ସମ୍ବଲପୁର,୧୮/୧୧(ଉତ୍କଳ ସମାଚାର),(ସରୋଜ ସାହୁ):ସମ୍ପର୍କ ଫାଉଣ୍ଡେସନ୍ ଟ୍ରଷ୍ଟ, ସମ୍ବଲପୁର ଆନୁକୂଲ୍ୟରେ ବୁଧବାର ଧନକଉଡ଼ାସ୍ଥିତ ସୁବାସିନୀ କଲୋନୀର ଆରୋଗ୍ରେସ୍ ଭବନଠାରେ ‘ସମ୍ପର୍କ ସେତୁ’ ପତ୍ରିକାର ଷଷ୍ଠ ସଂସ୍କରଣ ଲୋକାର୍ପିତ ହୋଇଯାଇଛି। ଏହି ଅବସରରେ ଅଁଳାନବମୀ ଓ ମା’ ଜଗଦ୍ଧାତ୍ରୀ ପୂଜା ମଧ୍ୟ ଆୟୋଜିତ ହୋଇଥିଲା।ଅଶୋକ କୁମାର ପଣ୍ଡାଙ୍କ ସଭାପତିତ୍ୱରେ ଏବଂ ଡଃ ସଙ୍ଗୀତା ନାୟକ ଓ ଡଃ ଦୀପେନ କୁମାର ପଟ୍ଟନାୟକଙ୍କ ପରିଚାଳନାରେ ଆୟୋଜିତ ଏହି ସାରସ୍ୱତ ଓ ବୌଦ୍ଧିକ ସମାରୋହରେ ବିଶିଷ୍ଟ ସଂସ୍କୃତି ବିଶେଷଜ୍ଞ ତଥା ଲେଖକ ଡଃ ଶ୍ୟାମସୁନ୍ଦର ଧର ମୁଖ୍ୟ ଅତିଥି, ବରିଷ୍ଠ ନାଟ୍ୟକାର, ଅଭିନେତା ଓ ଗବେଷକ ଡଃ ଦ୍ୱାରିକାନାଥ ନାୟକ ମୁଖ୍ୟବକ୍ତା ଏବଂ ଅବସରପ୍ରାପ୍ତ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଡଃ ଶଶାଙ୍କ ଶେଖର ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।ଅତିଥିମାନେ ନିଜ ବକ୍ତବ୍ୟରେ ସମାଜରେ ବିଭିନ୍ନ ସମ୍ପର୍କର ଗୁରୁତ୍ୱ ଓ ଆବଶ୍ୟକତା, ଓଡ଼ିଆ ତଥା ସମ୍ବଲପୁରୀ ସାହିତ୍ୟର ଗତି ଓ ପ୍ରକୃତି, ପତ୍ରିକା ପ୍ରକାଶନ କ୍ଷେତ୍ରରେ ରହିଥିବା ସମସ୍ୟା, ଅଁଳାନବମୀର ଧାର୍ମିକ ଓ ସାଂସ୍କୃତିକ ଗୁରୁତ୍ୱ ଏବଂ ମା’ ଜଗଦ୍ଧାତ୍ରୀ ପୂଜାର ମହତ୍ତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ।ଏହି ଅବସରରେ ବିଶିଷ୍ଟ ସମାଜସେବୀ ସୁଶ୍ରୀ ଅନୁସୟା ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସମାରୋହରେ କବି ଲକ୍ଷ୍ମୀନାରାୟଣ ପଣ୍ଡା, ଭବାନୀ ଦୀକ୍ଷିତ, ଶ୍ରୀଯୁକ୍ତ ମହାକୁଡ଼, ଡଃ ସେବକ ତ୍ରିପାଠୀ, ଆଲୋକ ପଣ୍ଡା, ଅନନ୍ତ ସ୍ୱାମୀ ପଣ୍ଡା, ସୂର୍ଯ୍ୟନାରାୟଣ କମ୍ପ, ସୁନିତା ପଣ୍ଡା, ହରମୋହନ ସାହୁ, ଉଲ୍ଲାସ ପଣ୍ଡା, ନେତ୍ରାନନ୍ଦ ଦାଶ, କୈଳାଶ ପଣ୍ଡା, ଶାନ୍ତିଲତା ପାଣ୍ଡେ, ରବିନାରାୟଣ ମିଶ୍ର ଓ ରିତା ପଣ୍ଡାଙ୍କ ସମେତ ବହୁ ସାହିତ୍ୟପ୍ରେମୀ ଓ ବୁଦ୍ଧିଜୀବୀ ଯୋଗଦେଇ ଆଧ୍ୟାତ୍ମିକ ଓ ସାହିତ୍ୟିକ ଆଲୋଚନାଚକ୍ରରେ ଅଂଶଗ୍ରହଣ କରିଥିଲେ।

