ସମ୍ବଲପୁର,୧୩/୧୧(ଉତ୍କଳ ସମାଚାର),(ସରୋଜ ସାହୁ):ପଶ୍ଚିମ ଓଡ଼ିଶା କୃଷକ ସଂଗଠନ ସମନ୍ୱୟ ସମିତି ପକ୍ଷରୁ ସମ୍ବଲପୁରଠାରେ କୃଷକଙ୍କ ବିଭିନ୍ନ ନ୍ୟାୟସଙ୍ଗତ ଦାବି ନେଇ ଆୟୋଜିତ ଆନ୍ଦୋଳନକୁ ପୂର୍ବତନ ମନ୍ତ୍ରୀ ତଥା ସମ୍ବଲପୁର ଜିଲ୍ଲା ବିଜୁ ଜନତା ଦଳ ସଭାପତି ଇଂ. ରୋହିତ ପୂଜାରୀ ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି। ଏଥିସହ ରାଜସ୍ୱ କମିଶନରଙ୍କ ଜରିଆରେ ସରକାରଙ୍କୁ ଦାବିପତ୍ର ପ୍ରଦାନକୁ ସେ ସମର୍ଥନ କରିଛନ୍ତି। ଚଳିତ ଖରିଫ ଧାନ ସଂଗ୍ରହ ଋତୁ ପୂର୍ବରୁ ଚାଷୀମାନେ ଧାନ ବିକ୍ରି, ପଞ୍ଜୀକରଣ, ଜମିଜମା ରେକର୍ଡ ଓ ଟୋକନ ବ୍ୟବସ୍ଥାକୁ ନେଇ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବିଶେଷକରି ଡିଜିଟାଲ କ୍ରପ୍ ସର୍ଭେ ଓ ଜମି ରେକର୍ଡରେ ତ୍ରୁଟି ଯୋଗୁଁ ପ୍ରକୃତ ଚାଷୀ ଯେପରି ଧାନ ବିକ୍ରିରୁ ବଞ୍ଚିତ ନହୁଅନ୍ତି, ସେଥିପାଇଁ ସରକାର ସରଳ ଓ ସ୍ପଷ୍ଟ ବ୍ୟବସ୍ଥା କରିବାକୁ ସେ ଦାବି କରିଛନ୍ତି।କୃଷକ ସଂଗଠନର ପ୍ରମୁଖ ଦାବି ମଧ୍ୟରେ ପଞ୍ଜୀକରଣର ଜଟିଳତା ଦୂର କରିବା, ଜମିଜମା ରେକର୍ଡର ତ୍ରୁଟି ସମାଧାନ ପାଇଁ ପଞ୍ଚାୟତସ୍ତରରେ ସ୍ୱତନ୍ତ୍ର ଶିବିର ଆୟୋଜନ, ସିଞ୍ଚିତ ଜମିରୁ ଏକର ପିଛା ୨୫ କ୍ୱିଣ୍ଟାଲ ଓ ଅଣସିଞ୍ଚିତ ଜମିରୁ ୨୦ କ୍ୱିଣ୍ଟାଲ ଧାନ କ୍ରୟ ଆଦି ରହିଛି। ଏଥିସହ ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି କୁ ଅଧିକ କ୍ଷମତା ପ୍ରଦାନ, ଭାଗଚାଷୀଙ୍କ ସ୍ୱାର୍ଥ ସୁରକ୍ଷା ଏବଂ ମିଲର୍ସଙ୍କ ମନମାନି ଓ ଧାନ କାଟ୍ଛାଣ୍ଟ ସମସ୍ୟାର ସମାଧାନ ଦାବି କରାଯାଇଛି। ଇଂ. ପୂଜାରୀ କହିଛନ୍ତି ଯେ, ରାଜ୍ୟ ସରକାର ନିର୍ବାଚନୀ ପ୍ରତିଶ୍ରୁତି ଅନୁଯାୟୀ କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କା ହିସାବରେ ଧାନର ମୂଲ୍ୟ ପ୍ରଦାନ କରୁଛନ୍ତି। କିନ୍ତୁ ବାସ୍ତବରେ ଏହି ଅର୍ଥ ପାଇବା ପାଇଁ ଚାଷୀଙ୍କୁ ବହୁ ପ୍ରଶାସନିକ ଓ ବୈଷୟିକ ସମସ୍ୟାର ସାମ୍ନା କରିବାକୁ ପଡ଼ୁଛି। ପଞ୍ଜୀକରଣ, ଜମି ରେକର୍ଡର ତ୍ରୁଟି ଓ ଟୋକନ ସମସ୍ୟା ଯୋଗୁଁ ଅନେକ ପ୍ରକୃତ ଚାଷୀ ହଇରାଣ ହେଉଛନ୍ତି।କେବଳ ଧାନର ମୂଲ୍ୟ ଘୋଷଣା କରିଦେଲେ ସରକାରଙ୍କ ଦାୟିତ୍ୱ ଶେଷ ହୋଇଯାଏ ନାହିଁ। ଚାଷୀ ଯେପରି ବିନା ହଇରାଣରେ ନିଜ ଉତ୍ପାଦିତ ଧାନ ମଣ୍ଡିରେ ବିକ୍ରି କରି ଉଚିତ ମୂଲ୍ୟ ପାଇପାରିବେ, ତାହା ସୁନିଶ୍ଚିତ କରିବା ସରକାରଙ୍କ ପ୍ରଥମ ଦାୟିତ୍ୱ। ଟୋକନ ଓ ପଞ୍ଜୀକରଣ ଜଟିଳତାରେ ଚାଷୀ ଫସି ରହିଲେ ସରକାରଙ୍କ ମୂଲ୍ୟ ପ୍ରଦାନ ଘୋଷଣାର ସାର୍ଥକତା ରହିବ ନାହିଁ ବୋଲି ସେ ମତ ଦେଇଛନ୍ତି। ଧାନ ସଂଗ୍ରହ ନୀତିର ମୂଳ ଉଦ୍ଦେଶ୍ୟ ଚାଷୀଙ୍କୁ ସହାୟତା କରିବା ହେବା ଉଚିତ, କାଗଜପତ୍ରର ଜଟିଳତା ଭିତରେ ଛନ୍ଦିବା ନୁହେଁ। ଚାଷୀଙ୍କ ଝାଳବୁହା ପରିଶ୍ରମର ଉଚିତ ମୂଲ୍ୟ, ସମ୍ମାନ ଓ ଅଧିକାର ସୁନିଶ୍ଚିତ କରିବା ସମସ୍ତଙ୍କ ଦାୟିତ୍ୱ। କୃଷକଙ୍କ ନ୍ୟାୟସଙ୍ଗତ ଦାବି ଓ ଅଧିକାରର ଲଢ଼େଇରେ ବିଜୁ ଜନତା ଦଳ ସବୁବେଳେ ଚାଷୀଙ୍କ ସହ ରହିବ ବୋଲି ଇଂ. ପୂଜାରୀ କହିଛନ୍ତି।

