ସମ୍ବଲପୁର,୧୯/୧୧(ଉତ୍କଳ ସମାଚାର),(ସରୋଜ ସାହୁ):ତଲାବିରା କୋଇଲା ଖଣି-୨ ଓ ୩ର କାର୍ଯ୍ୟ ବନ୍ଦ ରହିବା ଯୋଗୁଁ ଟ୍ରକ୍ ମାଲିକମାନେ ଗୁରୁତର ଆର୍ଥିକ ସଙ୍କଟରେ ପଡ଼ିଛନ୍ତି। ଖଣିରେ ସ୍ୱାଭାବିକ କାର୍ଯ୍ୟ ପୁନଃଆରମ୍ଭ କରିବା ସହ ଏହି ସମସ୍ୟାର ସମାଧାନ ପାଇଁ ମା ସମଲେଶ୍ୱରୀ ମଲ୍ଟି-ୟୁଟିଲିଟି ଭେହିକଲ୍ସ ଓନର୍ସ ଆସୋସିଏସନ୍ ପକ୍ଷରୁ ସମ୍ବଲପୁର ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡ଼ାଯାଇଛି। ଏନେଇ ଆସୋସିଏସନ୍ ପକ୍ଷରୁ ଜିଲ୍ଲାପାଳଙ୍କୁ ଏକ ଲିଖିତ ଦାବିପତ୍ର ଦାଖଲ କରାଯାଇଛି। ଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ, ଗତ ୧୧ ନଭେମ୍ବର ୨୦୨୬ରୁ ସ୍ଥାନୀୟ ଆନ୍ଦୋଳନ ଯୋଗୁଁ ତଲାବିରା କୋଇଲା ଖଣିର କାର୍ଯ୍ୟ ବନ୍ଦ ରହିଛି। ଜମି ହରାଇଥିବା ଗ୍ରାମବାସୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ହୋଇନଥିବାରୁ ଏହି ଆନ୍ଦୋଳନ ଜାରି ରହିଥିବା ଦାବିପତ୍ରରେ ଦର୍ଶାଯାଇଛି।ଆସୋସିଏସନ୍ର ସଦସ୍ୟମାନେ ଖଣିରେ ଟ୍ରକ୍ ପରିବହନ କାର୍ଯ୍ୟ ସହ ଜଡ଼ିତ ଥିବାବେଳେ ଅନେକ ସଦସ୍ୟ ନିଜ ଜମି ମଧ୍ୟ ହରାଇଛନ୍ତି। ଖଣି କାର୍ଯ୍ୟ ବନ୍ଦ ରହିବାରୁ ଟ୍ରକ୍ ଚଳାଚଳ ଠପ୍ ହୋଇପଡ଼ିଛି। ଫଳରେ ବିଭିନ୍ନ ଆର୍ଥିକ ସଂସ୍ଥାରୁ ଋଣ ନେଇ ଟ୍ରକ୍ କିଣିଥିବା ମାଲିକମାନେ ନିୟମିତ ଋଣ କିସ୍ତି ଓ ସୁଧ ପରିଶୋଧ କରିବାରେ ଅସୁବିଧା ଭୋଗୁଛନ୍ତି। ଆୟ ବନ୍ଦ ହୋଇଯିବା ସହ ଆର୍ଥିକ ଚାପ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏଥିସହ ଖଣି ପରିଚାଳନା କରୁଥିବା କମ୍ପାନୀଗୁଡ଼ିକ ଜମି ହରାଇଥିବା ପରିବାରଙ୍କୁ ନିଯୁକ୍ତି, ପରିପାର୍ଶ୍ୱିକ ବିକାଶ ଓ ପିଡିଏଫ୍ ଭଳି ନିର୍ଦ୍ଧାରିତ ସୁବିଧା ଯୋଗାଇବାରେ ଅବହେଳା କରୁଥିବା ଅଭିଯୋଗ ହୋଇଛି। ଏହି ସମସ୍ୟାଗୁଡ଼ିକର ସମାଧାନ ନ ହେବାରୁ ବାରମ୍ବାର ଆନ୍ଦୋଳନ ହେଉଛି ଏବଂ ଖଣି କାର୍ଯ୍ୟ ବାଧାପ୍ରାପ୍ତ ହେଉଛି ବୋଲି ଆସୋସିଏସନ୍ ପକ୍ଷରୁ କୁହାଯାଇଛି। ଖଣି ବନ୍ଦ ଯୋଗୁଁ ଟ୍ରକ୍ ମାଲିକମାନେ ଆର୍ଥିକ କ୍ଷତିର ସମ୍ମୁଖୀନ ହେବା ସହ ସରକାରଙ୍କ ରାଜସ୍ୱ ମଧ୍ୟ କ୍ଷତିଗ୍ରସ୍ତ ହେଉଛି। ତେଣୁ ଜମି ହରାଇଥିବା ଲୋକଙ୍କ ସମସ୍ୟାର ସମାଧାନ କରି ତଲାବିରା କୋଇଲା ଖଣି-୨ ଓ ୩ର କାର୍ଯ୍ୟ ସ୍ୱାଭାବିକ କରିବା ପାଇଁ ଜିଲ୍ଲାପାଳ ତୁରନ୍ତ ହସ୍ତକ୍ଷେପ କରନ୍ତୁ ବୋଲି ଆସୋସିଏସନ୍ ପକ୍ଷରୁ ନିବେଦନ କରାଯାଇଛି। ଆସୋସିଏସନ୍ର ସଭାପତି ପଦ୍ମ ଲୋଚନ ଧରଙ୍କ ସହ ପିତାମ୍ବର ବିଶ୍ୱାଳ, ସରୋଜ ପ୍ରଧାନ, ନିତ୍ୟାନନ୍ଦ ବିଶ୍ୱାଳ, ତପନ ଦାଶ, କବିସୂର୍ଯ୍ୟ ରାଉତ, ଡୋଳାମଣି ରାଉତ ଓ ପ୍ରଫୁଲ୍ଲ ପ୍ରଧାନ ପ୍ରମୁଖ ଏହି ଦାବି ପତ୍ର ପ୍ରଦାନ କରିଛନ୍ତି I

