଳି ଚଢ଼ାଉ, ତଲାସୀ, ଜବତ ଓ ଗିରଫଦାରୀ ଅଭିଯାନ ଜାରି ରହିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି।

