ସମ୍ବଲପୁର,୧୮/୧୧(ଉତ୍କଳ ସମାଚାର),(ସରୋଜ ସାହୁ):ଜ଼ିଲ୍ଲାର ଜଣେ ସୁନାମଧନ୍ୟ କ୍ରୀଡ଼ା ସଂଗଠକ ତଥା କ୍ରୀଡ଼ା ଜଗତର ପରିଚିତ ବ୍ୟକ୍ତିତ୍ୱ ମନୋରଞ୍ଜନ ପାଢ଼ୀଙ୍କ ବିୟୋଗରେ ସମ୍ବଲପୁର କ୍ରୀଡ଼ା ମହଲରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ସ୍ମୃତିରେ ସମ୍ବଲପୁର ଜ଼ିଲ୍ଲା କ୍ରୀଡ଼ାସଂଘ ପକ୍ଷରୁ ଏକ ଶୋକସଭା ଓ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ସ୍ଥାନୀୟ ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମସ୍ଥିତ କ୍ରୀଡ଼ାସଂଘ କାର୍ଯ୍ୟାଳୟ ପରିସରରେ ସଂଘର ସାଧାରଣ ସମ୍ପାଦକ ସୁନୀଲ କୁମାର ସାହୁଙ୍କ ସଭାପତିତ୍ୱରେ ଏହି ଶୋକସଭା ଅନୁଷ୍ଠିତ ହୋଇଥିଲା। ସ୍ୱର୍ଗତ ପାଢ଼ୀ ଜିଲା କ୍ରୀଡ଼ାସଂଘର ପୂର୍ବତନ ସଦସ୍ୟ ହେବା ସହ ସମ୍ବଲପୁର ସନ୍ତରଣ ସଂଘ ସହ ମଧ୍ୟ ଜଡ଼ିତ ଥିଲେ। କ୍ରୀଡ଼ାର ବିକାଶ ଓ କ୍ରୀଡ଼ା ସଂଗଠନକୁ ସୁଦୃଢ଼ କରିବା ଦିଗରେ ତାଙ୍କର ଅବଦାନକୁ ଏହି ଅବସରରେ ସ୍ମରଣ କରାଯାଇଥିଲା। ସଭାରେ ସଂଘର କୋଷାଧ୍ୟକ୍ଷ ଉମାପତି ତ୍ରିପାଠୀ, କ୍ରୀଡ଼ା ସମ୍ପାଦକ ବିକାଶ ମିଶ୍ର, କ୍ରିକେଟ ସମ୍ପାଦକ ଅବିନାଶ ନନ୍ଦ, ଫୁଟବଲ ସମ୍ପାଦକ ଅବଦୁଲ ଗଫର, ହକି ସମ୍ପାଦକ ବିନୋଦ ମାଝୀ, କ୍ରୀଡ଼ା ସମ୍ପାଦକ ରାଜେଶ ସେଠ, କାଉନସିଲ ସଦସ୍ୟ ଶାନ୍ତନୁ କୁମାର ନନ୍ଦ, ସୁଶାନ୍ତ କୁମାର ସାହୁ, ପଦ୍ମନାଭ ନାୟକ, ବିଭୂତି ଭୂଷଣ ମିଶ୍ର ଓ ମହମ୍ମଦ ଇସାକ ପ୍ରମୁଖ ଉପସ୍ଥିତ ରହି ସ୍ୱର୍ଗତ ପାଢ଼ୀଙ୍କ ଫଟୋଚିତ୍ରରେ ପୁଷ୍ପାର୍ଘ୍ୟ ଅର୍ପଣ କରିବା ସହ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧା ଓ ସମ୍ମାନ ଜଣାଇଥିଲେ।ଏହି ଅବସରରେ ଉପସ୍ଥିତ ସଦସ୍ୟମାନେ ତାଙ୍କର ସ୍ମୃତିଚାରଣ କରିବା ସହ କ୍ରୀଡ଼ା କ୍ଷେତ୍ରରେ ତାଙ୍କର ଅବଦାନ ଓ ସଂଗଠନ ପ୍ରତି ଥିବା ନିଷ୍ଠାକୁ ସ୍ମରଣ କରିଥିଲେ। ତାଙ୍କ ବିୟୋଗ କେବଳ ପରିବାରବର୍ଗଙ୍କ ପାଇଁ ନୁହେଁ, ବରଂ ସମ୍ବଲପୁରର କ୍ରୀଡ଼ା ଜଗତ ପାଇଁ ମଧ୍ୟ ଏକ ଅପୂରଣୀୟ କ୍ଷତି ବୋଲି ମତ ପ୍ରକାଶ ପାଇଥିଲା। ଶେଷରେ ଦିବଂଗତ ଆତ୍ମାଙ୍କ ସଦ୍ଗତି କାମନା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରାଯାଇଥିଲା।

