ନବରଙ୍ଗପୁର, ୧୯ /୧୧.ନରସିଂବାଘ. (ଉତ୍କଳ ସମାଚାର ) : ଆଗାମୀ ଜନଗଣନା-୨୦୨୭ର ଦ୍ୱିତୀୟ ପର୍ଯ୍ୟାୟ ଜନସଂଖ୍ୟା ଗଣନା କାର୍ଯ୍ୟକୁ ନିର୍ଭୁଲ, ସ୍ୱଚ୍ଛ ଓ ସଫଳତାର ସହ ସମ୍ପାଦନ କରିବା ଲକ୍ଷ୍ୟରେ ନବରଙ୍ଗପୁରସ୍ଥିତ ମିଶନଶକ୍ତି ସଭାଗୃହ ଠାରେ ଜିଲ୍ଲା ଓ ଚାର୍ଜସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଅତିରିକ୍ତ ଜିଲ୍ଲାପାଳ ତଥା ଜିଲ୍ଲା ଜନଗଣନା ଅଧିକାରୀ ଶ୍ରୀ ବିଶ୍ୱଜିତ ବର୍ମନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ଶ୍ରୀ ପ୍ରକାଶ କୁମାର ମିଶ୍ର, ଡେପୁଟି କଲେକ୍ଟର ନିବେଦିତା ଶତପଥୀ, ଜନଗଣନା ନିର୍ଦ୍ଦେଶାଳୟର ଉପନିର୍ଦ୍ଦେଶକ ଶ୍ରୀ ଜୟକୃଷ୍ଣ ଭୋଇ ଏବଂ ଜିଲ୍ଲା ଜନଗଣନା ଦାୟିତ୍ୱରେ ଥିବା ଶ୍ରୀ କଲ୍ଲୁରୀ ଗୁଣବର୍ଦ୍ଧନ ପ୍ରମୁଖ ଯୋଗଦେଇ ଜନଗଣନାର ବୈଷୟିକ, ପରିଚାଳନାଗତ ଓ କାର୍ଯ୍ୟାନ୍ୱୟନ ଦିଗ ଉପରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ।ଏହି ପ୍ରଶିକ୍ଷଣରେ ଜିଲ୍ଲାର ସମସ୍ତ ତହସିଲଦାର ତଥା ଚାର୍ଜ ଅଧିକାରୀ, ଅତିରିକ୍ତ ତହସିଲଦାର, ସହାୟକ ଓ ବୈଷୟିକ ସହାୟକମାନେ ଅଂଶଗ୍ରହଣ କରିଥିଲେ। ଗୃହ ତାଲିକାକରଣ ବ୍ଲକ୍ (ଏଚ୍ଏଲ୍ବି) ଆଧାରରେ ଜନଗଣନା ବ୍ଲକ୍ (ଇବି) ଗଠନ, ସଠିକ୍ ସୀମା ନିର୍ଦ୍ଧାରଣ ଏବଂ ସୁବ୍ୟବସ୍ଥିତ ଯୋଜନା ପ୍ରସ୍ତୁତି ଉପରେ ଗୁରୁତ୍ୱ ଦିଆଯାଇଥିଲା।ଏଥର ଜନସଂଖ୍ୟା ଗଣନା ଡିଜିଟାଲ୍ ପଦ୍ଧତିରେ କରାଯିବ। ଗଣନାକାରୀମାନେ ନିଜ ସ୍ମାର୍ଟଫୋନ୍ରେ ଥିବା ‘ପିଇ ମୋବାଇଲ୍ ଆପ୍’ ମାଧ୍ୟମରେ ପରିବାରର ତଥ୍ୟ ସଂଗ୍ରହ ଓ ଅପଲୋଡ୍ କରିବେ। ଏହାର ବ୍ୟବହାର ଓ ବୈଶିଷ୍ଟ୍ୟ ସମ୍ପର୍କରେ ସବିଶେଷ ବୁଝାଇବା ସହ ପ୍ରାୟୋଗିକ ପ୍ରଶିକ୍ଷଣ ମଧ୍ୟ ଦିଆଯାଇଥିଲା।ନିର୍ଦ୍ଧାରିତ ସମୟସୂଚୀ ମୁତାବକ, ୨୦୨୭ ଜାନୁଆରୀ ୧୦ରୁ ୨୪ ତାରିଖ ପର୍ଯ୍ୟନ୍ତ ସ୍ୱ-ଗଣନା ଏବଂ ଜାନୁଆରୀ ୨୫ରୁ ଫେବୃଆରୀ ୨୮ ତାରିଖ ପର୍ଯ୍ୟନ୍ତ ଘରକୁ ଘର ବୁଲି ଜନସଂଖ୍ୟା ଗଣନା ଅନୁଷ୍ଠିତ ହେବ। ତଥ୍ୟର ନିର୍ଭରଯୋଗ୍ୟତା, ନିୟମାବଳୀର ଅନୁପାଳନ ଏବଂ ଧାର୍ଯ୍ୟ ସମୟରେ କାର୍ଯ୍ୟ ଶେଷ କରିବା ପାଇଁ ଅଧିକାରୀମାନେ ପରାମର୍ଶ ଦେଇଥିଲେ।
