ସୁନ୍ଦରଗଡ଼:13//11,(ଉତ୍କଳ ସମାଚାର)ଶିଶୁ ଶ୍ରମିକମୁକ୍ତ ଗ୍ରାମ ପଞ୍ଚାୟତ ଗଠନ ଲକ୍ଷ୍ୟରେ ଚାଲିଥିବା ୪୪ ଦିନିଆ ଅଭିଯାନ ଅନ୍ତର୍ଗତ ଆଜି ସ୍ଥାନୀୟ ମ୍ୟୁନିସିପାଲ ହାଇସ୍କୁଲଠାରେ ଜିଲ୍ଲାସ୍ତରୀୟ ବକ୍ତୃତା ଓ ପ୍ରବନ୍ଧ ପ୍ରତିଯୋଗିତା ସଫଳତାର ସହ ଆୟୋଜିତ ହୋଇଯାଇଛି।ଶ୍ରମ ଓ ଇଏସ୍ଆଇ ବିଭାଗ, ଓଡ଼ିଶା ସରକାରଙ୍କ ପକ୍ଷରୁ ଆୟୋଜିତ ଏହି ପ୍ରତିଯୋଗିତାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଶିଶୁ ଶ୍ରମିକ ପ୍ରଥାର କୁପରିଣାମ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ସଚେତନ କରିବା, ଶିଶୁମାନଙ୍କ ଅଧିକାର ଓ ଶିକ୍ଷାର ଗୁରୁତ୍ୱ ସମ୍ପର୍କରେ ଜନସଚେତନତା ବୃଦ୍ଧି କରିବା ଏବଂ ଶିଶୁ ଶ୍ରମିକମୁକ୍ତ ସମାଜ ଗଠନରେ ଯୁବପିଢ଼ିଙ୍କ ସକ୍ରିୟ ଅଂଶଗ୍ରହଣକୁ ଉତ୍ସାହିତ କରିବା।ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଉତ୍ସାହର ସହ ଏହି ପ୍ରତିଯୋଗିତାରେ ଭାଗ ନେଇ ଶିଶୁ ଶ୍ରମିକ ପ୍ରଥାର କୁପ୍ରଭାବ, ଶିଶୁମାନଙ୍କ ଶାରୀରିକ, ମାନସିକ ଓ ଶିକ୍ଷାଗତ ବିକାଶ ଉପରେ ଏହାର ପ୍ରଭାବ ଏବଂ ଏହି ସାମାଜିକ ବ୍ୟାଧିର ନିରାକରଣରେ ସମାଜର ସାମୂହିକ ଦାୟିତ୍ୱ ସମ୍ପର୍କରେ ନିଜ ନିଜର ମତାମତ ଉପସ୍ଥାପନ କରିଥିଲେ।ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶ୍ରମ ଅଧିକାରୀ, ସହକାରୀ ଶ୍ରମ ଅଧିକାରୀ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ବିଭିନ୍ନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଶିକ୍ଷକ-ଶିକ୍ଷୟିତ୍ରୀମାନେ ମଧ୍ୟ ଉପସ୍ଥିତ ଥିଲେ।ଉପସ୍ଥିତ ଅଧିକାରୀମାନେ ଶିଶୁ ଶ୍ରମିକ ପ୍ରଥାର ନିରାକରଣ ଦିଗରେ ସରକାରୀ ବିଭାଗ, ଶିକ୍ଷାନୁଷ୍ଠାନ, ଅଭିଭାବକ ଓ ସମାଜର ସାମୂହିକ ପ୍ରୟାସର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ଏଥିସହ ଛାତ୍ରଛାତ୍ରୀମାନେ ନିଜେ ସଚେତନ ହେବା ସହ ଅନ୍ୟମାନଙ୍କୁ ମଧ୍ୟ ସଚେତନ କରି ଶିଶୁ ଶ୍ରମିକମୁକ୍ତ ସମାଜ ଗଠନରେ ସହଯୋଗ କରିବାକୁ ଆହ୍ୱାନ ଦେଇଥିଲେ।

