ସମ୍ବଲପୁର,୧୪/୧୧(ଉତ୍କଳ ସମାଚାର),(ସରୋଜ ସାହୁ):ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ଘିଚାମୁରା ପଞ୍ଚାୟତ ଅନ୍ତର୍ଗତ ବେଉଁରା ଗ୍ରାମରେ ବଣୁଆ ହାତୀ ଆକ୍ରମଣରେ ସଚ୍ଚିଦାନନ୍ଦ ପ୍ରଧାନ (୫୦) ଗୁରୁତର ଆହତ ହୋଇଛନ୍ତି। ହାତୀ ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଭାଙ୍ଗି ଯାଇଥିବା ଜଣାପଡ଼ିଛି।ସୂଚନା ଅନୁଯାୟୀ, ଆଜି ପୂର୍ବାହ୍ନ ପ୍ରାୟ ୧୦ଟା ସମୟରେ ସଚ୍ଚିଦାନନ୍ଦ ସାଇକେଲ ଯୋଗେ ସୋଢ଼ାମାଲ ବଜାରକୁ ଯାଉଥିବା ବେଳେ ରାସ୍ତାରେ ହଠାତ୍ ଏକ ବଣୁଆ ହାତୀ ସହ ତାଙ୍କର ସାମ୍ନାସାମ୍ନି ହୋଇଥିଲା। ହାତୀଟି ତାଙ୍କୁ ଆକ୍ରମଣ କରି ତଳେ ପକାଇ ଦେଇଥିଲା। ନିକଟରେ ଥିବା ଲୋକମାନେ ପାଟିତୁଣ୍ଡ କରିବାରୁ ହାତୀଟି ତାଙ୍କୁ ଛାଡ଼ି ଜଙ୍ଗଲ ଆଡ଼କୁ ଚାଲିଯାଇଥିଲା। ଫଳରେ ସେ ଅଳ୍ପକେ ଜୀବନରକ୍ଷା ପାଇଥିଲେ। ପରେ ସ୍ଥାନୀୟ ଲୋକେ ଆହତ ସଚ୍ଚିଦାନନ୍ଦଙ୍କୁ ଲଇଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ନିମନ୍ତେ ତାଙ୍କୁ ସମ୍ବଲପୁର ସ୍ଥାନାନ୍ତର କରାଯାଇଛି। ଖବର ପାଇ ଜଙ୍ଗଲ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳ ଓ ଲଇଡା ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚିଥିଲେ। ସୂଚନାଯୋଗ୍ୟ, ଉକ୍ତ ବଣୁଆ ହାତୀଟି ବେଉଁରା-ଶ୍ରଦ୍ଧାପାଲି ଜଙ୍ଗଲ ଅଞ୍ଚଳରେ ବୁଲୁଥିବାରୁ ଆଖପାଖ ଗ୍ରାମବାସୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ହାତୀର ଗତିବିଧି ଉପରେ ନଜର ରଖିବା ସହ ଲୋକଙ୍କ ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି ହେଉଛି

