ସମ୍ବଲପୁର,୧୯/୧୧(ଉତ୍କଳ ସମାଚାର),(ସରୋଜ ସାହୁ):ମୃତ୍ୟୁ ମଣିଷର ଜୀବନଯାତ୍ରାର ଅନ୍ତ ହୋଇପାରେ, କିନ୍ତୁ ମାନବିକତା ଓ ପରୋପକାରର ଭାବନା ମୃତ୍ୟୁ ପରେ ମଧ୍ୟ ଅନ୍ୟର ଜୀବନରେ ଆଲୋକ ଭରିପାରେ। ଏହାର ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି ସମ୍ବଲପୁର ଗ୍ରୀନ୍ ପାର୍କ ରେସିଡେନ୍ସିର ନିବାସୀ ୮୫ ବର୍ଷୀୟା ଭାନୁମତୀ ପଟେଲ। ମୃତ୍ୟୁ ପରେ ମଧ୍ୟ ଅନ୍ୟର ଜୀବନରେ ଆଲୋକ ଭରିବା ସହ ଚିକିତ୍ସା ବିଜ୍ଞାନର ଗବେଷଣା ଓ ଶିକ୍ଷା କ୍ଷେତ୍ରରେ ସହାୟକ ହେବାର ମହତ୍ ଉଦ୍ଦେଶ୍ୟ ନେଇ ସେ ନିଜର ଚକ୍ଷୁ ଓ ସମ୍ପୂର୍ଣ୍ଣ ଶରୀର ଦାନ କରିଛନ୍ତି। ବୁଧବାର ରାତିରେ ୮୫ ବର୍ଷ ବୟସରେ ଭାନୁମତୀଙ୍କ ପରଲୋକ ଘଟିଥିବା ବେଳେ, ତାଙ୍କର ପୂର୍ବରୁ ସ୍ୱାକ୍ଷରିତ ଇଚ୍ଛାପତ୍ର ଅନୁଯାୟୀ ଗୁରୁବାର ଚକ୍ଷୁ ଓ ସମ୍ପୂର୍ଣ୍ଣ ଶରୀର ଦାନ ପ୍ରକ୍ରିୟା ସମ୍ପନ୍ନ ହୋଇଥିଲା। ଗତ ସେପ୍ଟେମ୍ବର ମାସରେ ସେ ମୃତ୍ୟୁ ପରେ ନିଜର ସମ୍ପୂର୍ଣ୍ଣ ଶରୀର ଦାନ କରିବା ପାଇଁ ଇଚ୍ଛାପତ୍ରରେ ସ୍ୱାକ୍ଷର କରିଥିଲେ। ତାଙ୍କର ଏହି ମହତ୍ ନିଷ୍ପତ୍ତିକୁ ସମ୍ମାନ ଜଣାଇ ପରିବାରବର୍ଗ ମଧ୍ୟ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ। ପରିବାରର ସୂଚନାକ୍ରମେ ବୁର୍ଲା ଭିମସାରର ଚକ୍ଷୁ ବିଭାଗ ପକ୍ଷରୁ ତାଙ୍କର ଚକ୍ଷୁପଟଳ ସଂଗ୍ରହ କରାଯାଇଥିଲା। ଏହାପରେ ‘ଉତ୍ସର୍ଗ’ର ସଭାପତି ପ୍ରଶାନ୍ତ ପାଟ୍ଟଯୋଷୀ ଓ ଉପସଭାପତି ଜୟନ୍ତ ନନ୍ଦଙ୍କ ସଂଯୋଜନାରେ ଭିମସାର ଆନାଟୋମୀ ବିଭାଗର ମୁଖ୍ୟ ପ୍ରଫେସର ମମତା ସର ଉପସ୍ଥିତ ରହି ମରଶରୀର ଗ୍ରହଣ କରିଥିଲେ। ଏହି ଅବସରରେ ଦାନ ସମ୍ପର୍କିତ ପ୍ରମାଣପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା। ଏହି ମହତ୍ କାର୍ଯ୍ୟ ସମୟରେ ଝିଅ ଅଳକା କୁମାରୀ ବିରୋଜା, ଜ୍ୱାଇଁ କଳ୍ପେଶ ପଟେଲଙ୍କ ସମେତ ନିକଟ ଆତ୍ମୀୟ ଭାବେଶ ପଟେଲ, ଡେନି ପଟେଲ, ଜିଗ୍ନେଷ ପଟେଲ, ଗିରିଶ ପଟେଲ, ପୀୟୂଷ ପଟେଲ, ସଞ୍ଜୟ ପଟେଲ ଓ ଜ୍ୟୋଶ କୁମାର ପ୍ରମୁଖ ଉପସ୍ଥିତ ଥିଲେ I ଭାନୁମତୀଙ୍କ ଏହି ନିଷ୍ପତ୍ତି କେବଳ ଏକ ଦାନ ନୁହେଁ, ବରଂ ସମାଜ ପାଇଁ ଏକ ମହତ୍ ସନ୍ଦେଶ। ଜୀବନର ଶେଷ ମୁହୂର୍ତ୍ତ ପରେ ମଧ୍ୟ ନିଜ ଶରୀର ଅନ୍ୟର ଉପକାରରେ ଲାଗିପାରିବ, ଏହି ଚିନ୍ତାଧାରା ହିଁ ପ୍ରକୃତ ମାନବିକତାର ପରିଚୟ। ତାଙ୍କର ଏହି ଉଦାହରଣ ଅଙ୍ଗଦାନ ଓ ଶରୀର ଦାନ ପ୍ରତି ସମାଜରେ ସଚେତନତା ବୃଦ୍ଧି କରିବା ସହ ଅନ୍ୟମାନଙ୍କୁ ମଧ୍ୟ ଏ ଦିଗରେ ଚିନ୍ତା କରିବାକୁ ପ୍ରେରଣା ଦେବ। ଏହି ଅବସରରେ ‘ଉତ୍ସର୍ଗ’ ପକ୍ଷରୁ ପଟେଲ ପରିବାରର ମହତ୍ ମନୋଭାବ ଓ ସହଯୋଗ ପାଇଁ ଗଭୀର କୃତଜ୍ଞତା ଜ୍ଞାପନ କରାଯାଇଛି।

