ନବରଙ୍ଗପୁର,14//11,(ଉତ୍କଳ ସମାଚାର): ନବରଙ୍ଗପୁର ଜିଲ୍ଲାରେ ବେଆଇନ ମଦ ପ୍ରସ୍ତୁତି, ବିକ୍ରୟ, ଗଚ୍ଛିତ ରଖିବା ଓ ଚୋରା କାରବାର ଉପରେ ଅଙ୍କୁଶ ଲଗାଇବା ସହ ଅବକାରୀ ଆଇନର କଡ଼ାକଡ଼ି ଅନୁପାଳନ ସୁନିଶ୍ଚିତ କରିବା ନିମନ୍ତେ ଜିଲ୍ଲା ପ୍ରଶାସନ ଓ ଅବକାରୀ ବିଭାଗ ପକ୍ଷରୁ ନିରନ୍ତର ପଦକ୍ଷେପ ଗ୍ରହଣ କରାଯାଉଛି। ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ଏବଂ ଆରକ୍ଷୀ ଅଧୀକ୍ଷକ ଶ୍ରୀ କାଶ୍ୟପ ପାର୍ଥ ଜଗଦୀଶଙ୍କ ନିର୍ଦ୍ଦେଶକ୍ରମେ ଗତ ୧୩ ନଭେମ୍ବର ୨୦୨୬ ତାରିଖରେ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଜିଲ୍ଲାବ୍ୟାପୀ ଏକ ବ୍ୟାପକ ସ୍ୱତନ୍ତ୍ର ଚଢ଼ାଉ ଅଭିଯାନ ଆୟୋଜନ କରାଯାଇଥିଲା।ଜିଲ୍ଲା ଅବକାରୀ ଅଧୀକ୍ଷକ ଶ୍ରୀ ପ୍ରତାପ କୁମାର ଦାସଙ୍କ ତତ୍ତ୍ୱାବଧାନରେ ଏହି ଅଭିଯାନକୁ ସୁସଂଗଠିତ ଭାବେ ପରିଚାଳନା କରାଯାଇଥିଲା। ଏଥିରେ ଅବକାରୀ ବିଭାଗର ମୋବାଇଲ୍ ୟୁନିଟ୍, ନବରଙ୍ଗପୁର ଓ ଉମରକୋଟ ଅବକାରୀ ରେଞ୍ଜ ସମେତ ବିଭିନ୍ନ ଅବକାରୀ ଥାନାର କର୍ମଚାରୀମାନେ ସାମିଲ ହୋଇ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ାଉ ଓ ଯାଞ୍ଚ କରିଥିଲେ।ଏହି ସ୍ୱତନ୍ତ୍ର ଅଭିଯାନରେ ସମୁଦାୟ ୧୦ଟି ଅବକାରୀ ମାମଲା ରୁଜୁ କରାଯାଇଥିବା ବେଳେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ବିଚାର ପାଇଁ ଅଦାଲତକୁ ପଠାଯାଇଛି। ଏଥିସହ ଅନ୍ୟ ୨ ଜଣଙ୍କୁ ଭାରତୀୟ ନାଗରିକ ସୁରକ୍ଷା ସଂହିତା (BNSS) ର ଧାରା ୩୫(୩) ଅନୁଯାୟୀ ନୋଟିସ୍ ଜାରି କରାଯାଇଛି। ଏହି ଚଢ଼ାଉ ସମୟରେ ବିପୁଳ ପରିମାଣର ବେଆଇନ ମଦ ଓ ମଦ ପ୍ରସ୍ତୁତିରେ ବ୍ୟବହୃତ ସାମଗ୍ରୀ ଜବତ କରାଯାଇଛି।ଅବକାରୀ ବିଭାଗର ସାମଗ୍ରିକ ରିପୋର୍ଟ ଅନୁଯାୟୀ, ଏହି ଅଭିଯାନରେ ମୋଟ ୮୦୬ ଲିଟର ଅବୈଧ ଦେଶୀ ମଦ (ID Liquor), ୧୨ ଲିଟର ବିଦେଶୀ ମଦ (OS Liquor) ଏବଂ ୮,୯୭୫ କିଲୋଗ୍ରାମ ମଦ ପ୍ରସ୍ତୁତି ପାଇଁ ବ୍ୟବହୃତ ପୋଚ୍ (Wash) ଜବତ କରାଯାଇଛି। ବେଆଇନ ମଦ ପ୍ରସ୍ତୁତି ଓ ବିକ୍ରୟ କାରବାରକୁ ରୋକିବା ଦିଗରେ ଏହି ଜବତି ଏକ ଉଲ୍ଲେଖନୀୟ ପଦକ୍ଷେପ ଭାବେ ବିବେଚିତ ହୋଇଛି।ଏହି ଅଭିଯାନ ନବରଙ୍ଗପୁର ଓ ଉମରକୋଟ ଅବକାରୀ ରେଞ୍ଜ ଅଧୀନରେ ପରିଚାଳିତ ହେବା ସହ ନବରଙ୍ଗପୁର, କୋଡ଼ିଙ୍ଗା, ପାପଡ଼ାହାଣ୍ଡି, ଉମରକୋଟ ଓ ରାଇଘର ଅବକାରୀ ଥାନା ଅଞ୍ଚଳକୁ ଅନ୍ତର୍ଭୁକ୍ତ କରିଥିଲା। ବିଭିନ୍ନ ସ୍ଥାନରେ ଅବୈଧ ମଦ ପ୍ରସ୍ତୁତି ଓ ବିକ୍ରୟ ସମ୍ପର୍କିତ ଗତିବିଧି ଉପରେ ନଜର ରଖିବା ସହ ଅବକାରୀ ଆଇନ ଉଲ୍ଲଂଘନକାରୀଙ୍କ ବିରୋଧରେ ଆଇନାନୁଯାୟୀ ପଦକ୍ଷେପ ଗ୍ରହଣ କରାଯାଇଥିଲା।ଜିଲ୍ଲାରେ ବେଆଇନ ମଦ କାରବାରର ନିରାକରଣ, ଅପମିଶ୍ରିତ ଓ ଅସୁରକ୍ଷିତ ମଦର ପ୍ରଚଳନ ରୋକିବା, ଜନସାଧାରଣଙ୍କ ସ୍ୱାସ୍ଥ୍ୟ ଓ ଜୀବନର ସୁରକ୍ଷା ତଥା ଆଇନଶୃଙ୍ଖଳା ବଜାୟ ରଖିବା ଦିଗରେ ଅବକାରୀ ବିଭାଗର ଏହି ପଦକ୍ଷେପ ଗୁରୁତ୍ୱ ବହନ କରୁଛି। ଜିଲ୍ଲାରେ ବେଆଇନ ମଦ ପ୍ରସ୍ତୁତି, ସଂରକ୍ଷଣ, ପରିବହନ ଓ ବିକ୍ରୟ କାରବାରକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରିବା ଲକ୍ଷ୍ୟରେ ଅବକାରୀ ବିଭାଗ ପକ୍ଷରୁ ଆଗାମୀ ଦିନରେ ମଧ୍ୟ ଏଭଳି ନିୟମିତ ଚଢ଼ାଉ, ଯାଞ୍ଚ ଓ ଧରପଗଡ଼ ଅଭିଯାନ ଜାରି ରହିବ ବୋଲି ଜିଲ୍ଲା ଅବକାରୀ ଅଧୀକ୍ଷକ ଶ୍ରୀ ପ୍ରତାପ କୁମାର ଦାସ ପ୍ରକାଶ କରିଛନ୍ତି l

