ସମ୍ବଲପୁର,୧୪/୧୧(ଉତ୍କଳ ସମାଚାର),(ସରୋଜ ସାହୁ): ସ୍ୱଚ୍ଛତା ସର୍ବେକ୍ଷଣରେ ସମ୍ବଲପୁର ମହାନଗର ନିଗମ ଜାତୀୟ ସ୍ତରରେ ୨୪ତମ ଏବଂ ଓଡ଼ିଶାରେ ତୃତୀୟ ସ୍ଥାନ ହାସଲ କରିଥିବା ଖବରକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବିଜେଡି ଜିଲ୍ଲା ସଭାପତି ଇଂ. ରୋହିତ ପୂଜାରୀ। ସହରର ବାସ୍ତବ ସ୍ୱଚ୍ଛତା ସ୍ଥିତି ଓ ରାଙ୍କିଂ ମଧ୍ୟରେ ବଡ଼ ଫରକ ରହିଥିବା ଅଭିଯୋଗ କରି ସେ ଏହି ରାଙ୍କିଂର ମାନଦଣ୍ଡ ଏବଂ ମୂଲ୍ୟାୟନ ପ୍ରକ୍ରିୟା ସମ୍ପର୍କରେ ସ୍ପଷ୍ଟୀକରଣ ଦାବି କରିଛନ୍ତି।ସମ୍ବଲପୁର ସହରର ବିଭିନ୍ନ ୱାର୍ଡର ଗଳିକନ୍ଦି, ମୁଖ୍ୟ ରାସ୍ତାକଡ଼ ଓ ଡ୍ରେନ୍ଗୁଡ଼ିକରେ ଅଳିଆ ଆବର୍ଜନା ଜମି ରହୁଥିବା, ନିୟମିତ ସଫେଇର ଅଭାବ ଏବଂ ଅବ୍ୟବସ୍ଥିତ ବର୍ଜ୍ୟବସ୍ତୁ ପରିଚାଳନା ସହରର ସ୍ୱଚ୍ଛତା ବ୍ୟବସ୍ଥାକୁ ପ୍ରଶ୍ନବାଚୀ ମଧ୍ୟକୁ ଟାଣିଛି। ଡ୍ରେନ୍ରେ ଆବର୍ଜନା ଜମି ରହିବା ଯୋଗୁଁ ଜଳ ନିଷ୍କାସନ ସମସ୍ୟା ମଧ୍ୟ ଦେଖାଦେଉଛି। ଏଭଳି ସ୍ଥିତିରେ ସହର କେଉଁ ଆଧାରରେ ଏହି ସ୍ଥାନ ହାସଲ କଲା, ତାହା ଜାଣିବା ସମ୍ବଲପୁରବାସୀଙ୍କ ଅଧିକାର ବୋଲି ସେ କହିଛନ୍ତି।ଇଂ. ପୂଜାରୀ ମହାନଗର ନିଗମ କର୍ତ୍ତୃପକ୍ଷଙ୍କୁ ପ୍ରଶ୍ନ କରିଛନ୍ତି ଯେ, ସ୍ୱଚ୍ଛତା ସର୍ବେକ୍ଷଣରେ ସଫେଇ, ଆବର୍ଜନା ସଂଗ୍ରହ, ଡ୍ରେନେଜ୍ ଓ ବର୍ଜ୍ୟବସ୍ତୁ ପରିଚାଳନାକୁ କେଉଁ ମାନଦଣ୍ଡରେ ମୂଲ୍ୟାୟନ କରାଯାଇଛି? ବିଭିନ୍ନ ୱାର୍ଡରେ ଜମି ରହୁଥିବା ଅଳିଆ ଓ ଡ୍ରେନ୍ର ଅପରିଷ୍କାର ସ୍ଥିତି ସର୍ବେକ୍ଷଣ ସମୟରେ ଦୃଷ୍ଟିକୁ ଆସିଥିଲା କି? ସର୍ବୋପରି, ସମ୍ପୂର୍ଣ୍ଣ ମୂଲ୍ୟାୟନ ରିପୋର୍ଟ ଏବଂ ବିଭିନ୍ନ ବିଭାଗରେ ମିଳିଥିବା ନମ୍ବର ସାର୍ବଜନୀନ କରାଯିବ କି?ସ୍ୱଚ୍ଛତା କେବଳ କାଗଜପତ୍ର, ବିଜ୍ଞାପନ କିମ୍ବା ଫଟୋ ଉଠାଇବାର କାର୍ଯ୍ୟକ୍ରମ ନୁହେଁ; ଏହା ଲୋକଙ୍କ ଦୈନନ୍ଦିନ ଜୀବନ, ସ୍ୱାସ୍ଥ୍ୟ ଓ ସହରର ସମ୍ମାନ ସହ ଜଡ଼ିତ। ତେଣୁ କେବଳ ରାଙ୍କିଂକୁ ନେଇ ଆତ୍ମପ୍ରଚାର ନକରି ସହରର ପ୍ରତ୍ୟେକ ୱାର୍ଡରେ ନିୟମିତ ସଫେଇ, ଉନ୍ନତ ଡ୍ରେନେଜ୍ ବ୍ୟବସ୍ଥା ଏବଂ ବୈଜ୍ଞାନିକ ପଦ୍ଧତିରେ ଆବର୍ଜନା ପରିଚାଳନାକୁ ମହାନଗର ନିଗମ ପ୍ରାଥମିକତା ଦେବା ଆବଶ୍ୟକ ବୋଲି ସେ ମତ ଦେଇଛନ୍ତି।ସମ୍ବଲପୁରବାସୀ କାଗଜକଲମରେ ୨୪ତମ ସ୍ଥାନ ନୁହେଁ, ବରଂ ବାସ୍ତବରେ ଏକ ସ୍ୱଚ୍ଛ, ସୁନ୍ଦର ଓ ସୁସ୍ଥ ସହର ଚାହୁଁଛନ୍ତି। ରାଙ୍କିଂର ଚମକ ପଛରେ ସହରର ବାସ୍ତବ ସମସ୍ୟାକୁ ଲୁଚାଇ ନରଖି ମହାନଗର ନିଗମ କର୍ତ୍ତୃପକ୍ଷ ସମସ୍ତ ପ୍ରଶ୍ନର ଉତ୍ତର ରଖିବା ସହ ସ୍ୱଚ୍ଛତା କ୍ଷେତ୍ରରେ ଦୃଶ୍ୟମାନ ପରିବର୍ତ୍ତନ ଆଣନ୍ତୁ ବୋଲି ଇଂ. ପୂଜାରୀ ଦାବି କରିଛନ୍ତି।

