ସୁନ୍ଦରଗଡ଼:17//11,(ଉତ୍କଳ ସମାଚାର) ଆଜି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସ୍ଥାନୀୟ ସଦଭାବନା ଭବନଠାରେ ଜାତୀୟ ପ୍ରେସ ଦିବସ ପାଳନ କରାଯାଇଛି। ଜାତୀୟ ପ୍ରେସ ଦିବସର ଚଳିତ ବର୍ଷ ର ବିଷୟ ଥିଲା – “ସାମ୍ବାଦିକତା : ଲୋକପ୍ରିୟତା ବନାମ କର୍ତ୍ତବ୍ୟବୋଧ” ବା କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀ ଅଭିମନ୍ୟୁ ମାଝୀ, ପ୍ରେସ କ୍ଲବର କାର୍ଯ୍ୟକାରୀ ସଭାପତି ଏମ ଡି ସବୀର , ବରିଷ୍ଠ ସାମ୍ବାଦିକ ଶ୍ରୀ ଦେବବ୍ରତ ଜେନା ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ଅଧ୍ୟାପିକା ଶ୍ରୀମତୀ ସୁସ୍ମିତା ଭୋଇ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ସାମ୍ବାଦିକତା ଓ ସାମ୍ବାଦିକଙ୍କ ଉପରେ ଆଲୋଚନା କରିଥିଲେ। ସେହିଭଳି ପ୍ରେସ୍ ର ଉତ୍ପତ୍ତି, ସମ୍ବାଦପତ୍ରର ଇତିହାସ ଉପରେ ଆଲୋଚନା କରିବା ସହିତ ସମାଜ ପ୍ରତି ସମ୍ବାଦପତ୍ର ତଥା ସାମ୍ୱାଦିକମାନଙ୍କ ବଳିଷ୍ଠ ଭୂମିକା ଉପରେ ଆଲୋକପାତ କରିଥିଲେ। ସମ୍ବାଦପତ୍ର ମାଧ୍ୟମରେ ସମାଜର ବିଭିନ୍ନ ସମସ୍ୟା ଗୁଡ଼ିକୁ ଲୋକଲୋଚନ କୁ ଆଣିବା ତଥା ସେହି ସମସ୍ୟା ଗୁଡ଼ିକର ସମାଧାନ ଦିଗରେ ପ୍ରଚେଷ୍ଟା କରିବା ଉପରେ ମଧ୍ୟ ଆଲୋଚନା କରିଥିଲେ। ବରିଷ୍ଠ ସାମ୍ବାଦିକ ଶ୍ରୀ ସବିର ଓ ଶ୍ରୀ ଜେନା ସାମ୍ବାଦିକତା ଉପରେ ନିଜ ନିଜର ଅଭିଜ୍ଞତା ବାଣ୍ଟିବା ସହିତ କ୍ଷେତ୍ର ସ୍ତରରେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଗୁଡିକ ଉପରେ ଆଲୋକପାତ କରିବା ସହିତ ତାହାର ଦୂରୀକରଣ ନିମନ୍ତେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମାଝୀ ନିଜ ଅଭିଭାଷଣରେ ମାଧ୍ୟମରେ “ସାମ୍ୱାଦିକ ମାନେ ସମାଜର ଜାଗ୍ରତ ପ୍ରହରୀ ଏବଂ ସମାଜର ଲୋକଙ୍କର ସ୍ୱର” ବୋଲି ପ୍ରକାଶ କରିଥିଲେ। ଏହା ସହିତ ପ୍ରେସ୍ ସ୍ୱାଧୀନତା ଉପରେ ମଧ୍ୟ ଆଲୋଚନା କରି କହିଥିଲେ ଯେ, ପ୍ରେସ ସ୍ୱାଧୀନତା ଦ୍ଵାରା ଜନସାଧାରଣଙ୍କୁ ସତ୍ୟ, ନିରପେକ୍ଷ , ନିର୍ଭୁଲ ସୂଚନା ପ୍ରଦାନ କରିବାରେ ସହାୟକ ହୋଇଥାଏ। ପରେ ପରେ ସାମ୍ବାଦିକ ମାନଙ୍କ ମଧ୍ୟରେ ଏକ ଖୋଲା ଆଲୋଚନା ମଧ୍ୟ ହୋଇଥିଲା , ଏଥିରେ ସାମ୍ବାଦିକ ମାନେ ସେମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଗୁଡିକ ଉପରେ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ନନ୍ଦିନୀ ମୁଣ୍ଡାରୀ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ ଏବଂ ଜାତୀୟ ପ୍ରେସ୍ ଦିବସ ପାଳନର ଉଦ୍ଦେଶ୍ୟ ଉପରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମରେ ସମସ୍ତ ଗଣମାଧ୍ୟମ ପ୍ରତିନିଧି ତଥା ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ।

