ସମ୍ବଲପୁର,୧୯/୧୧(ଉତ୍କଳ ସମାଚାର),(ସରୋଜ ସାହୁ): ଖିଣ୍ଡାଠାରେ ଏନ୍ଏଲ୍ସି ଓ ଆଦାନୀ ଖଣି ପ୍ରକଳ୍ପକୁ ନେଇ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ରଙ୍କ ପ୍ରତିବାଦକୁ ତୀବ୍ର ସମାଲୋଚନା କରିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ସମ୍ବଲପୁର ଜିଲ୍ଲା ବିଜେଡି ସଭାପତି ଇଂ ରୋହିତ ପୂଜାରୀ। ଡବଲ୍ ଇଞ୍ଜିନ୍ ସରକାରରେ ରହି ନିଜ ସରକାର ବିରୋଧରେ ପ୍ରତିବାଦ କରିବା ପରିବର୍ତ୍ତେ ସରକାରଙ୍କ ଉପରେ ଚାପ ପକାଇ ସମସ୍ୟାର ସମାଧାନ କରିବାକୁ ସେ ଜୟନାରାୟଣଙ୍କୁ ଆହ୍ୱାନ ଦେଇଛନ୍ତି। ଶ୍ରୀ ପୂଜାରୀ କହିଛନ୍ତି, ଏନ୍ଏଲ୍ସି ଭଳି କେନ୍ଦ୍ରୀୟ ସଂସ୍ଥାକୁ ଖଣି ପ୍ରକଳ୍ପ ପାଇଁ କେନ୍ଦ୍ର ସରକାରଙ୍କ ଅନୁମୋଦନ ମିଳିବା ପରେ ହିଁ କାର୍ଯ୍ୟ ଆରମ୍ଭ ହୋଇଛି। ଗତ ୧୨ ବର୍ଷ ଧରି କେନ୍ଦ୍ରରେ ବିଜେପି ସରକାର ରହିଥିବା ସହ ରାଜ୍ୟରେ ମଧ୍ୟ ବର୍ତ୍ତମାନ ଡବଲ୍ ଇଞ୍ଜିନ୍ ସରକାର ଚାଲିଛି। ଏହି ପ୍ରକଳ୍ପ ଓ ଏହାର କାର୍ଯ୍ୟକଳାପ ପାଇଁ ସରକାର ନିଜ ଦାୟିତ୍ୱରୁ ମୁକ୍ତ ହୋଇପାରିବେ ନାହିଁ।ଜେପି ଓ ଆଦାନୀ ମଧ୍ୟରେ ସମ୍ପର୍କକୁ ନେଇ ଜନସାଧାରଣଙ୍କ ମନରେ ଅନେକ ପ୍ରଶ୍ନ ରହିଛି। ଖଣି ପ୍ରକଳ୍ପ ବିରୋଧରେ ପ୍ରତିବାଦ କରୁଥିବା ବିଧାୟକ ନିଜ ଦଳର ସରକାରଙ୍କୁ ଏହି ପ୍ରଶ୍ନର ଉତ୍ତର କାହିଁକି ମାଗୁନାହାନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ଲୋକଙ୍କୁ ଭ୍ରମିତ କରିବା ପାଇଁ ପ୍ରତିବାଦର ନାଟକ କରିବା ପରିବର୍ତ୍ତେ ନିଜ ସରକାର ଉପରେ ଚାପ ପକାଇ ସମସ୍ୟାର ସମାଧାନ କରିବା ଉଚିତ ବୋଲି ରୋହିତ ପୂଜାରୀ କହିଛନ୍ତି।ୟନାରାୟଣ ମିଶ୍ର ଗୋଟିଏ ହ୍ୱିସିଲ୍ ମାରିଦେଲେ ସବୁ ଠିକ୍ ହୋଇଯିବ ବୋଲି କହୁଥିବାରୁ ଏହାକୁ ନେଇ ଶ୍ରୀ ପୂଜାରୀ ପ୍ରଶ୍ନ କରିଛନ୍ତି, ଉଭୟ କେନ୍ଦ୍ର ଓ ରାଜ୍ୟରେ ନିଜ ଦଳର ସରକାର ଥିବାବେଳେ ହ୍ୱିସିଲ୍ ମାରି ସମସ୍ୟାର ସମାଧାନ କାହିଁକି କରୁନାହାନ୍ତି? ଯଦି ପ୍ରକୃତରେ ଇଚ୍ଛାଶକ୍ତି ରହିଛି, ତେବେ ସରକାରଙ୍କ ମାଧ୍ୟମରେ କମ୍ପାନୀକୁ ଜବାବଦେହ କରିବା ସହ ଆବଶ୍ୟକ ପଡ଼ିଲେ କଠୋର ପଦକ୍ଷେପ ନିଆଯାଉ। କେବଳ ପ୍ରତିବାଦ ଓ ବୟାନବାଜି କରି ଲୋକଙ୍କୁ ଭ୍ରମିତ କରିବାର ଆବଶ୍ୟକତା କ’ଣ ବୋଲି ସେ କହିଛନ୍ତି। ଖଣିରେ ଚୋରି ହେଉଥିବା ଏବଂ ବାହାର ଅଞ୍ଚଳର ଲୋକଙ୍କୁ ଆଣି କାମରେ ନିୟୋଜିତ କରାଯାଉଥିବା ନେଇ ବିଧାୟକଙ୍କ ଅଭିଯୋଗ ଉପରେ ମଧ୍ୟ ଶ୍ରୀ ପୂଜାରୀ ପ୍ରଶ୍ନ ଉଠାଇଛନ୍ତି। ଅଭିଯୋଗ ସତ୍ୟ ହେଲେ ସରକାର ତୁରନ୍ତ ତଦନ୍ତ କରିବା ଉଚିତ। ଅନିୟମିତତା ଓ ଚୋରି ପ୍ରମାଣିତ ହେଲେ ସମ୍ପୃକ୍ତ କମ୍ପାନୀକୁ ବ୍ଲାକଲିଷ୍ଟ କରିବା ସହ କଠୋର ଆଇନଗତ ପଦକ୍ଷେପ ନିଆଯାଉ। ଅନ୍ୟ ଅଞ୍ଚଳରେ ଆଦାନୀକୁ ଖଣି କାର୍ଯ୍ୟ ଓ ସମ୍ପ୍ରସାରଣ ପାଇଁ ସୁଯୋଗ ଦିଆଯାଉଥିବାବେଳେ ଏଠାରେ ଉଠୁଥିବା ଅଭିଯୋଗ ଉପରେ ସରକାର ନିରବ କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି।ସାଂସଦ, ଆର୍ଡିସି ଏବଂ ଅନ୍ୟ ନେତାଙ୍କ କଥା କମ୍ପାନୀ ଶୁଣୁନଥିବା ନେଇ ବିଧାୟକଙ୍କ ମନ୍ତବ୍ୟକୁ ମଧ୍ୟ ସେ ସମାଲୋଚନା କରିଛନ୍ତି। ଧର୍ମେନ୍ଦ୍ର ପ୍ରଧାନଙ୍କ ଭଳି ଜାତୀୟ ସ୍ତରର ନେତାଙ୍କ କଥା ଯଦି କମ୍ପାନୀ ଶୁଣୁନାହିଁ, ତେବେ ଏହାକୁ ଜନସାଧାରଣ କିପରି ବିଶ୍ୱାସ କରିବେ? ଏହା କ’ଣ ଡବଲ୍ ଇଞ୍ଜିନ୍ ସରକାରର ପ୍ରକୃତ ସ୍ଥିତି ବୋଲି ସେ ପ୍ରଶ୍ନ କରିଛନ୍ତି।ଗଛ କଟା ପ୍ରସଙ୍ଗରେ ଜୟନାରାୟଣ ମିଶ୍ର ଆଜି ପ୍ରତିବାଦ କରୁଥିବାବେଳେ ଏହି ଗଛ କଟା ତାଙ୍କ ବିରୋଧୀ ଦଳର ନେତା ଥିବା ସମୟରେ ହୋଇଥିଲା ବୋଲି ରୋହିତ ପୂଜାରୀ ଦାବି କରିଛନ୍ତି। ସେହି ସମୟରେ ଏହି ପ୍ରସଙ୍ଗରେ ତାଙ୍କ ଆଭିମୁଖ୍ୟ କ’ଣ ଥିଲା ଏବଂ କାହିଁକି ଦୃଢ଼ ପ୍ରତିବାଦ ଜଣାଇଲେ ନାହିଁ, ତାହାର ସ୍ପଷ୍ଟୀକରଣ ଦେବା ଆବଶ୍ୟକ ବୋଲି ସେ କହିଛନ୍ତି। ମାଟି, ମାଆ ଓ ମଣିଷଙ୍କ ପାଇଁ ପ୍ରକୃତ ଦରଦ ଥିଲେ ବିଜେପିରେ ରହି ନିଜ ସରକାର ବିରୋଧରେ ପ୍ରତିବାଦର ରାଜନୀତି କରିବା ପରିବର୍ତ୍ତେ ଦଳରୁ ଇସ୍ତଫା ଦେଇ ଲୋକଙ୍କ ସହ ମିଶି ଆନ୍ଦୋଳନ କରିବାକୁ ଜୟନାରାୟଣଙ୍କୁ ଆହ୍ୱାନ ଦେଇଛନ୍ତି। ସ୍ଥାନୀୟ ଲୋକଙ୍କ ନ୍ୟାଯ୍ୟ ଅଧିକାର ପାଇଁ ତାଙ୍କ ସହ ମିଶି ଆନ୍ଦୋଳନ କରିବାକୁ ବିଜେଡି ମଧ୍ୟ ପ୍ରସ୍ତୁତ ବୋଲି ସେ କହିଛନ୍ତି।ଖଣି ଓ ଶିଳ୍ପ ସମ୍ପ୍ରସାରଣ ଦ୍ୱାରା ମାଟି, ପରିବେଶ ଓ ସ୍ଥାନୀୟ ଲୋକଙ୍କ କ୍ଷତି ହେଉଥିଲେ କେବଳ ଏନ୍ଏଲ୍ସି ଓ ଆଦାନୀକୁ ଟାର୍ଗେଟ୍ କରିବା ନୁହେଁ, ରାଜ୍ୟର ସମସ୍ତ ଶିଳ୍ପ ପ୍ରକଳ୍ପ ପ୍ରତି ସମାନ ମାନଦଣ୍ଡ ଲାଗୁ ହେବା ଆବଶ୍ୟକ ବୋଲି ସେ ମତ ଦେଇଛନ୍ତି। ଲୋକଙ୍କ ସ୍ୱାର୍ଥ ଓ ପରିବେଶ ସୁରକ୍ଷା ଯଦି ପ୍ରକୃତ ଉଦ୍ଦେଶ୍ୟ, ତେବେ ସମସ୍ତ ପ୍ରକଳ୍ପ ପ୍ରତି ସମାନ ଆଭିମୁଖ୍ୟ ରହିବା ଉଚିତ।ଶେଷରେ ଶ୍ରୀ ପୂଜାରୀ କହିଛନ୍ତି, ବିଜେଡି ବିକାଶର ବିରୋଧୀ ନୁହେଁ, କିନ୍ତୁ ବିକାଶ ନାମରେ ସ୍ଥାନୀୟ ଲୋକଙ୍କ ଜମି, ଜୀବିକା, ନିଯୁକ୍ତି ଓ ପରିବେଶକୁ ବଳି ଦେବାକୁ କେବେ ସମର୍ଥନ କରିବ ନାହିଁ। ଖଣିରେ ଚୋରି ଓ ଅନିୟମିତତା ହେଉଥିଲେ ତୁରନ୍ତ ତଦନ୍ତ କରାଯାଉ, ଦୋଷୀଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ହେଉ ଏବଂ ଅନିୟମିତତା ପ୍ରମାଣିତ ହେଲେ କମ୍ପାନୀକୁ ବ୍ଲାକଲିଷ୍ଟ କରାଯାଉ। ରାଜନୈତିକ ନାଟକ ବନ୍ଦ କରି ଲୋକଙ୍କୁ ନ୍ୟାୟ ଦିଆଯାଉ ବୋଲି ସେ ଦାବି କରିଛନ୍ତି।ଏହି ସାମ୍ବାଦିକ ସମ୍ବିଳନୀରେ ବିଜେଡି ମହାନଗର ସଭାପତି ବସନ୍ତ କୁମାର ମିଶ୍ର, ଜିଲ୍ଲା ଉପସଭାପତି ଏମ୍.ବି. ସତ୍ୟେନ୍ (ଜଟିଆ), ସୁରୁବାବୁ ମେହେର, ସତ୍ୟେନ୍ଦ୍ର ଦାସ, ଜିଲ୍ଲା ଯୁବ ବିଜେଡି ସଭାପତି ପ୍ରଦୋଷ ମହାନ୍ତି, ରେଢ଼ାଖୋଲ ବ୍ଲକ୍ ବିଜେଡି ସଭାପତି ଉଦିତ ତ୍ରିପାଠୀ, ତଲାବିରା ଅଞ୍ଚଳର ଯୁବନେତା ମନୋଜ ପାଣ୍ଡେ, ଜିଲ୍ଲା ସମ୍ପାଦକ ପ୍ରହଲ୍ଲାଦ ଗୁରୁ ଓ ଯୁବନେତା ରୁଦ୍ର ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ।

