ସମ୍ବଲପୁର,୧୮/୧୧(ଉତ୍କଳ ସମାଚାର),(ସରୋଜ ସାହୁ):ସମ୍ବଲପୁର ସହରର ଅଇଁଠାପାଲିଠାରେ ନିର୍ମାଣାଧୀନ ଫ୍ଲାଏଓଭର କାର୍ଯ୍ୟରେ ମନ୍ଥରତା ଓ ସୁରକ୍ଷା ବ୍ୟବସ୍ଥାରେ ବ୍ୟାପକ ଅବ୍ୟବସ୍ଥାକୁ ନେଇ ସମ୍ବଲପୁର ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ତୀବ୍ର ପ୍ରତିବାଦ କରାଯାଇଛି। ପୂର୍ବତନ ମନ୍ତ୍ରୀ ତଥା ଜିଲ୍ଲା ବିଜେଡି ସଭାପତି ଇଂ. ରୋହିତ ପୂଜାରୀଙ୍କ ନେତୃତ୍ୱରେ ମଙ୍ଗଳବାର ଅଇଁଠାପାଲି ଛକଠାରେ ଦଳୀୟ କର୍ମୀମାନେ ରାସ୍ତାରୋକ କରିବା ସହ ପ୍ରତିବାଦ ସଭା ଆୟୋଜନ କରିଥିଲେ। ନିର୍ମାଣାଧୀନ ଫ୍ଲାଏଓଭର ଅଞ୍ଚଳରେ ବାରମ୍ବାର ଘଟୁଥିବା ସଡ଼କ ଦୁର୍ଘଟଣା ଓ ଜୀବନହାନି ପାଇଁ ଦାୟୀ ଅଧିକାରୀଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ସହ ତୁରନ୍ତ ସୁରକ୍ଷା ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ଦଳ ଦାବି କରିଛି। ଏହି ଅବସରରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ଦାବିପତ୍ରରେ ଉଲ୍ଲେଖ ଅନୁଯାୟୀ, ଙ୍ଗରପାଲିଠାରୁ ବରେଇପାଲି ପର୍ଯ୍ୟନ୍ତ ଜାତୀୟ ରାଜପଥ-୫୩ ଉପରେ ନିର୍ମାଣାଧୀନ ଛଅ ଲେନ୍ ବିଶିଷ୍ଟ ଫ୍ଲାଏଓଭର ଅଞ୍ଚଳରେ ଦିନକୁ ଦିନ ଦୁର୍ଘଟଣା ବଢ଼ୁଛି। ଗତ ଏକ ମାସ ମଧ୍ୟରେ ଏହି ଅଞ୍ଚଳରେ ସଡ଼କ ଦୁର୍ଘଟଣାରେ ୭ ଜଣଙ୍କ ଜୀବନ ଯାଇଥିବା ବେଳେ ଏହା ପୂର୍ବରୁ ୧୦ ମାସ ମଧ୍ୟରେ ୩୬ଟି ଦୁର୍ଘଟଣାରେ ୧୮ ଜଣଙ୍କ ମୃତ୍ୟୁ ଘଟିଛି। ପ୍ରାୟ ଦିନେ ଛାଡ଼ି ଦିନେ ଦୁର୍ଘଟଣା ଘଟୁଥିବାରୁ ଏହି ରାସ୍ତା ଯାତ୍ରୀଙ୍କ ପାଇଁ ମରଣଯନ୍ତା ପାଲଟିଥିବା ଦଳ ଅଭିଯୋଗ କରିଛି।ନିର୍ମାଣ କାର୍ଯ୍ୟ ଯୋଗୁଁ ରାସ୍ତା ସଂକୀର୍ଣ୍ଣ ହେବା, ଭାରୀଯାନ ଚଳାଚଳ, ଟ୍ରାଫିକ୍ ନିୟନ୍ତ୍ରଣରେ ଅବ୍ୟବସ୍ଥା, ପର୍ଯ୍ୟାପ୍ତ ଆଲୋକୀକରଣର ଅଭାବ ଏବଂ ଆବଶ୍ୟକ ସତର୍କ ସୂଚନା ଫଳକ ନ ରହିବା ଯୋଗୁଁ ଯାତ୍ରୀ ଓ ସ୍ଥାନୀୟ ବାସିନ୍ଦା ନିରନ୍ତର ବିପଦର ସମ୍ମୁଖୀନ ହେଉଛନ୍ତି। ବିଶେଷକରି ରାତି ସମୟରେ ଏହି ସମସ୍ୟା ଅଧିକ ଗମ୍ଭୀର ହେଉଥିବା ଅଭିଯୋଗ ହୋଇଛି। ପ୍ରାୟ ୩.୫ କିଲୋମିଟର ଦୀର୍ଘ ଏହି ଫ୍ଲାଏଓଭର ପ୍ରକଳ୍ପ ପାଇଁ ୩୭୫ କୋଟି ଟଙ୍କା ବ୍ୟୟ ଅଟକଳ ହୋଇଛି। ୨୦୨୪ ଜୁନ୍ରେ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପ ଡିସେମ୍ବର ୨୦୨୬ ସୁଦ୍ଧା ଶେଷ ହେବାର ଧାର୍ଯ୍ୟ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ପ୍ରାୟ ୫୦ ପ୍ରତିଶତ କାର୍ଯ୍ୟ ଅସମ୍ପୂର୍ଣ୍ଣ ରହିଥିବା ବିଜେଡି ପକ୍ଷରୁ ଅଭିଯୋଗ କରାଯାଇଛି।ପ୍ରତିବାଦ ସଭାରେ ଟାଙ୍ଗରପାଲିଠାରୁ ବରେଇପାଲି ପର୍ଯ୍ୟନ୍ତ ସୁବ୍ୟବସ୍ଥିତ ଯାତାୟାତ ଓ ବିକଳ୍ପ ରାସ୍ତାର ବ୍ୟବସ୍ଥା, ନିର୍ମାଣସ୍ଥଳରେ ପର୍ଯ୍ୟାପ୍ତ ଆଲୋକୀକରଣ, ବିପଦପୂର୍ଣ୍ଣ ଛକ ଓ ରାସ୍ତା ପରିବର୍ତ୍ତନ ସ୍ଥାନରେ ତାଲିମପ୍ରାପ୍ତ ଟ୍ରାଫିକ୍ କର୍ମଚାରୀ ନିୟୋଜନ ଏବଂ ସମସ୍ତ ସୁରକ୍ଷା ନିୟମର କଡ଼ାକଡ଼ି ପାଳନ ପାଇଁ ଦାବି କରାଯାଇଥିଲା। ସୁରକ୍ଷା ନିୟମ ପାଳନରେ ଅବହେଳା କରୁଥିବା ଠିକା ସଂସ୍ଥା ବିରୋଧରେ କଠୋର ପଦକ୍ଷେପ ନେବା ସହ ଆବଶ୍ୟକ ପଡ଼ିଲେ କଳାତାଲିକାଭୁକ୍ତ କରିବାକୁ ମଧ୍ୟ ଦାବି ହୋଇଥିଲା।ଏଥିସହ ପ୍ରକଳ୍ପ କାର୍ଯ୍ୟର ନିୟମିତ ତଦାରଖ ପାଇଁ ଜଣେ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ୱ ଦେବା ଏବଂ ଜିଲ୍ଲା ପ୍ରଶାସନ, ଜାତୀୟ ରାଜପଥ କର୍ତ୍ତୃପକ୍ଷ, ଟ୍ରାଫିକ୍ ପୋଲିସ ଓ ଠିକା ସଂସ୍ଥାକୁ ନେଇ ତୁରନ୍ତ ଏକ ସମନ୍ୱୟ ବୈଠକ ଡାକିବାକୁ ଦଳ ଦାବି କରିଥିଲା। ଦୁର୍ଘଟଣାରେ ହେଉଥିବା ଜୀବନହାନି ପାଇଁ ଦାୟିତ୍ୱରେ ଥିବା ସମ୍ପୃକ୍ତ ଅଧିକାରୀଙ୍କ ଦାୟିତ୍ୱ ନିର୍ଦ୍ଧାରଣ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ମଧ୍ୟ ବିଜେଡି ପକ୍ଷରୁ ଦାବି କରାଯାଇଥିଲା। ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ବିଜେଡି ଜିଲ୍ଲା ମହିଳା ସଭାନେତ୍ରୀ ସଂଯୁକ୍ତା ମେହେର, ଟାଉନ୍ ସଭାପତି ବସନ୍ତ ମିଶ୍ର, ଉପସଭାପତି ସୁରୁବାବୁ ମେହେର, ସତ୍ୟେନ୍ଦ୍ର ଦାସ, ଧର୍ମରାଜ ମରେଇ, ଜିଲ୍ଲା ସଂଖ୍ୟାଲଘୁ ସେଲ୍ ସଭାପତି ଆଫତାବ ଆଲମ, ରାଜ୍ୟ ଉପସଭାପତି ହରଦୀପ ସିଂ ଭୁର୍ଜି ଓ ଯୁବ ସଭାପତି ପ୍ରଦୋଷ ମହାନ୍ତିଙ୍କ ସମେତ ବହୁ ଯୁବ, ଛାତ୍ର ଓ ମହିଳା କର୍ମୀ ଏବଂ ସ୍ଥାନୀୟ ବାସିନ୍ଦା ଯୋଗଦେଇଥିଲେ।ଜନସାଧାରଣଙ୍କ ଜୀବନ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଫ୍ଲାଏଓଭର ନିର୍ମାଣ କାର୍ଯ୍ୟ ଶୀଘ୍ର ଶେଷ କରିବା ସହ ଦୁର୍ଘଟଣା ରୋକିବା ପାଇଁ ତୁରନ୍ତ ଠୋସ୍ ପଦକ୍ଷେପ ନେବାକୁ ସମ୍ବଲପୁର ବିଜେଡି ପକ୍ଷରୁ ଦୃଢ଼ ଦାବି କରାଯାଇଛି।

