ନୂଆଦିଲ୍ଲୀ ୧୨/୧୧,(ଉତ୍କଳ ସମାଚାର) ଜାପାନର ଆଇଚି-ନାଗୋୟାଠାରେ ଅନୁଷ୍ଠିତ ୨୦୨୬ ଏସିଆନ୍ ପାରା ଗେମ୍ସରେ ଭାରତ ପାଇଁ ଗୌରବ ଆଣିଥିବା ପାରା ପାୱାରଲିଫ୍ଟିଂର ଦୁଇ ରୌପ୍ୟ ପଦକ ବିଜେତା ଅଶୋକ କୁମାର ମଲିକ ଏବଂ କସ୍ତୁରୀ ରାଜମଣି ଉପରାଷ୍ଟ୍ରପତି ଭବନରେ ଉପରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନଙ୍କୁ ସାକ୍ଷାତ୍ କରିଥିଲେ। ଇଣ୍ଡିଆ ପାରା ପାୱାରଲିଫ୍ଟିଂର ଆସୋସିଏଟ୍ ଭାଇସ୍ ପ୍ରେସିଡେଣ୍ଟ ସୌମ୍ୟ ରଞ୍ଜନ ପ୍ରଧାନଙ୍କ ନେତୃତ୍ୱରେ ଏହି ପ୍ରତିନିଧିମଣ୍ଡଳୀରେ ହେଡ୍ କୋଚ୍ ଡା. ଜେ.ପି. ସିଂହ ଏବଂ ପଦକ ବିଜେତା ଖେଳାଳିମାନେ ସାମିଲ ହୋଇଥିଲେ। ଉଲ୍ଲେଖନୀୟ ଯେ, ଅଶୋକ କୁମାର ମଲ୍ଲିକ ପୁରୁଷ ୬୫ କିଲୋଗ୍ରାମ ବର୍ଗରେ ୧୯୨ କିଲୋଗ୍ରାମ ଭାର ଉଠାଇ ରୌପ୍ୟ ପଦକ ହାସଲ କରିଥିବା ବେଳେ କସ୍ତୁରୀ ରାଜମଣି ମହିଳା ୬୭ କିଲୋଗ୍ରାମ ବର୍ଗରେ ୧୦୮ କିଲୋଗ୍ରାମ ଭାର ଉଠାଇ ରୌପ୍ୟ ପଦକ ଜିତିଛନ୍ତି। କସ୍ତୁରୀଙ୍କ ଏହି ସଫଳତା ଏସିଆନ୍ ପାରା ଗେମ୍ସର ମହିଳା ବର୍ଗରେ ଭାରତର ପ୍ରଥମ ପଦକ ହୋଇଥିବାରୁ ଏହା ଏକ ଐତିହାସିକ ଉପଲବ୍ଧି। ଏହି ସାକ୍ଷାତ୍କାର ଅବସରରେ ସୌମ୍ୟ ରଞ୍ଜନ ପ୍ରଧାନ ଓଡ଼ିଶାର ସାଢ଼େ ୪ କୋଟି ଜନସାଧାରଣଙ୍କ ପକ୍ଷରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଏକ ସୁନ୍ଦର ଫଟୋଚିତ୍ର ଭାରତର ଉପରାଷ୍ଟ୍ରପତିଙ୍କୁ ଉପହାର ସ୍ୱରୂପ ପ୍ରଦାନ କରିଥିଲେ। ଏହା ମାଧ୍ୟମରେ ସେ ଓଡ଼ିଶାବାସୀଙ୍କ ଅଗାଧ ଆସ୍ଥା, ଭକ୍ତି ଓ ମହାପ୍ରଭୁଙ୍କ ପ୍ରତି ଥିବା ଅତୁଟ ଶ୍ରଦ୍ଧାକୁ ପରିପ୍ରକାଶ କରିଥିଲେ।ଉପରାଷ୍ଟ୍ରପତି ଖେଳାଳିମାନଙ୍କ ସହ ଆଲୋଚନା କରି ସେମାନଙ୍କ ସଂଘର୍ଷ, ସଫଳତା ଓ ଦେଶ ପାଇଁ ଥିବା ସମର୍ପଣ ଭାବନାକୁ ପ୍ରଶଂସା କରିଥିଲେ। ତାଙ୍କର ଉତ୍ସାହବର୍ଦ୍ଧକ ବାର୍ତ୍ତା ଖେଳାଳିମାନଙ୍କ ମନୋବଳ ବୃଦ୍ଧି କରିବା ସହ ଭବିଷ୍ୟତରେ ଦେଶ ପାଇଁ ଅଧିକ ପଦକ ଜିତିବାକୁ ପ୍ରେରଣା ଯୋଗାଇଛି। ଏହି ସାକ୍ଷାତ୍କାର ଭାରତୀୟ ପାରା କ୍ରୀଡ଼ା ଜଗତ ପାଇଁ ଏକ ସ୍ମରଣୀୟ ମୁହୂର୍ତ୍ତ ହୋଇ ରହିବ।

