ସମ୍ବଲପୁର,୧୮/୧୧(ଉତ୍କଳ ସମାଚାର),(ସରୋଜ ସାହୁ):ସୃଜନୀ ପରିବାର (ଚେନ୍ନାଇ) ଅନୁକୂଲ୍ୟରେ ଓଡ଼ିଶାର ବିଶିଷ୍ଟ ଶିକ୍ଷାବିତ୍, ସାହିତ୍ୟିକ ତଥା ଯୋଗାଚାର୍ଯ୍ୟ ସ୍ୱର୍ଗତ ପ୍ରଫେସର ଜୟଦେବ ଡନସନାଙ୍କ ସ୍ମୃତିରେ ଏକ ଶ୍ରଦ୍ଧାଞ୍ଜଳି ଓ ସ୍ମୃତିଚାରଣ ସଭା ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି। ଡାକ୍ତର ଜୟଦେବ ମେହେରଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ସଭାରେ ଦେଶ ଓ ବିଦେଶର ବହୁ ବିଶିଷ୍ଟ ବ୍ୟକ୍ତିତ୍ୱ, ସାହିତ୍ୟିକ, ଶିକ୍ଷାବିତ୍ ଓ ସମାଜସେବୀ ଯୋଗଦେଇ ଦିବଂଗତ ମହାନ ବ୍ୟକ୍ତିତ୍ୱଙ୍କ ପ୍ରତି ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପ୍ରଫେସର ଜୟଦେବ ଡନସନା ଶିକ୍ଷା, ଯୋଗସାଧନା ଓ ସାହିତ୍ୟ ମାଧ୍ୟମରେ ସମାଜରେ ଶାନ୍ତି, ଆଧ୍ୟାତ୍ମିକତା ଓ ମାନବୀୟ ମୂଲ୍ୟବୋଧର ପ୍ରସାର ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ। ସେ ଇଂରାଜୀ ଅଧ୍ୟାପକ ଭାବରେ ବରଗଡ଼ ପଞ୍ଚାୟତ କଲେଜ, ଗଙ୍ଗାଧର ମେହେର ସାନ୍ଧ୍ୟ ମହାବିଦ୍ୟାଳୟ ଓ ବଲାଙ୍ଗୀର ସରକାରୀ ମହିଳା ମହାବିଦ୍ୟାଳୟ ଆଦି ଅନୁଷ୍ଠାନରେ ଅଧ୍ୟାପନା କରିଥିଲେ। ପରବର୍ତ୍ତୀ ସମୟରେ ସୋନପୁର ମହାବିଦ୍ୟାଳୟର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରି ୧୯୯୫ ମସିହାରେ ଅବସର ଗ୍ରହଣ କରିଥିଲେ। ଯୋଗ ଓ ପ୍ରାଣାୟାମର ପ୍ରସାର କ୍ଷେତ୍ରରେ ମଧ୍ୟ ତାଙ୍କର ଅବଦାନ ଅବିସ୍ମରଣୀୟ। ସେ ସୋନପୁରସ୍ଥିତ ଗୋପାଳଜୀ ମନଶ୍ୱାସ ଯୋଗାଳୟର ପ୍ରତିଷ୍ଠାତା ସଭାପତି ଥିଲେ। ଏଥିସହ ନେହେରୁ ଯୁବ କେନ୍ଦ୍ରର ସଂଯୋଜକ ଭାବେ ଯୁବ ବିକାଶ ଓ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ସକ୍ରିୟ ଭୂମିକା ତୁଲାଇଥିଲେ। ଯୋଗ ମାଧ୍ୟମରେ ଶାରୀରିକ ସୁସ୍ଥତା, ମାନସିକ ଶାନ୍ତି ଓ ବ୍ୟକ୍ତିତ୍ୱର ସାମଗ୍ରିକ ବିକାଶ ଉପରେ ସେ ସର୍ବଦା ଗୁରୁତ୍ୱ ଦେଉଥିଲେ। ସମ୍ବଲପୁରୀ ସାହିତ୍ୟର ସମୃଦ୍ଧି କ୍ଷେତ୍ରରେ ମଧ୍ୟ ତାଙ୍କର ଅବଦାନ ଥିଲା ଅତୁଳନୀୟ। ବିଶେଷକରି ଆଧୁନିକ ସମ୍ବଲପୁରୀ କବିତାର ବିକାଶରେ ସେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ। ପାରମ୍ପରିକ ଲୋକଗୀତ ଓ ଭକ୍ତି ସାହିତ୍ୟର ସୀମା ଅତିକ୍ରମ କରି ସମ୍ବଲପୁରୀ ଭାଷାରେ ଆଧୁନିକ ଚିନ୍ତାଧାରା ଓ ନୂତନ ସାହିତ୍ୟିକ ଅଭିବ୍ୟକ୍ତିର ପ୍ରୟୋଗ କରିବାରେ ସେ ଅଗ୍ରଣୀ ଥିଲେ। ସ୍ମୃତିଚାରଣ ସଭାରେ ବରିଷ୍ଠ ସାମ୍ବାଦିକ ଗୋରେଖନାଥ ସାହୁ, ସୋନପୁର ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡକ୍ଟର ସନ୍ତୋଷ କୁମାର ପାଢ଼ୀ, ବରିଷ୍ଠ ସାହିତ୍ୟିକ ଡକ୍ଟର ଜ୍ୟୋତିରଞ୍ଜନ ବହିଦାର, ପ୍ରାଧ୍ୟାପିକା ମୀନା ମହାରଣା, ଡକ୍ଟର ଆର୍ତ୍ତତ୍ରାଣ ବାବୁ, ସମାଜସେବୀ ଜ୍ୟୋତିରଞ୍ଜନ ପଟ୍ଟନାୟକ, ଡାକ୍ତର ପ୍ରକାଶ ଡନସନା, ଡାକ୍ତର ଘନଶ୍ୟାମ ମେହେର, ଲୋକନାଥ ପାଣିଗ୍ରାହୀ, ଡାକ୍ତର ସୁଷମା ମଞ୍ଜରୀ ଦାଶ, ଚିତ୍ତରଞ୍ଜନ ବେହେରା, ନିତାଇ ବାବୁ ଓ ସିନ୍ଧୁସୁତ ନାୟକ ପ୍ରମୁଖ ଯୋଗଦେଇଥିଲେ।ଉପସ୍ଥିତ ବକ୍ତାମାନେ ପ୍ରଫେସର ଡନସନାଙ୍କ ଶିକ୍ଷାଦାନ, ଯୋଗସାଧନା, ସାହିତ୍ୟ ସୃଷ୍ଟି ଓ ସମାଜସେବାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିବା ସହ ତାଙ୍କର ଜୀବନାଦର୍ଶ ଓ ଅବଦାନକୁ ସ୍ମରଣ କରିଥିଲେ। ସୃଜନୀ ପରିବାର (ଚେନ୍ନାଇ)ର ସାଧାରଣ ସମ୍ପାଦକ ଅଶୋକ ସାମନ୍ତ ଓ କାର୍ଯ୍ୟକ୍ରମ ନିର୍ଦ୍ଦେଶକ ତଥା ଆବାହକ କୈବଲ୍ୟ କୁମାର ମିଶ୍ର ସଭା ପରିଚାଳନା କରିଥିଲେ। ବରିଷ୍ଠ ସାମ୍ବାଦିକ ରାଜୀବ ସାଗରିଆ ଓ ଐତିହାସିକ ସାଲେଗ୍ରାମ ହୋତାଙ୍କ ସମେତ ଦେଶ ଓ ବିଦେଶର ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିତି ଏହି ସ୍ମୃତିସଭାକୁ ଗରିମାମୟ କରିଥିଲା।
