ସମ୍ବଲପୁର,୧୮/୧୧(ଉତ୍କଳ ସମାଚାର),(ସରୋଜ ସାହୁ):ଶିକ୍ଷକ ଅଭାବ ଓ ମୌଳିକ ଭିତ୍ତିଭୂମି ସମସ୍ୟାକୁ ନେଇ ଜମନକିରା ବ୍ଲକ୍ ଡିମିରିମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ଭାତପୁରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସୋମବାର ଅଭିଭାବକ ଓ ସ୍ଥାନୀୟ ଗ୍ରାମବାସୀଙ୍କ ପକ୍ଷରୁ ତାଲାବନ୍ଦ ଆନ୍ଦୋଳନ କରାଯାଇଥିଲା। ତିନି ଦିନ ମଧ୍ୟରେ ଶିକ୍ଷକ ନିଯୁକ୍ତିର ପ୍ରତିଶ୍ରୁତି ମିଳିବା ପରେ ଆନ୍ଦୋଳନ ସ୍ଥଗିତ ରଖାଯାଇଛି।ସୂଚନା ଅନୁଯାୟୀ, ବିଦ୍ୟାଳୟରେ ୮ଟି ଶ୍ରେଣୀ ପାଇଁ ମାତ୍ର ୩ ଜଣ ଶିକ୍ଷକ ରହିଥିବାରୁ ଶିକ୍ଷାଦାନ ବ୍ୟବସ୍ଥା ଗୁରୁତର ଭାବେ ବାଧାପ୍ରାପ୍ତ ହେଉଛି। ଶିକ୍ଷକ ନିଯୁକ୍ତି ସହ ପାନୀୟ ଜଳ, ନୂତନ ଶ୍ରେଣୀଗୃହ, ବିଦ୍ୟାଳୟ ପାଚେରୀ ଓ ଶୌଚାଳୟ ନିର୍ମାଣ ଦାବିରେ ଗତ ନଭେମ୍ବର ୫ ତାରିଖରୁ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଥିଲା। ତେବେ ୧୨ ଦିନ ବିତିଯାଇଥିଲେ ମଧ୍ୟ କୌଣସି ଠୋସ୍ ପଦକ୍ଷେପ ନିଆଯାଇନଥିବାରୁ ଶତାଧିକ ଗ୍ରାମବାସୀ ବିଦ୍ୟାଳୟ ଫାଟକରେ ତାଲା ପକାଇ ପ୍ରତିବାଦ କରିଥିଲେ।ଖବର ପାଇ କୁଚିଣ୍ଡା ଉପଜିଲ୍ଲାପାଳ ଶ୍ରୀ ଶି ସର୍ବନନ ଓ ସମ୍ବଲପୁର ଜିଲ୍ଲା ଶିକ୍ଷା ଅଧିକାରୀ ଆନ୍ଦୋଳନସ୍ଥଳରେ ପହଞ୍ଚି ଅଭିଭାବକ ଓ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ଆସନ୍ତା ତିନି ଦିନ ମଧ୍ୟରେ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି କରାଯିବ ବୋଲି ସେମାନେ ପ୍ରତିଶ୍ରୁତି ଦେଇଥିଲେ। ଏଥିସହ ଅନ୍ୟାନ୍ୟ ଭିତ୍ତିଭୂମି ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନେବାକୁ ବିଡିଓ ବିଦ୍ୟାଳୟ ପରିସରରେ ପହଞ୍ଚି ଆଶ୍ୱାସନା ଦେଇଥିଲେ। ପ୍ରଶାସନର ଏହି ପ୍ରତିଶ୍ରୁତି ପରେ ଆନ୍ଦୋଳନକାରୀମାନେ ତାଲାବନ୍ଦ ଆନ୍ଦୋଳନ ସ୍ଥଗିତ ରଖିଥିଲେ।ଏହି ଆନ୍ଦୋଳନରେ ପୂର୍ବତନ ଏସ୍ଡିଏ ଅଧ୍ୟକ୍ଷ ବିଜୟ କୁମାର ମହାନ୍ତି, ବିଜେଡି ସାଧାରଣ ସମ୍ପାଦକ ସଞ୍ଜିତ କୁମାର ମହାନ୍ତି, ବ୍ଲକ୍ ଶିକ୍ଷା ଅଧିକାରୀ, ସରପଞ୍ଚ ପ୍ରହଲ୍ଲାଦ ଧରୁଆ, ପୂର୍ବତନ ସରପଞ୍ଚ ରତିକାନ୍ତ କିଷାନ, ରୁଦ୍ର ନାରାୟଣ ବେହେରା, ସୁଜୟ ମହାନ୍ତି, ଦୁର୍ଗା ସେଠୀ, ପ୍ରଭାତ ବେହେରା, ମଣ୍ଟୁ ମହାନ୍ତି, ବିକାଶ ସାହୁ, ଟିକନ ଶର୍ମା, କୀର୍ତ୍ତନ କିଷାନ, ସନ୍ତୋଷ ଠାକୁର, ଯୁଗେଶ ଆଚାର୍ଯ୍ୟ, ଶରତ ଠାକୁର, ବିଳାସିନୀ ନାଏକ, ଅନୁପମା ମାଝୀ, ସବିତା ପ୍ରଧାନ ଓ ଶକୁନ୍ତଳା କିଷାନଙ୍କ ସମେତ ବହୁ ଜନପ୍ରତିନିଧି, ଅଭିଭାବକ ଓ ଗ୍ରାମବାସୀ ଯୋଗଦେଇଥିଲେ।

