ରାଉରକେଲା:14//11,(ଉତ୍କଳ ସମାଚାର): ମଧୁବାବୁ ଯୋଜନାରେ ଭତ୍ତା ପ୍ରଦାନ ବ୍ୟବସ୍ଥାକୁ ଅଧିକ ସ୍ଵଚ୍ଛ, ପାରଦର୍ଶୀ ଓ ସରଳୀକରଣ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଏକୀକୃତ ପେନସନ୍ ପରିଚାଳନା ପୋର୍ଟାଲ ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଶନିବାର ସ୍ଥାନୀୟ ଛେଣ୍ଡ ସ୍ଥିତ ମଧୁସୂଦନ ମଣ୍ଡପ ଠାରେ ମହାନଗର ନିଗମସ୍ତରୀୟ ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ୩୧୦୦ ଜଣ ଯୋଗ୍ୟ ନୂତନ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରାଯାଇଥିଲା। ଆଜିର ଏହି କାର୍ଯ୍ୟକ୍ରମରେ ମାନ୍ୟବର ବିଧାୟକ ରଘୁନାଥପାଲି ଶ୍ରୀଯୁକ୍ତ ଦୁର୍ଗା ଚରଣ ତନ୍ତୀ ଉପସ୍ଥିତ ରହି ସରକାରଙ୍କ ଏହି ପଦକ୍ଷେପକୁ ପ୍ରଶଂସା କରିଥିଲେ। ଏହା ସହ କହିଥିଲେ ଯେ, ଏହି ପୋର୍ଟାଲ୍ ମାଧ୍ୟମରେ ଭତ୍ତା ପ୍ରଦାନ ବ୍ୟବସ୍ଥା ଅଧିକ ସରଳ ଓ ତ୍ଵରିତ ହେବା ସହ ଏହା ଦ୍ୱାରା କେହି ବି ଯୋଗ୍ୟ ହିତାଧିକାରୀ ଭତ୍ତା ପାଇବାରୁ ବଞ୍ଚିତ ହେବେ ନାହିଁ। ସାମାଜିକ ସୁରକ୍ଷା ଓ ଜନକଲ୍ୟାଣକୁ ସୁନିଶ୍ଚିତ କରିବା ସହ ସମସ୍ତଙ୍କୁ ବିକଶିତ ଭାରତର ମୁଖ୍ୟସ୍ରୋତରେ ସାମିଲ କରିବା ଦିଗରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ସେ ମତ ଦେଇଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ରାଉରକେଲା ବିଧାୟକ ଶ୍ରୀଯୁକ୍ତ ସାରଦା ପ୍ରସାଦ ନାୟକ ସହ ରାଉରକେଲା ମହାନଗର ନିଗମ ଆୟୁକ୍ତ ଶ୍ରୀମତୀ ଦୀନା ଦସ୍ତଗୀର୍, ଯୁଗ୍ମ ଆୟୁକ୍ତ ଶ୍ରୀମତୀ ପଲ୍ଲବୀ ନାୟକଙ୍କ ସହ ଅନ୍ୟ ବିଭାଗୀୟ ଅଧିକାରୀ ଓ ସ୍ଥାନୀୟ ଲୋକ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ।


