ସମ୍ବଲପୁର,୧୩/୧୧(ଉତ୍କଳ ସମାଚାର),(ସରୋଜ ସାହୁ):ଓଡ଼ିଶା ରାଜସ୍ୱ ପର୍ଷଦର ସଦସ୍ୟ ଶ୍ରୀ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଗୁରୁବାର ସମ୍ବଲପୁରସ୍ଥିତ ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଏକ ଉଚ୍ଚସ୍ତରୀୟ ରାଜସ୍ୱ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।ବୈଠକରେ ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର ଏବଂ ଅତିରିକ୍ତ ଆୟୁକ୍ତ, ଚକବନ୍ଦୀ ଓ ବନ୍ଦୋବସ୍ତ, ସମ୍ବଲପୁର-୨ ଶ୍ରୀମତୀ ଉପମା କାଲୋ ଉପସ୍ଥିତ ଥିଲେ। ଏଥିରେ ଉତ୍ତରାଞ୍ଚଳ ରାଜସ୍ୱ ଡିଭିଜନ ଅନ୍ତର୍ଗତ ଅନୁଗୁଳ, ବଲାଙ୍ଗିର, ବରଗଡ଼, ଦେବଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଏବଂ ବରିଷ୍ଠ ରାଜସ୍ୱ ଅଧିକାରୀମାନେ ଯୋଗଦେଇ ନିଜ ନିଜ ଜିଲ୍ଲାର ରାଜସ୍ୱ କାର୍ଯ୍ୟର ଅଗ୍ରଗତି ଓ ସମସ୍ୟା ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ। ରାଜସ୍ୱ ପର୍ଷଦ ନିକଟରେ ବିଚାରାଧୀନ ସମସ୍ତ ରାଜସ୍ୱ ମାମଲାକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଫଇସଲା କରିବା ସହ ସାଧାରଣ ଲୋକଙ୍କୁ ସ୍ୱଚ୍ଛ, ସରଳ ଓ ତ୍ୱରିତ ରାଜସ୍ୱ ସେବା ଯୋଗାଇଦେବାକୁ ରାଜସ୍ୱ ପର୍ଷଦ ସଦସ୍ୟ ସମସ୍ତ ଅତିରିକ୍ତ ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ।

