ନବରଙ୍ଗପୁର,13//11,(ଉତ୍କଳ ସମାଚାର)ଜିଲ୍ଲାର ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ ଓ ଲୋକାଭିମୁଖୀ କରିବା ଉଦ୍ଦେଶ୍ୟରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି, ନବରଙ୍ଗପୁର ପକ୍ଷରୁ ଜିଲ୍ଲା ଏନ୍ଜିଓ କମିଟି ଓ ନବୀକରଣ କମିଟିର ଏକ ବୈଠକ ଆଜି ଅଶୋକ ମେହେଟ୍ଟା ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଶ୍ରୀମତୀ ମଧୁମିତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।ଜିଲ୍ଲା ଏନ୍ଜିଓ କମିଟି ବୈଠକରେ ଜିଲ୍ଲାରେ ସାର୍ବଜନୀନ-ଘରୋଇ ସହଭାଗିତା ମୋଡ୍ରେ ୯ଟି ମା’ ଗୃହ ସ୍ଥାପନ ପାଇଁ ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା। ନନ୍ଦାହାଣ୍ଡି ବ୍ଲକ ବ୍ୟତୀତ ଜିଲ୍ଲାର ଅନ୍ୟ ସମସ୍ତ ବ୍ଲକରେ ଏହି ମା’ ଗୃହ ସ୍ଥାପନ କରାଯିବା ପ୍ରସ୍ତାବ ରହିଛି। ଏଥିସହ ତେନ୍ତୁଳିଖୁଣ୍ଟି ସିଏଚ୍ସି ଅଧୀନସ୍ଥ ମଙ୍ଗରଦରାଠାରେ ଏକ ନୂତନ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର (PHC) ସ୍ଥାପନ ପାଇଁ ମଧ୍ୟ ପ୍ରସ୍ତାବ ଉପରେ ବିଚାରବିମର୍ଶ କରାଯାଇଥିଲା।ସେହିପରି ଜାତୀୟ ଅନ୍ଧତ୍ୱ ନିୟନ୍ତ୍ରଣ ଓ ଦୃଷ୍ଟିଶକ୍ତି ଦୁର୍ବଳତା ନିରାକରଣ କାର୍ଯ୍ୟକ୍ରମ (NPCBVI) ଅଧୀନରେ ମୋତିଆବିନ୍ଦୁ ଅସ୍ତ୍ରୋପଚାର ପାଇଁ ନେତ୍ରାଳୟ ଚକ୍ଷୁ ଚିକିତ୍ସାଳୟ ଓ ଇନ୍ଦ୍ରାବତୀ ଚକ୍ଷୁ ଚିକିତ୍ସାଳୟର ଅନୁବନ୍ଧନ ନବୀକରଣ ପ୍ରସ୍ତାବ ଆଗତ ହୋଇଥିଲା। ଏଥିସହ ସିମାଦ୍ରି ଚକ୍ଷୁ ଚିକିତ୍ସାଳୟକୁ ମଧ୍ୟ ଏହି ଯୋଜନା ଅଧୀନରେ ଅନୁବନ୍ଧିତ କରିବା ପାଇଁ ନୀତିଗତ ଅନୁମୋଦନ ପ୍ରଦାନ କରାଯାଇଥିଲା। ଏହି ଅନୁବନ୍ଧିତ ଚକ୍ଷୁ ଚିକିତ୍ସାଳୟଗୁଡ଼ିକ ଜାତି, ବର୍ଗ କିମ୍ବା ଆର୍ଥିକ ସ୍ଥିତି ନିର୍ବିଶେଷରେ ସମସ୍ତ ହିତାଧିକାରୀଙ୍କୁ ମାଗଣାରେ ମୋତିଆବିନ୍ଦୁ ଅସ୍ତ୍ରୋପଚାର ସେବା ଯୋଗାଇଦେବେ।ଅନ୍ୟପକ୍ଷରେ, ନବୀକରଣ କମିଟି ବୈଠକରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଅଧୀନରେ ନିୟୋଜିତ ୨୨୧ ଜଣ କର୍ମଚାରୀଙ୍କ କାର୍ଯ୍ୟଦକ୍ଷତା ସମୀକ୍ଷା କରାଯାଇଥିଲା। ବ୍ୟକ୍ତିଗତ କାର୍ଯ୍ୟଦକ୍ଷତା ଓ ସେବାର ଗୁଣବତ୍ତାକୁ ଆଧାର କରି ସେମାନଙ୍କ ସେବା ଅବଧି ବୃଦ୍ଧି କରିବାକୁ ନିଷ୍ପତ୍ତି ହୋଇଥିଲା।ଏହି ବୈଠକରେ ଗ୍ରହଣ କରାଯାଇଥିବା ପ୍ରସ୍ତାବ ଓ ନିଷ୍ପତ୍ତିଗୁଡ଼ିକ ଜିଲ୍ଲାର ସ୍ୱାସ୍ଥ୍ୟସେବା ଭିତ୍ତିଭୂମିର ବିକାଶ, ବିଭିନ୍ନ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ସଫଳ ରୂପାୟନ ଏବଂ ସାମଗ୍ରିକ ସ୍ୱାସ୍ଥ୍ୟ ସୂଚକାଙ୍କରେ ଉନ୍ନତି ଆଣିବା ଦିଗରେ ସହାୟକ ହେବ ବୋଲି ଆଶା ପ୍ରକାଶ କରାଯାଇଛି।
