ସମ୍ବଲପୁର,୨୧/୧୧(ଉତ୍କଳ ସମାଚାର),(ସରୋଜ ସାହୁ):ହୀରାକୁଦ ଥାନା ଅନ୍ତର୍ଗତ ନୂଆଗୁଜତଲରେ କାର୍ ପୋଡ଼ି ଘଟଣାରେ ସମ୍ବଲପୁର ପୁଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ହେଲେ ହୀରାକୁଦ ଖଡ଼ିଆପଡ଼ାର ଯଶୋବନ୍ତ ଭୁଏ (୩୬)। ତାଙ୍କୁ ଶୁକ୍ରବାର ଝାରସୁଗୁଡ଼ା ଅଞ୍ଚଳରୁ ପୁଲିସ ଗିରଫ କରିଥିବା ସୂଚନା ମିଳିଛି।ସୂଚନା ଅନୁସାରେ, ଗତ ୪ ତାରିଖ ରାତି ପ୍ରାୟ ୧ଟା ୧୪ ମିନିଟ୍ରେ ନୂଆଗୁଜତଲର ଉମାଶଙ୍କର ଗୌଡ଼ (୩୩)ଙ୍କ ଘର ସମ୍ମୁଖରେ ରଖାଯାଇଥିବା ଧଳା ରଙ୍ଗର କାର୍ (ଓଡି-୧୫-ଏସ୍-୬୪୮୧)ରେ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିଲେ। ଏଥିରେ କାର୍ଟି କ୍ଷତିଗ୍ରସ୍ତ ହେବା ସହ ମାଲିକଙ୍କ ଆର୍ଥିକ କ୍ଷତି ହୋଇଥିଲା।ଏନେଇ ଉମାଶଙ୍କର ୫ ତାରିଖରେ ହୀରାକୁଦ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ହୀରାକୁଦ ଥାନାରେ ୨୩୩/୨୬ (ବିଏନ୍ଏସ୍ ଧାରା ୩୨୬(ଏଫ୍), ୬୧(୨)/୩(୫))ରେ ମାମଲା ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ସମୟରେ ଘଟଣାରେ ସମ୍ପୃକ୍ତ ଥିବା ଯଶୋବନ୍ତ ଭୁଏଙ୍କୁ ଚିହ୍ନଟ କରି ପୁଲିସ ଗିରଫ କରିଛି। ତାଙ୍କ ନିକଟରୁ ଗୋଟିଏ ବୁଲେଟ୍ ବାଇକ୍ ଓ ଗୋଟିଏ ମୋବାଇଲ୍ ଫୋନ୍ ଜବତ କରାଯାଇଛି। ତେବେ ଘଟଣାରେ ସମ୍ପୃକ୍ତ ଅନ୍ୟ ଦୁଇ ଅଭିଯୁକ୍ତ ଏବେ ମଧ୍ୟ ଫେରାର ଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି।

