ସମ୍ବଲପୁର,୧୯/୧୧(ଉତ୍କଳ ସମାଚାର),(ସରୋଜ ସାହୁ): ଧନକଉଡ଼ା ବ୍ଲକ ଅନ୍ତର୍ଗତ ଶାସନ ପଞ୍ଚାୟତର ଡୁଙ୍ଗିପାଲି ଗ୍ରାମରେ ପବିତ୍ର ଅଁଳା ନବମୀ ଉତ୍ସବ ଆଜି ଆନନ୍ଦ, ଭକ୍ତି ଓ ଉତ୍ସାହର ସହ ପାଳିତ ହୋଇଯାଇଛି। ଏହି ଅବସରରେ ଗ୍ରାମଦେବତୀ ମା’ ସମଲେଶ୍ୱରୀଙ୍କ ପୀଠରେ ବିଧିବଦ୍ଧ ପୂଜାର୍ଚ୍ଚନା କରାଯିବା ସହ ନଗର କୀର୍ତ୍ତନ ମାଧ୍ୟମରେ ମନ୍ଦିର ପରିକ୍ରମା କରାଯାଇଥିଲା।ଉତ୍ସବରେ ବିଶିଷ୍ଟ ସମାଜସେବୀ, ପରିବେଶବିତ୍ ତଥା ପ୍ରକୃତିବନ୍ଧୁ ଓ କଳାରତ୍ନ ଡ଼. ବଂଶୀଧର କର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସମାଜସେ ତଥା ପ୍ରକୃତିବନ୍ଧୁ ଇଂ. ଦେବାଶିଷ ସାହୁ ଉପସ୍ଥିତ ରହି ଅଁଳା ନବମୀର ଧାର୍ମିକ ଓ ସାଂସ୍କୃତିକ ମାହାତ୍ମ୍ୟ ଉପରେ ଆଲୋକପାତ କରିଥିଲେ।ଡୋଲାମଣି ଭୁଏ ଓ ଶ୍ରୀମତୀ ଲିଲିମା ଭୁଏ କର୍ତ୍ତା-କର୍ତ୍ତୀ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ। ପଣ୍ଡିତ ଶ୍ରୀବତ୍ସ ପାଢ଼ୀ ପୂଜାର୍ଚ୍ଚନା କାର୍ଯ୍ୟ ସମ୍ପନ୍ନ କରିଥିଲେ। ଗୋପାଳ ରାଉତ ଓ ସୁରୁବୁଇ ରାଉତଙ୍କ ସହଯୋଗରେ ଉତ୍ସବର ଆୟୋଜନ ଆକର୍ଷଣୀୟ ହୋଇଥିଲା। ଧୁରୁଆପାଲିର ବଜରଙ୍ଗ ବଲୀ ସଂକୀର୍ତ୍ତନ ମଣ୍ଡଳୀ ପକ୍ଷରୁ ଭଜନ ଓ ସଂକୀର୍ତ୍ତନ ପରିବେଷଣ କରାଯାଇଥିଲା। ଏହି ଉତ୍ସବରେ ତ୍ରିବିକ୍ରମ ପୋଢ଼, କିଶୋର ଛତର, କୁଞ୍ଜବିହାରୀ କୁମୁରା, ଡିଲେଶ୍ୱର ଖରସେଲ, ବୁଧୁରାମ ଧୂରୁଆ, କାଙ୍ଗଲୁ ପଧାନ, ପର୍ଶୁରାମ ଧୂରୁଆ, ଘାଷିରାମ ଧୂରୁଆ, ନନ୍ଦଲାଲ ଭୁଏ, ମହାଦେବ ଭୁଏ ପ୍ରମୁଖ ସହଯୋଗ କରିଥିଲେ।ଅଁଳା ନବମୀ ପାଳନର ଅଂଶସ୍ୱରୂପ ଗ୍ରାମର ରାସ୍ତା ପାର୍ଶ୍ୱରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ମଧ୍ୟ କରାଯାଇଥିଲା। ଧାର୍ମିକ ଆସ୍ଥା ସହ ପରିବେଶ ସୁରକ୍ଷାର ବାର୍ତ୍ତା ଦେଇ ଏହି ଉତ୍ସବ ଗ୍ରାମବାସୀଙ୍କ ମଧ୍ୟରେ ଏକତା ଓ ସହଯୋଗର ଭାବନାକୁ ଆହୁରି ସୁଦୃଢ଼ କରିଥିଲା।

