ରାଉରକେଲା:16//11,(ଉତ୍କଳ ସମାଚାର)ସାରା ଦେଶରେ ସୋମବାର ଦିନ ପାଳନ ହୋଇଛି ଜାତୀୟ ପ୍ରେସ୍ ଦିବସ। ଏହି ଅବସରରେ ରାଉରକେଲା ପ୍ରଶାସନ ଏବଂ ଜିଲ୍ଲା ଲୋକ ସମ୍ପର୍କ ବିଭାଗ ପକ୍ଷରୁ ମିଳିତଭାବେ ଏକ ସଭାର ଆୟୋଜନ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥିଭାବେ ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ ଆୟୁକ୍ତ ଧିନା ଦସ୍ତଗୀର ଯୋଗଦେଇ ଚଳିତ ବର୍ଷ ଦିବସ ପାଳନର୍ ପ୍ରସଙ୍ଗ-‘ସାମ୍ବାଦିକତା:ଲୋକପ୍ରିୟତା ବନାମ ଦାୟିତ୍ୱବୋଧ’ ଶୀର୍ଷକରେ ଆଲୋଚନା କରିଥିଲେ। ଏଥିରେ ସେ ନିରଅର ବ୍ୟକ୍ତିଗତ ଅନୁଭବ ଓ ଅନୁଭୂତି ସହିତ ପ୍ରଶାସନ ଏବଂ ସାମ୍ବାଦିକଙ୍କ ମଧ୍ୟରେ ଉତ୍ତମ ବୁଝାମଣା ଓ ସମ୍ପର୍କ ରକ୍ଷା ଉପରେ ଗୁରୁତ୍ୱାରୋପ କରିଥିଲେ। ସାମ୍ବାଦିକମାନେ ଉତ୍ତରଦାୟିତ୍ୱର ସହିତ ସଠିକ ଖବର ପରିବେଷଣ କରିବା ପାଇଁ ସେ ଆହ୍ୱାନ ଦେଇଥିଲେ। ଅନ୍ୟତମ ଅତିଥିଭାବେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶ୍ରାବଣି ନାୟକ ଯୋଗଦେଇ ସମାଜର ଏକ ଦର୍ପଣ ଭଳି ସାମ୍ବାଦିକ ଓ ଗଣମାଧ୍ୟମ କାର୍ଯ୍ୟ କରୁଛି ବୋଲି କହିଥିଲେ। ସ୍ୱତନ୍ତ୍ର ଅତିଥିଭାବେ ପାନପୋଷ ଉପଜିଲ୍ଲାପାଳ ପ୍ରଭାତ କୁମାର ପରିଡ଼ା ଯୋଗଦେଇ ବର୍ଷ ବର୍ଷ ଧରି ମୁଦ୍ରିତ ଗନମାଧ୍ୟମର ବିଶ୍ୱସନୀୟତା, ଆବଶ୍ୟକତା ଏବଂ ଗୁରୁତ୍ୱ ସମ୍ପର୍କରେ ନିଜର ଅନୁଭୂତି ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ସହରର ବରିଷ୍ଠ ସମାଜସେବୀ ତଥା ସଙ୍ଗଠକ ଡ. ସୁମନ ଦତ୍ତ, ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ଦାଶ, ସତ୍ୟାନନ୍ଦ ବେହେରା, ଚିତ୍ତରଞ୍ଜନ ବ୍ରହ୍ମା, କୁଞ୍ଜ ବିହାରୀ ରାଉତ, ନିଗମାନନ୍ଦ ଦାସ ପ୍ରମୁଖ ଶୀର୍ଷକ ଜରସଙ୍ଗ ସମ୍ପର୍କରେ ନିଜ ନିଜର ମତ ରଖିଥିଲେ। କାର୍ଯ୍ୟକ୍ରମର ଅନ୍ୟତମ ଆକର୍ଷଣ ଥିଲେ ସ୍ଥାନୀୟ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟର ଉଭୟେ ସ୍ନାତକ ଓ ସ୍ନାତକୋତ୍ତର ବର୍ଗର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ଛାତ୍ରଛାତ୍ରୀ। ଏମାନଙ୍କ ମଧ୍ୟରୁ ବିଶ୍ୱବିଜୟିନୀ ନାୟକ, ସ୍ନିଗ୍ଧା ସୋନି, ସ୍ରିୟା ପାତ୍ର ଓ ସ୍ରିଷ୍ଟି ପ୍ରସାଦ ପ୍ରମୁଖ ଦିବସ ପାଳନ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। କାର୍ଯ୍ୟକ୍ରମରେ ଯୋଗଦେଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ସ୍ଥାନୀୟ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୀମା ଫାତିମା ଏକ୍କାଙ୍କ ଅଧ୍ୟକ୍ଷତା ଓ ବରିଷ୍ଠ ସାମ୍ବାଦିକ ମହେନ୍ଦ୍ର ମିଶ୍ରଙ୍କ ସଂଯୋଜନାରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ବଣାଇ ଉପଖଣ୍ଡ ଲୋକ ସମ୍ପର୍କ ଅଧିକାରୀ ପୁଷ୍ପାଞ୍ଜଳି ସାହୁ ଉପସ୍ଥିତ ଥିଲେ। ଏହି ଉପଲକ୍ଷେ ଶତାଧିକ ଓଡ଼ିଆ, ଇଂରାଜୀ ଓ ହିନ୍ଦୀ ସମ୍ବାଦପତ୍ରର ଏକ ପ୍ରଦର୍ଶନୀ ଆୟୋଜିତ ହୋଇଥିଲା। ସମସ୍ତ କାର୍ଯ୍ୟକ୍ରମ ଆୟୋଜନରେ ରାଉରକେଲା ସହରର ବିଭିନ୍ନ ବର୍ଗର ସାମ୍ବାଦିକଙ୍କ ସମେତ ସ୍ଥାନୀୟ ସୂଚନା ଓ ଲୋକ ସମ୍ପର୍କ ବିଭାଗର କର୍ମଚାରୀମାନେ ସକ୍ରୀୟ ସହଯୋଗ କରିଥିଲେ।

