ସମ୍ବଲପୁର,୧୪/୧୧(ଉତ୍କଳ ସମାଚାର),(ସରୋଜ ସାହୁ): ସମ୍ବଲପୁରର ଅମୀର ଖୁଶରୁ ଫାଉଣ୍ଡେସନ ପକ୍ଷରୁ ଆସନ୍ତା ନଭେମ୍ବର ୧୬ ତାରିଖରେ ସ୍ଥାନୀୟ ଓଡ଼ିଶା ସାଂସ୍କୃତିକ ସମାଜଠାରେ ବିଶ୍ୱ ଉର୍ଦ୍ଦୁ ଦିବସ ପାଳନ ଅବସରରେ ଏକ ସର୍ବଭାରତୀୟ କବି ସମ୍ମିଳନୀ ଓ ମୁଶାୟେରା ଆୟୋଜିତ ହେବ।ଏହି କାର୍ଯ୍ୟକ୍ରମର ପ୍ରସ୍ତୁତି ନିମନ୍ତେ ସାମ୍ବାଦିକ ଭବନଠାରେ ଅନୁଷ୍ଠାନର ଏକ ବୈଠକ ସଭାପତି ନାଶିର ଫରାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ଅନୁଷ୍ଠାନର ଆବାହକ ସୂର୍ଯ୍ୟ ପାଣିଗ୍ରାହୀ, ମହମ୍ମଦ ପରବେଜ ଅଲି ଖାନ, ଯୁଗ୍ମ ସମ୍ପାଦକ ତ୍ରିଲୋଚନ ତ୍ରିପାଠୀ ଓ ଉପସଭାପତି ମହମ୍ମଦ ଏକମଲ ଖାନ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ବିଗତ କିଛି ବର୍ଷ ଧରି ଆୟୋଜିତ ହୋଇଆସୁଥିବା କାର୍ଯ୍ୟକ୍ରମର ସମୀକ୍ଷା ସହ ଆଗାମୀ ଆୟୋଜନର ରୂପରେଖ ଉପରେ ଆଲୋଚନା କରାଯାଇଥିଲା।ଅନୁଷ୍ଠାନର ସୂଚନା ଅନୁଯାୟୀ, ଏହି ସର୍ବଭାରତୀୟ ମୁଶାୟେରାରେ ଦେଶର ବିଭିନ୍ନ ପ୍ରାନ୍ତରୁ ବହୁ ପ୍ରତିଷ୍ଠିତ କବି ଯୋଗଦେବେ। ଏଥିସହ ସମ୍ବଲପୁରୀ କବିମାନେ ମଧ୍ୟ ଅଂଶଗ୍ରହଣ କରିବେ। ଉର୍ଦ୍ଦୁ, ହିନ୍ଦୀ ଓ ସମ୍ବଲପୁରୀ ଭାଷାରେ କବିତା ପାଠ ଓ ମୁଶାୟେରା ଏହି କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ହେବ।ଏହି ବିଶେଷ ଆୟୋଜନରେ ମଧ୍ୟପ୍ରଦେଶର ବୁରହନପୁରରୁ ଡ. ଜଲିଲୁର ରହମାନ, ଓଡ଼ିଶାର ରାଉରକେଲାରୁ ଡ. କୁମାର ପ୍ରଜାପତି, ଗ୍ୱାଲିଅରରୁ ନୂର ଧୋଲପୁରୀ, ରାଜଗାଙ୍ଗପୁରରୁ ଅଫଜଲ ବେଦାର, ବାରାଣସୀରୁ ବିଭା ଶୁକ୍ଲା, ଦେୱାସରୁ ଇସ୍ମାଇଲ ନଜର, ମୁମ୍ବାଇରୁ ତାଜାମ୍ମୁଲ ହୁସେନ ଜହୀଦ, କୋଟାରୁ ନୈନା ନସୀବ, ରାଜସ୍ଥାନରୁ ଦିନେଶ କୁମାର ମାଲି, ସମ୍ବଲପୁରରୁ ମୁମତାଜ ସହୂର ଓ ନାଶିର ଫରାଜ ଏବଂ ଝାରସୁଗୁଡ଼ାରୁ ଅଜୟ ଆଲାମ ପଣ୍ଡା ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ବହୁଭାଷୀ ସାହିତ୍ୟ ଓ ସଂସ୍କୃତିର ଆଦାନପ୍ରଦାନ ସହ କବିତା ମାଧ୍ୟମରେ ଭାଷାଗତ ଏକତା ଓ ଭାଇଚାରାର ବାର୍ତ୍ତା ପ୍ରସାର କରିବା ଏହି ଆୟୋଜନର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଆବାହକ ସୂର୍ଯ୍ୟ ପାଣିଗ୍ରାହୀ ଓ ମହମ୍ମଦ ପରବେଜ ଅଲି ଖାନ ସୂଚନା ଦେଇଛନ୍ତି

