ରାଇଘର/ଉମରକୋଟ,16//11,(ଉତ୍କଳ ସମାଚାର) (ନରସିଂବାଘ ): ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୧ତମ ଜୟନ୍ତୀ ଅବସରରେ ରାଇଘର ବ୍ଲକ କୁନ୍ଦେଇସ୍ଥିତ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ‘ଜନଜାତୀୟ ଗୌରବ ଦିବସ-୨୦୨୬’ ପାଳିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲାର କୁନ୍ଦେଇ (ରାଇଘର), ବଡ଼ଆମ୍ବଡ଼ା (କୋଷାଗୁମୁଡ଼ା) ଓ ସିଙ୍ଗିସାରୀ (ଉମରକୋଟ)ଠାରେ ନବନିର୍ମିତ ୩ଟି ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟକୁ ଉଦ୍ଘାଟନ କରାଯାଇଛି।କୁନ୍ଦେଇ ସମାରୋହରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ବାସନ୍ତୀ ମାଝୀ, ଜିଲ୍ଲାପାଳ ଡଃ ମଧୁମିତା, ପିଏ ଆଇଟିଡିଏ ରାଜୀବ କୁମାର ସାହୁ, ସିଡିଓ ପ୍ରତାପ ଚନ୍ଦ୍ର ପ୍ରଧାନ, ଏଡିଏମ୍ ଡଃ ପ୍ରମୋଦ କୁମାର ପୃଷ୍ଟି, ରାଇଘର ବ୍ଲକ ଅଧ୍ୟକ୍ଷ ଗୁପ୍ତପ୍ରସାଦ ଝାଙ୍କର ଓ ସ୍ଥାନୀୟ ଜନପ୍ରତିନିଧିମାନେ ଯୋଗଦେଇ ବିର୍ସା ମୁଣ୍ଡାଙ୍କ ସଂଘର୍ଷମୟ ଜୀବନୀ ଉପରେ ଆଲୋକପାତ କରିଥିଲେ। ସେହିପରି ବଡ଼ଆମ୍ବଡ଼ା କାର୍ଯ୍ୟକ୍ରମରେ ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।ଏହି ଅବସରରେ ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ଓଡ଼ିଶା ନିର୍ମାଣ ଓ ଅଣସଂଗଠିତ ଶ୍ରମିକ କଲ୍ୟାଣ ବୋର୍ଡ ଅଧୀନରେ ମୋଟ ୫୨୮ ଜଣ ହିତାଧିକାରୀଙ୍କୁ ୨ କୋଟି ୫୦ ଲକ୍ଷ ୮୬ ହଜାର ୬୦୦ ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଥିଲା। ଏଥିସହ ଜନଜାତୀୟ ନୃତ୍ୟ କଳାରେ ଉଲ୍ଲେଖନୀୟ ଅବଦାନ ପାଇଁ ଉମରକୋଟ ସୁନାବେଡ଼ାର ଧନରାମ ନାୟକ ଓ ପାରମ୍ପରିକ ଚିକିତ୍ସା ଜ୍ଞାନର ସଂରକ୍ଷଣ ପାଇଁ ଠାକୁର ନାୟକଙ୍କୁ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମରେ ଅତିଥିମାନେ ସ୍ୱାଧୀନତା ସଂଗ୍ରାମୀଙ୍କ ପ୍ରଦର୍ଶନୀ ଷ୍ଟଲ୍ ପରିଦର୍ଶନ କରିଥିଲେ।
