ସମ୍ବଲପୁର,୧୯/୧୧(ଉତ୍କଳ ସମାଚାର),(ସରୋଜ ସାହୁ): ସମ୍ବଲପୁର ସହରର ଅଇଁଠାପାଲି ଜାତୀୟ ରାଜପଥ-୫୩ ଅଞ୍ଚଳରେ ବରେଇପାଲି-ଟାଙ୍ଗରପାଲି ସଂଯୋଗୀକରଣ ଫ୍ଲାଏଓଭର ନିର୍ମାଣ କାର୍ଯ୍ୟ ଯୋଗୁଁ ବଢ଼ୁଥିବା ସଡ଼କ ଦୁର୍ଘଟଣା ଓ ଜନସାଧାରଣଙ୍କ ସୁରକ୍ଷାକୁ ନେଇ ପ୍ରୋଗ୍ରେସିଭ୍ ସମ୍ବଲପୁର ପକ୍ଷରୁ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ପ୍ରକଳ୍ପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା। ଏହି ଅଞ୍ଚଳରେ ଦୁର୍ଘଟଣା ରୋକିବା ସହ ରାସ୍ତା ନିର୍ମାଣରେ ସୁରକ୍ଷା ମାନଦଣ୍ଡ ପାଳନ ଓ ସ୍ଥାୟୀ ସମାଧାନ ପାଇଁ ସଂଗଠନ ପକ୍ଷରୁ ଦାବି ଉଠାଯାଇଥିଲା। ସଂଗଠନ ପକ୍ଷରୁ ଉପସ୍ଥାପିତ ତଥ୍ୟ ଅନୁଯାୟୀ, ଗତ ୪ ବର୍ଷ ମଧ୍ୟରେ ଅଇଁଠାପାଲି ଅଞ୍ଚଳରେ ୬୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୧୯ ଜଣ ଗୁରୁତର ଆହତ ହୋଇଛନ୍ତି। ସେହିପରି ବରେଇପାଲି ଅଞ୍ଚଳରେ ୧୮ ଜଣଙ୍କ ଜୀବନ ଯାଇଥିବା ତଥ୍ୟକୁ ନେଇ ସଂଗଠନ ଗଭୀର ଉଦ୍ବେଗ ପ୍ରକାଶ କରିଥିଲା। ଏତେ ସଂଖ୍ୟକ ମୃତ୍ୟୁ ଓ ଆହତଙ୍କ ପାଇଁ ଦାୟିତ୍ୱ ନିର୍ଦ୍ଧାରଣ ସହ ଦୁର୍ଘଟଣା ରୋକିବାରେ ତୁରନ୍ତ ପଦକ୍ଷେପ ନେବାକୁ ଦାବି କରାଯାଇଥିଲା।ଘେରାଉ ସମୟରେ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ପ୍ରକଳ୍ପ ନିର୍ଦ୍ଦେଶକ ଅମିତ କୁମାର ଗୁପ୍ତା କାର୍ଯ୍ୟାଳୟରେ ଅନୁପସ୍ଥିତ ଥିବାରୁ ଉପସ୍ଥିତ ଟିମ୍ ଲିଡର ବିଦ୍ୟାଧର ପଣ୍ଡାଙ୍କ ସହ ପ୍ରତିନିଧିମଣ୍ଡଳୀ ଆଲୋଚନା କରିଥିଲେ। ଏହାସହ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା।ଦାବିପତ୍ରରେ ନିର୍ମାଣାଧୀନ ଅସମାନ ରାସ୍ତାକୁ ସୁଧାରି ପିଚୁ ରାସ୍ତା ନିର୍ମାଣ, ସର୍ଭିସ୍ ରୋଡ୍ରେ ଜଳ ନିଷ୍କାସନ ବ୍ୟବସ୍ଥା କରି ଜଳବନ୍ଦୀ ସମସ୍ୟାର ସମାଧାନ, ଉପଯୁକ୍ତ ପାର୍କିଂ ବ୍ୟବସ୍ଥା, ପର୍ଯ୍ୟାପ୍ତ ଆଲୋକୀକରଣ ଓ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ସୁରକ୍ଷା କର୍ମୀ ନିଯୁକ୍ତି ଆଦି ଦାବି ରହିଥିଲା। ସହର ମଧ୍ୟରେ ନିର୍ମାଣ କାର୍ଯ୍ୟ ହେଉଥିବା ସତ୍ତ୍ୱେ ମାଟି ପରିବର୍ତ୍ତେ ଆଶ୍ ବ୍ୟବହାର କରାଯିବାର କାରଣ ସ୍ପଷ୍ଟ କରିବାକୁ ମଧ୍ୟ ସଂଗଠନ ପକ୍ଷରୁ ପ୍ରଶ୍ନ ଉଠାଯାଇଥିଲା। ସିଟି ଷ୍ଟେସନ୍ ନିକଟ ଦୁର୍ଘଟଣା ରୋକିବା ପାଇଁ ବୈଜ୍ଞାନିକ ପଦ୍ଧତିରେ ଗତି ନିୟନ୍ତ୍ରଣ ବ୍ୟବସ୍ଥା କରିବାକୁ ଦାବି କରାଯାଇଥିଲା।ଏଥିସହ ନିର୍ମାଣ କାର୍ଯ୍ୟର ସମୟସୀମା ସ୍ପଷ୍ଟ କରିବା, ଟ୍ରାଫିକ୍ ଡାଇଭର୍ସନ୍ ଯୋଜନାର ସୂଚନା ପ୍ରଦାନ, ଗତ ୪ ବର୍ଷର ଦୁର୍ଘଟଣାର ସ୍ୱାଧୀନ ତଦନ୍ତ କରି ଦାୟିତ୍ୱ ନିର୍ଦ୍ଧାରଣ ଏବଂ ମୃତକଙ୍କ ପରିବାର ଓ ଆହତଙ୍କୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ ପାଇଁ ଦାବି ରଖାଯାଇଥିଲା।ବର୍ତ୍ତମାନର ପ୍ରକଳ୍ପ ନିର୍ଦ୍ଦେଶକ କାର୍ଯ୍ୟର ମାନ ଓ ଜନସାଧାରଣଙ୍କ ସୁରକ୍ଷାରେ ସାଲିସ କରି କେବଳ ଠିକାଦାରଙ୍କ ଲାଭ ପାଇଁ କାମ କରୁଥିବା ସଂଗଠନ ପକ୍ଷରୁ ଅଭିଯୋଗ କରାଯାଇଥିଲା। ଏହି ଆନ୍ଦୋଳନରେ ପ୍ରୋଗ୍ରେସିଭ୍ ସମ୍ବଲପୁରର ଆବାହକ ସଞ୍ଜିତ ମହାନ୍ତିଙ୍କ ସମେତ ଗୋକୁଳ ମେହେର, ଗଦାଧର କୁଅଁର , ନର୍ତ୍ତୁ ଗୋପାଳ, ସରୋଜ ମହାନ୍ତି, ମହେଶ୍ୱର ସଣ୍ଢ, ଭି. ରାମା ରାଓ, ଅରୁଣ ଖୁଣ୍ଟିଆ, କବିତା ପୁରୋହିତ, ମିତାଲି ସାହୁ, ପ୍ରଶାନ୍ତ ଥାପା, ଧୀରେନ୍ଦ୍ର ଦେବତା, ମହମ୍ମଦ ଅଜ୍ଜୁ, ବାଲ୍ମୀକି ନାଏକ, ମିଲନ ହୋତା, ଦେବଜ୍ୟୋତି ପଟ୍ଟନାୟକ, ସୁମିତ ପଟେଲ, ବିଷ୍ଣୁଦେବ ମହାନ୍ତି, ମାନଭଞ୍ଜନ ପଶାୟତ, ମଞ୍ଜୁ ଓରାମ, ଉତ୍ତମ ବାଗ, ଭାସ୍କର ନାଏକ, ଆଦିତ୍ୟ ପ୍ରଧାନ, ଅଜୟ ବାଗ, ସ୍ୱାଧୀନ ପଣ୍ଡା, କୈଳାସ ପ୍ରଧାନ, ନିଖିଳ ବାବୁ, ବିଜୟ କୁମାର ସାହୁ, ସତ୍ୟମ ପୂଜାରୀ, ଗୌତମ ମୁଣ୍ଡା, ପ୍ରଭାତ କିସାନ, ବିକ୍ରମ ରଞ୍ଜିତ, କୁନା ଦଳେଇ ଓ ପରେଶ ପାତ୍ରଙ୍କ ସମେତ ବହୁ ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ, ଯୁବକ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ସଂଗଠନ ପକ୍ଷରୁ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ କୁ ତୁରନ୍ତ ନିର୍ମାଣ କାର୍ଯ୍ୟ ସମାପ୍ତ କରିବା ସହ ଯାତ୍ରୀ ଓ ପଥଚାରୀଙ୍କ ସୁରକ୍ଷା ପାଇଁ ନିଜସ୍ୱ ସୁରକ୍ଷା କର୍ମୀ ନିଯୁକ୍ତ କରିବାକୁ ଦାବି କରାଯାଇଛି। ସମସ୍ତ ଦୁର୍ଘଟଣାପ୍ରବଣ ସ୍ଥାନରେ ଆବଶ୍ୟକ ପ୍ରତିକାରମୂଳକ ବ୍ୟବସ୍ଥା କରି ଶୂନ୍ୟ ଦୁର୍ଘଟଣା ଲକ୍ଷ୍ୟରେ କାର୍ଯ୍ୟ କରିବାକୁ ମଧ୍ୟ ସଂଗଠନ ଆହ୍ୱାନ ଦେଇଛି।

