ସମ୍ବଲପୁର,୧୪/୧୧(ଉତ୍କଳ ସମାଚାର),(ସରୋଜ ସାହୁ): ଓଡ଼ିଶା ରାଜ୍ୟ ପଛୁଆ ଅଞ୍ଚଳ ବେସରକାରୀ ମହାବିଦ୍ୟାଳୟ ଶିକ୍ଷକ କର୍ମଚାରୀ ସଂଘର ସମ୍ବଲପୁର ଜିଲ୍ଲା ଶାଖା ପକ୍ଷରୁ ପ୍ରବୀଣ ଶିକ୍ଷକ ନେତା ସ୍ୱର୍ଗତ ପ୍ରଫେସର ଅବନୀ ବରାଳଙ୍କ ଶ୍ରାଦ୍ଧବାର୍ଷିକୀ ତଥା ପୁଣ୍ୟତିଥି ଶୁକ୍ରବାର ବୁଢ଼ାରଜାସ୍ଥିତ ରାମକଲି ଦେବୀ ଟ୍ରଷ୍ଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପାଳିତ ହୋଇଯାଇଛି।ପ୍ରଫେସର ଅଶୋକ କୁମାର ବହିଦାରଙ୍କ ସଭାପତିତ୍ୱରେ ଆୟୋଜିତ ସ୍ମୃତିଚାରଣ ସଭାରେ ସହ-ଆବାହକ ଡ. ବସନ୍ତ କୁମାର ଦାଶ, କୋଷାଧ୍ୟକ୍ଷ ପ୍ରଫେସର ସୂର୍ଯ୍ୟନାରାୟଣ ଅଗସ୍ତି, କାର୍ଯ୍ୟକାରିଣୀ କମିଟି ସଦସ୍ୟ ପ୍ରଫେସର ଶଶିକାନ୍ତ ପଣ୍ଡା, ସରକାରୀ ମହାବିଦ୍ୟାଳୟ ଶିକ୍ଷକ ସଂଘର ବରିଷ୍ଠ ସଂଗଠକ ପ୍ରଫେସର କାମଦେବ ସାହୁ, ସଂଘର କାର୍ଯ୍ୟକାରୀ ସଭାପତି ଡ. ଅଶ୍ୱିନୀ କୁମାର ସୁପକାର, ୬୬୨ ବର୍ଗ ମହାବିଦ୍ୟାଳୟର ପ୍ରତିନିଧି ବିଶ୍ୱପତି ବେହେରା ଓ ଅକ୍ଷୟ କୁମାର ମହାପାତ୍ର ଯୋଗଦେଇଥିଲେ।ବକ୍ତାମାନେ ପ୍ରଫେସର ଅବନୀ ବରାଳଙ୍କ ଜୀବନ, ବ୍ୟକ୍ତିତ୍ୱ, ସାଧନା ଓ ଅବଦାନ ସମ୍ପର୍କରେ ଆଲୋକପାତ କରିବା ସହ ଓଡ଼ିଶାର ବିଭିନ୍ନ ବର୍ଗର ମହାବିଦ୍ୟାଳୟର ଶିକ୍ଷକ ଓ କର୍ମଚାରୀମାନଙ୍କ ସମସ୍ୟା ଉପରେ ମତବ୍ୟକ୍ତ କରିଥିଲେ।ଏହି ଅବସରରେ ସଂଘର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟବୃନ୍ଦ ଦିବଙ୍ଗତ କିମ୍ବଦନ୍ତୀ ପୁରୁଷ, ବାଗ୍ମୀ, ବକ୍ତା ଓ ଲେଖକ ସ୍ୱର୍ଗତ ଅବନୀ ବରାଳଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସଂଘର ଉପସଭାପତି ଡ. ଦୀପେନ କୁମାର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରଫେସର କୃପାଶଙ୍କର ନାଥ ଓ ପ୍ରଫେସର ଜ୍ଞାନରଞ୍ଜନ ସାମଲ ସହଯୋଗ କରିଥିଲେ।

