ସମ୍ବଲପୁର,୧୯/୧୧(ଉତ୍କଳ ସମାଚାର),(ସରୋଜ ସାହୁ): ସମ୍ବଲପୁରସ୍ଥିତ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର କୁଳପତିଙ୍କ ସମ୍ମିଳନୀ କକ୍ଷରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଲୋକନୀତି ପ୍ରଶାସନ କେନ୍ଦ୍ର ଓ ଭାରତୀୟ ଶିକ୍ଷଣ ମଣ୍ଡଳ, ପଶ୍ଚିମ ପ୍ରାନ୍ତର ମିଳିତ ସହଯୋଗରେ ଅଷ୍ଟମ ଲୋକ ବକ୍ତୃତାମାଳା କ୍ରମରେ ‘ଭାରତରେ ଭାରତୀୟ ଅବଧାରଣା’ ଶୀର୍ଷକ ଏକ ବୌଦ୍ଧିକ ଆଲୋଚନାଚକ୍ର ଗୁରୁବାର ଆୟୋଜିତ ହୋଇଯାଇଛି। ଡିଡିୟୁସିର ଅଧ୍ୟକ୍ଷ ପ୍ରଫେସର ଜ୍ଞାନ ରଞ୍ଜନ ସ୍ୱାଇଁଙ୍କ ସଭାପତିତ୍ୱରେ ଏବଂ ଡଃ ବନିତା ମହାନନ୍ଦିଆଙ୍କ ପରିଚାଳନାରେ ଆୟୋଜିତ ଏହି ଆଲୋଚନାଚକ୍ରରେ ସମ୍ମାନିତ ମୁଖ୍ୟବକ୍ତା ଭାବେ ବିଶିଷ୍ଟ ଶିକ୍ଷାବିତ୍, ଗବେଷକ ତଥା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଅଖିଳ ଭାରତୀୟ କାର୍ଯ୍ୟକାରିଣୀ ସଦସ୍ୟ ଡଃ ମନମୋହନ ବୈଦ୍ୟ ଯୋଗଦେଇ ଭାରତୀୟ ଇତିହାସ ଓ ପରିଚୟ, ଭାରତର ବିଭିନ୍ନ ନୀତି, ଲାଲ-ବାଲ-ପାଲଙ୍କ ଭୂମିକା, ଡଃ ରାଜେନ୍ଦ୍ର ପ୍ରସାଦଙ୍କ ପ୍ରୟାସ, ଡଃ ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ବାର୍ତ୍ତା, ବିଭିନ୍ନତା ମଧ୍ୟରେ ଏକତା, ଅଯୋଧ୍ୟା ମନ୍ଦିର ନିର୍ମାଣ, ଯୋଗ ସାଧନାର ପ୍ରବାହ, ଭାରତର ଆଧ୍ୟାତ୍ମିକ ପରିଚୟ, ହିନ୍ଦୁ ସଂସ୍କୃତି, ଧର୍ମୀୟ ଭାବନା, ଭାରତୀୟ ଜ୍ଞାନ ପରମ୍ପରା, ବେଦର ଗୁରୁତ୍ୱ ଓ ଭାରତୀୟ ଭାଷାର ମହତ୍ତ୍ୱ ଆଦି ବିଷୟରେ ଆଲୋକପାତ କରିଥିଲେ। ଏହି ଅବସରରେ ଡଃ ବୈଦ୍ୟ ଛାତ୍ରଛାତ୍ରୀଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ଆଲୋଚନାକୁ ଅଧିକ ସମୃଦ୍ଧ କରିଥିଲେ। ଭାରତୀୟ ଶିକ୍ଷଣ ମଣ୍ଡଳର ପ୍ରଭାରୀ ଡଃ ଉମେଶ କୁମାର ସିଂହ ଧ୍ୟେୟ ଶ୍ଲୋକ ଆବୃତ୍ତି କରିଥିଲେ।ସମାରୋହରେ ସମ୍ମାନିତ ଅତିଥି ଭାବେ ସିଣ୍ଡିକେଟ୍ ସଭ୍ୟ ଡଃ ଡମ୍ବରୁଧର ପଟ୍ଟନାୟକ, ଦୀପକ କୁମାର ପଣ୍ଡା ଓ ଡଃ ପୁରୁଷୋତ୍ତମ ଅଗ୍ରୱାଲ ଯୋଗଦେଇଥିଲେ। ବିଶେଷ ନିମନ୍ତ୍ରିତ ଅତିଥି ଭାବେ ବିଏସ୍ଏମ୍ ନାଗପୁର କେନ୍ଦ୍ରର ସମ୍ପର୍କ ପ୍ରମୁଖ ଶ୍ରୀ ଶିବବ୍ରତ ମହାପାତ୍ର, ଆର୍ଏସ୍ଏସ୍ ପ୍ରଭାରୀ ଶ୍ରୀ ଶଙ୍କର ପଣ୍ଡା, ଡଃ ବିଶ୍ୱରଞ୍ଜନ ପୂଜାରୀ, ଡଃ ନରେନ୍ଦ୍ର ବେହେରା, ଡଃ ଦୀପେନ ପଟ୍ଟନାୟକ ଓ ଗବେଷକ ଡାକ୍ତର ମିଶ୍ର ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ସହକାରୀ ଅଧ୍ୟାପିକା ଶୁଭଲକ୍ଷ୍ମୀ ବାଇଧର, ଡଃ ପ୍ରିୟଦର୍ଶୀ ଯୋଶୀ, ପ୍ରଳୟ ଓଝା, ଅନୁରଞ୍ଜନ ଟେଟେ, ଡଃ ସୁରଜ ବୈଦିକ, ତାପସ ପୟର, ଆନନ୍ଦ ମେହେର ଓ ଅକ୍ଷୟ ଜେନା ପ୍ରମୁଖ ସହଯୋଗ କରିଥିଲେ। ଭାରତୀୟ ଶିକ୍ଷଣ ମଣ୍ଡଳର ସହକାର୍ଯ୍ୟ ପ୍ରଭାରୀ ଡଃ ଜସବିନ୍ଦର ସିଂହ ଧନ୍ୟବାଦ ଅର୍ପଣ କରିଥିଲେ।

