ସମ୍ବଲପୁର,୧୯/୧୧(ଉତ୍କଳ ସମାଚାର),(ସରୋଜ ସାହୁ): ସମ୍ବଲପୁର ସେବାକାରୀ ସଂଘର ବାର୍ଷିକ ସାଧାରଣ ବୈଠକ ରେଙ୍ଗାଲି କେଉଟଡିହିସ୍ଥିତ ସହାୟତା ଆଶ୍ରମରେ ସଂଘର ଆବାହକ କିରଣ ମହାକୁଡ଼ଙ୍କ ଆବାହକତ୍ୱରେ ଅନୁଷ୍ଠିତ ହୋଇଥିଲା। ଅତିଥିମାନେ ମା’ ସମଲେଇଙ୍କୁ ପୂଜାର୍ଚ୍ଚନା କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହି ବୈଠକରେ ସମ୍ବଲପୁର ଜିଲ୍ଲା ବରିଷ୍ଠ ନାଗରିକ ସଂଘର ସଭାପତି ଅନ୍ତର୍ଯ୍ୟାମୀ ପାଣି ମୁଖ୍ୟ ଅତିଥି ଭାବେ ଗଦେଇଥିବାବେଳେ ସହାୟତା ଆଶ୍ରମର ପ୍ରତିଷ୍ଠାତା ଶଶିଭୂଷଣ ସାହୁ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ବାବୁଲାଲ ଅଗ୍ରୱାଲ, ମୋନାଲିସା ପ୍ରଧାନ, ଲଳିତ ମୋହନ ସାହୁ ଓ ଦିବ୍ୟ ସରଫ ଅତିଥି ଭାବେ ଯୋଗଦେଇଥିଲେ।ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ସଂଘର ସଦସ୍ୟମାନେ ଏହି ବୈଠକରେ ଅଂଶଗ୍ରହଣ କରିଥିଲେ। ସଦସ୍ୟମାନେ ନିଷ୍ଠା, ସଚ୍ଚୋଟତା, କଠିନ ପରିଶ୍ରମ ଓ ସମର୍ପଣ ଭାବନାରେ କାର୍ଯ୍ୟ କଲେ ସମାଜର କଲ୍ୟାଣ ସାଧିତ ହୋଇପାରିବ ବୋଲି ମତ ପ୍ରକାଶ କରିଥିଲେ।ଏହି ଅବସରରେ ସଂଘ ପକ୍ଷରୁ ଆଶ୍ରମର ଅନ୍ତେବାସୀମାନଙ୍କୁ ଶୀତବସ୍ତ୍ର ବଣ୍ଟନ କରାଯାଇଥିଲା। ବଲାଙ୍ଗୀରରୁ ଅଜିତ ପୋଢ଼, କଳାହାଣ୍ଡିରୁ ଧନପତି ପଟେଲ, ସୋନପୁରରୁ ଜୟନ୍ତ କର୍ତ୍ତା ଏବଂ ବରପାଲିରୁ ଗୌର କିନାରଙ୍କ ସମେତ ବିଭିନ୍ନ ଅଞ୍ଚଳର ପ୍ରତିନିଧିମାନେ ଯୋଗଦେଇଥିଲେ। ଶେଷରେ ଅଜିତ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

